ମଙ୍ଗଳୁର: କର୍ଣ୍ଣାଟକ ମଙ୍ଗଲୁରର ଜୋକଟ୍ଟେ ନିକଟରେ ଥିବା ମଙ୍ଗଲୋର ରିଫାଇନାରୀ ଆଣ୍ଡ ପେଟ୍ରୋ କେମିକାଲସ୍ ଲିମିଟେଡ (ଏମଆରପିଏଲ) ରିଫାଇନାରୀରେ ବୁଧବାର ଭୀଷଣ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଲୋକଙ୍କ ଘର ଦୋହଲି ଯାଇଥିବା ଓ କମ୍ପନ ଅନୁଭୂତ ହୋଇଥିବା ଜଣାପଡିଛି। ବିସ୍ଫୋରଣ ପରେ ରିଫାଇନାରୀରୁ ଘନ କଳାଧୂଆଁ ଉଠୁଥିବା ଦେଖା ଯାଇଛି। କୁହାଯାଉଛି ବିସ୍ଫୋରଣ ଜୋକଟ୍ଟେ ଅଞ୍ଚଳରେ ହୋଇଛି, ଯେଉଁଠି ରିଫାଇନାରୀର ତୃତୀୟ ପ୍ଲାଣ୍ଟ ରହିଛି।

ଏମଆରପିଏଲ ପକ୍ଷରୁ ଘଟଣା ନେଇ କୌଣସି ଅଧିକାରୀକ ବୟାନ ଜାରି ହୋଇ ନାହିଁ। ଆଖପାଖ ଅଞ୍ଚଳ ଯେପରି ବାଜପେ, କଲାଭରୁ, ବ୍ୟାକାମପାଡି, ଜୋକଟ୍ଟେ, ସୁରଥକଲ ଓ କଟିପଲ୍ଲା ଲୋକେ ଭୂମିକମ୍ପ ଝଟକା ଅନୁଭବ କରିଛନ୍ତି। ବିସ୍ଫୋରଣ ପ୍ରଭାବରେ ଘରମାନଙ୍କର ଝରକା ଓ କବାଟରେ ଲାଗିଥିବା କାଚ ଭାଙ୍ଗି ଯାଇଛି। ଜୋକଟ୍ଟେ ଗ୍ରାମପଞ୍ଚାୟତ ଭବନ ଝରକା କାଚ ମଧ୍ୟ ଭାଙ୍ଗି ଯାଇଛି। ଜୋକଟ୍ଟେ ଗ୍ରାମ ପଞ୍ଚାୟତ ଭବନ ଓ ଆଖପାଖର ଲୋକେ ସେମାନଙ୍କ ଘର ହଲୁଥିବା ଅନୁଭବ କରିଥିଲେ ଓ ଘରୁ ପଦାକୁ ବାହାରି ଆସିଥିଲେ। କିଛି ଘରେ ଫାଟ ପଡିଥିବାର ମଧ୍ୟ ଅଭିଯୋଗ ହୋଇଛି।

ଡିୱାଇଏଫଆଇ ନେତା ମୁନିର କଟିପଲ୍ଲା କହିଛନ୍ତି ଯେ ବିସ୍ଫୋରଣ ଯୋଗୁ ଆତଙ୍କିତ ଲୋକେ ଜୋକଟ୍ଟେ ଗ୍ରାମପଞ୍ଚାୟତ ଭବନ ନିକଟରେ ଠୁଳ ହୋଇଛନ୍ତି। ଏହି ବିସ୍ଫୋରଣର ଶବ୍ଦ ଦୂରରେ ଥିବା ବ୍ୟାକାମପାଡି ଓ ସୁରଥକଲରେ ମଧ୍ୟ ଶୁଣା ଯାଇଛି। ମଙ୍ଗଲୁର, ପାଣ୍ଡେଶ୍ୱର ଓ ଆଖାପାଖ ଅଞ୍ଚଳକୁ ଦମକଳ ଗାଡ଼ି ପହଞ୍ଚିଛି। ତେବେ ଏହି ଘଟଣାରେ ସେଭଳି କୌଣସି ଗୁରୁତର କ୍ଷୟକ୍ଷତି ଅଥବା ଧନଜୀବନ ହାନୀର ସୂଚନା ମିଳି ନାହିଁ।