ନୂଆଦିଲ୍ଲୀ ୨୮।୨: ମଧ୍ୟପ୍ରାଚ୍ୟ ଝଗଡ଼ା ଏବେ କେବଳ ଦୁଇ ଦେଶଙ୍କ ମଧ୍ୟରେ ସୀମିତ ହୋଇ ନାହିଁ। ଇରାନ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପୁଜିଥିବା ପରିସ୍ଥିତିରେ ଏବେ ଭାରତୀୟ ଲୋକେ ସିଧାସଳଖ ପ୍ରଭାବିତ ହେବେ। ଶରଳ ଶବ୍ଦରେ କହିବାକୁ ଗଲେ ୭ ଦରିଆ ସେପାରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଆପଣଙ୍କ ଘରର ବଜେଟକୁ ବିଗାଡି ପାରେ ଓ ଦେଶର ସୁରକ୍ଷା ପାଇଁ ନୂଆ ଆହ୍ୱାନ ସୃଷ୍ଟିକରିପାରେ। ଆସନ୍ତୁ ବୁଝିବା ଆମକୁ କିପରି ପ୍ରଭାବିତ କରିବ ଏହି ଯୁଦ୍ଧ?

ଅଶୋଧିତ ତୈଳ ନିର୍ଭରତା
ଭାରତ ନିଜ ତୈଳ ଆବଶ୍ୟକତାର ୮୦%ରୁ ଊର୍ଦ୍ଧ୍ୱ ଆମଦାନୀ କରିଥାଏ। ଗଲଫ ଅଞ୍ଚଳରେ କୌଣସି ପ୍ରକାରର ଯୁଦ୍ଧ ବ୍ରେଣ୍ଟ କୃଡ ମୂଲ୍ୟ ଦ୍ରୁତ ବୃଦ୍ଧି କରିପାରେ। ଏଣୁ ଭାରତର ଇମ୍ପୋର୍ଟ ବିଲ ବଢିବ ଓ କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ମଧ୍ୟ ବିଗିଡିବ। ସେହିପରି ଦେଶରେ ତୈଳ ମୂଲ୍ୟ ବୃଦ୍ଧି ହେଲେ ଏହାର ସିଧା ପ୍ରଭାବ ପରିବହନ ବାବଦ ବ୍ୟୟ ଉପରେ ପଡିବ। ଏଣୁ ନିତ୍ୟବ୍ୟବହାର୍ଯ୍ୟ ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ହେବ। ଘରୋଇ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଭାରତୀୟ ରିଜର୍ଭବ୍ୟାଙ୍କ (ଆରବିଆଇ)ଙ୍କ ଲାଗି ଅସମ୍ଭବ ହୋଇ ପଡିବ।

ରେମିଟାନ୍ସ ଓ ମାଇଗ୍ରାଣ୍ଟ ସଂକଟ
ପାଖାପାଖି ୯ ନିୟୁତ ଭାରତୀୟ ଉପସାଗରୀୟ ଦେଶ ( ସାଉଦୀ ଆରବ, ୟୁଏଇ ଓ କତାର ଆଦି ଦେଶ) ମାନଙ୍କରେ କାମ କରନ୍ତି ଓ ବାର୍ଷିକ କୋଟିକୋଟି ଟଙ୍କା ବିଦେଶୀ ମୁଦ୍ରା (ରେମିଟାନ୍ସ) ଭାରତକୁ ପଠାଇଥାନ୍ତି। ଯୁଦ୍ଧ ଯୋଗୁ ସେମାନଙ୍କ ଚାକିରୀ ବୃତ୍ତି ବିପଦରେ ପଡିବ। ଏଣୁ ଭାରତ ସରକାରଙ୍କୁ ଏକ ବଡ଼ଧରଣର ଇଭାକ୍ୟୁଏସନ ମିସନ ହାତକୁ ନେବାକୁ ପଡିପାରେ। ଏହା ଛଡା ଯୁକ୍ତରାଷ୍ଟ୍ର ଓ ଇସ୍ରାଏଲ ଭାରତର ରଣନୈତିକ ଭାଗିଦାରୀ ହେଲେ ଇରାନ ସହ ଭାରତର ଐତିହାସିକ ଓ ଶକ୍ତି ସମ୍ପର୍କ ବି ରହିଛି। ଏଣୁ ଯୁଦ୍ଧରେ କୌଣସି ପକ୍ଷ ନନେବା ଭାରତର ସନ୍ତୁଳିତ ଛବିକୁ କ୍ଷତିଗ୍ରସ୍ତ କରିପାରେ।

ଚାବାହାର ପୋର୍ଟ
ଭାରତ ଇରାନର ଚାବାହାର ବନ୍ଦରରେ ବିପୁଳ ନିବେଶ କରିଛି, ଯାହା ପାକିସ୍ତାନକୁ ବାଇପାସ୍ କରି ଆଫଗାନିସ୍ତାନ ଓ କେନ୍ଦ୍ରୀୟ ଏସିଆ ପର୍ଯ୍ୟନ୍ତ ପହଞ୍ଚିବାକୁ ଭାରତର ଗୁରୁତ୍ୱପୂର୍ଣ୍ଣ ମାର୍ଗ। ଇରାନ ଯୁଦ୍ଧରେ ପଶିବା ଭାରତର ଏହି ଜରୁରି ପ୍ରକଳ୍ପ ଲାଗି ସିଧାସଳଖ କ୍ଷତି ବୋଲି ଏବେ ବୁଝା ଯାଉଛି। ଏହା ଛଡା ମଧ୍ୟପ୍ରାଚ୍ୟରେ ଅସ୍ଥିରତା ପ୍ରାୟତଃ ବିଶ୍ୱରେ ଇସ୍ଲାମ ଆତଙ୍କବାଦକୁ ପ୍ରୋତ୍ସାହିତ କରିଆସିଛି। ଏହାର ପ୍ରଭାବ ଭାରତରେ ମୌଳବାଦ ରୂପେ ଦେଖାଯାଇପାରେ।

ପାକିସ୍ତାନ ଆତଙ୍କବାଦ
ଏବେ ସାରା ବିଶ୍ୱର ନଜର ମଧ୍ୟପ୍ରାଚ୍ୟ ଉପରେ ରହିଛି। ଏଣୁ ପାକ୍ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିବା ଓ ରାଜ୍ୟକୁ ଅସ୍ଥିର କରିବାକୁ ଉଦ୍ୟମ କରିପାରନ୍ତି। ଏଥି ପାଇଁ ଭାରତକୁ ନିଜର ସୀମା ସତର୍କତା ଓ ଡିଫେନ୍ସ ବଜେଟ ଉଭୟ ବଢାଇବାକୁ ପଡିବ। ଏହା ଛଡା ଭାରତର ନିବେଶ ଉପରେ ମଧ୍ୟ ଏହି ଯୁଦ୍ଧ ପ୍ରଭାବ ପକାଇପାରେ। କାରଣ ବୈଶ୍ୱିକ ନିବେଶକ ଯୁଦ୍ଧ ଭଳି ପରିସ୍ଥିତିରେ ନିବେଶ କରିବାକୁ ପଛକୁ ହଟିଥାନ୍ତି। ଏଣୁ ଏହାର ସିଧା ପ୍ରଭାବ ଭାରତ ଭଳି ବିକଶିତ ମାର୍କେଟରେ ଫରେନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ (ଏଫଡିଆଇ) ଇନଫ୍ଲୋ ଉପରେ ପଡିବ। ଏଣୁ ଇନଫ୍ରାଷ୍ଟ୍ରକ୍ଚର ଓ ଡେଭଲପମେଣ୍ଟ ପ୍ରୋଜେକ୍ଟସର ପ୍ରଗତିକୁ ଧିମା କରିପାରେ।

Also Read..