ଶିମଲା ୨୩।୧: ହିମାଚଳ ପ୍ରଦେଶ ରାଜଧାନୀ ଶିମଲାରେ ପାଖାପାଖି ୩ ମାସ ପରେ ଶୁକ୍ରବାର ଋତୁର ପ୍ରଥମ ହୀମପାତ ହୋଇଛି। ଫଳରେ ବରଫପାତ ଦେଖିବା ପାଇଁ ହିମାଚଳ ବୁଲି ଯାଇଥିବା ପର୍ଯ୍ୟଟକଙ୍କୁ ବେଶ୍ ଖୁଶି ମିଳିଛି। ଏହି ହୀମପାତ ଶିମଲା ସମେତ ମନାଲୀ, ଲାହୋଲ ଓ ସ୍ପିତିର ଗୋନ୍ଦଲା, କୁକମସେରୀ ଓ ହଂସା ଗାଓଁରେ ହୀମପାତ ହୋଇଛି। ହୀମପାତ ଯୋଗୁ ପାର୍ବତୀୟ ରାଜ୍ୟ ହିମାଚଳ ପ୍ରଦେଶରେ ତାପମାତ୍ରା ମଧ୍ୟ ହ୍ରାସ ହୋଇଛି। ଏହା ସତ୍ତ୍ୱେ ପର୍ଯ୍ୟଟକ ହୀମପାତର ମଜା ନେଉଥିବା ଦେଖା ଯାଇଛି।

ଅନେକ ପର୍ଯ୍ୟଟକ ସୋସିଆଲ ମିଡିଆରେ ହୀମପାତର ଭିଡିଓ ସେୟାର କରିଛନ୍ତି ଓ ଶୀତ ଋତୁରେ ସବୁଠୁ ଚମତ୍କାର ସ୍ଥାନ ବୋଲି ଉଲ୍ଲେଖ କରିଛନ୍ତି। ଶିମଲା ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ମନାଲୀ ନିକଟସ୍ଥ କୋଠୀ ଗାଁରେ ସର୍ବାଧିକ ୧୫ ସେ.ମି ହୀମପାତ ହୋଇଛି। ସେହିପରି ଲାହୋଲ ଓ ସ୍ଫିତିର ଗନ୍ଦୋଲାରେ ୧୨ ସେ.ମି, କୁକୁମସେରୀରେ ୬.୮ ସେ.ମି, ହଂସା ଗାଓଁରେ ୫ ସେ.ମି ହୀମପାତ ହୋଇଛି। ଶିମଲା ଜିଲ୍ଲାର ଜୁବଲରେ ୬ ସେ.ମି, ମନାଲୀରେ ୪.୮ସେମି, କେଲାଙ୍ଗରେ ୪, କୁଫରୀରେ ୪ ଓ ଶିମଲାରେ ୦.୬ ସେମି ହୀମପାତ ରେକର୍ଡ ହୋଇଛି।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ରାଜ୍ୟର ଉଚ୍ଚ ଅଞ୍ଚଳମାନଙ୍କରେ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ହୀମପାତ ହୋଇପାରେ। ହେଲେ ଏହି ସମୟରେ ଅନ୍ୟ ଅଞ୍ଚଳର ପାଗ ଶୁଷ୍କ ରହିବ। ଏଥି ମଧ୍ୟରେ ବିଭିନ୍ନ ଜିଲ୍ଲାର ଜିଲ୍ଲା ପ୍ରଶାସନ ସଡ଼କରୁ ବରଫ ହଟାଇବା କାମ ଆରମ୍ଭ କରିଦେଇଛନ୍ତି ଓ ଲୋକଙ୍କୁ ଅନାବଶ୍ୟକ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ବରଫପାତ ଦେଖିବାକୁ ଅଟକି ଥିବା ପର୍ଯ୍ୟଟକମାନେ ହୀମପାତ ଯୋଗୁ ରାସ୍ତା ପିଛିଳ ହୋଇଥିବାରୁ ଗାଡ଼ି ଧିରେ ଚଳାଇବାକୁ ସୋସିଆଲ ମିଡିଆ ପୋଷ୍ଟରେ ପରାମର୍ଶ ଦେଉଛନ୍ତି।