ମୁମ୍ବାଇ : ଅଫେରା ରାଇଜରେ ସ୍ୱରର ରାଗିଣୀ। ଆଶା ଭୋସଲେଙ୍କ ଦେହାନ୍ତ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏ ଶୂନ୍ୟସ୍ଥାନ ପୂରଣ କରିବା ହୁଏତ ଅସମ୍ଭବ। ସେଥିପାଇଁ ତ ଇଏ ଆଶା ଯୁଗର ଅନ୍ତ ବୋଲି କହିପାରିବା। ଆଶାଙ୍କ ନାଁ ଏବେ ଭାରତୀୟ ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ ଇତିହାସରେ ଜଣେ ଯୋଦ୍ଧା ଭାବରେ ଲିପିବଦ୍ଧ। ଯିଏ ସ୍ୱର ସାମ୍ରାଜ୍ଞୀ ଭଉଣୀ ଲତା ମଙ୍ଗେଶକରଙ୍କ ଛତ୍ରଛାୟାରୁ ବାହାରି ଆସି ସୃଷ୍ଟି କରିଥିଲେ ନିଜର ସ୍ୱତନ୍ତ୍ର ପରିଚୟ । ଯାହା କୁହାଯାଏ ଯେ, ପ୍ଲେ ବ୍ୟାକ୍ ସିଙ୍ଗିଙ୍ଗ୍ ଆରମ୍ଭ କରୁଥିବା ଦିନ ଗୁଡ଼ିକରେ ଆଶାଙ୍କୁ କେବଳ ସେହି ଗୀତଗୁଡ଼ିକ ପ୍ରଦାନ କରାଯାଇଥିଲା। ଯାହାକୁ ଲତା ଦିଦି ପ୍ରତ୍ୟାଖ୍ୟାନ କରିୁଥିଲେ। ତଥାପି ତାଙ୍କର କଠିନ ପରିଶ୍ରମ, ତାଙ୍କ କଣ୍ଠର ଯାଦୁଗରୀ, ଭର୍ସାଟାଇଲ୍ ସିଙ୍ଗିଙ୍ଗ୍ ରେ ସେହି ରିଜେକ୍ସନ ଗୀତଗୁଡ଼ିକ ହେଉଥିଲା ସୁପରହିଟ୍।

ବଲିଉଡରେ ଗୋଟେ ସମୟ ଥିଲା ଯେତେବେଳେ ଲତା ମଙ୍ଗେସକର ଥିଲେ ମ୍ୟୁଜିକ ଡାଇରେକ୍ଟରଙ୍କ ପ୍ରଥମ ପସନ୍ଦ। ତାଙ୍କ ଶୃଙ୍ଖଳା ଏବଂ ତାଙ୍କ ସ୍ୱରର ଯାଦୁ ପୂରା ଦେଶକୁ କରୁଥିଲା ଦିୱାନା। ସେହି ସମୟରେ, ତାଙ୍କ ସାନ ଭଉଣୀ ଆଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାକୁ ଚେଷ୍ଟା କରୁଥିଲେ। ଆଶାଙ୍କ ପାଇଁ ଇଏ ଏକ ଚ୍ୟାଲେଞ୍ଜ ପରିଥିଲା। ଗୋଟିଏ ପଟେ, ଘରେ ଥିଲା କଷ୍ଟକର ପରିବେଶ ଅନ୍ୟପଟେ ତାଙ୍କ ବଡ଼ ଭଉଣୀଙ୍କ ସଫଳତା ଭିତରେ ସେ ଯେମିତି ହଜି ଯାଉଥିଲେ। ତଥାପି, ଇତିହାସ ସାକ୍ଷୀ ଅନ୍ୟମାନେ ରିଜେକ୍ଟ କରୁଥିବା ଗୀତରେ ସଫଳତା ପାଇବାକୁ ଚେଷ୍ଟା କରିଥିଲେ ଆଶା। ।

୧୯୫୦ ଏବଂ ଷାଠିଏ ଦଶକ ମଧ୍ୟରେ, ଆଶା ଭୋସଲେଙ୍କୁ ପ୍ରାୟତଃ ସେକେଣ୍ଡ ଗ୍ରେଡ୍ ସିଙ୍ଗର୍ ଭାବରେ ବିବେଚନା କରାଯାଉଥିଲା। ସେ ସମୟରେ ଫେମସ୍ କମ୍ପୋଜର୍ ମାନେ କେବଳ ଲତା ମଙ୍ଗେସକର କିମ୍ବା ଗୀତା ଦତ୍ତଙ୍କୁ ହାଇ ବଜେଟ୍ ଫିଲ୍ମ ପାଇଁ ସାଇନ୍ କରୁଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆଶାଙ୍କୁ କେବଳ ଡ୍ୟାନ୍ସ ନମ୍ବର ନଚେତ୍ ଯାହାକୁ ଲତା ଦିଦି ଗାଇବାକୁ ମନା କରିଥିଲେ। ସେହି ଗୀତ ଅଫର୍ ମିଳୁଥିଲା। ଏକ ସାକ୍ଷାତକାରରେ, ଆଶା ନିଜେ ଏହାକୁ ସ୍ୱୀକାର କରିଥିଲେ ଯାହାକୁ ଅନ୍ୟମାନେ ରିଜେକ୍ଟ କରୁଥିଲେ , ସେହି ଗୀତ ତାଙ୍କୁ ମିଳୁଥିଲା। କିନ୍ତୁ ଏହାକୁ ସେ ଅପମାନ ଭାବରେ ନୁହେଁ ବରଂ ଏକ ସୁଯୋଗ ଭାବରେ ଦେଖୁଥିଲେ।

ଆଶାଙ୍କ କ୍ୟାରିୟରରେ ଏକ ମୋଡ଼ ଆସିଲା, ଯେତେବେଳେ ସେ ସଙ୍ଗୀତର ଯାଦୁଗର, ଓ.ପି. ନାୟରଙ୍କୁ ଭେଟିଥିଲେ। ନାୟର ସେହି ସମୟର ଏକମାତ୍ର ସଂଗୀତଜ୍ଞ ଥିଲେ, ଯିଏ କେବେ ଲତା ମଙ୍ଗେସକରଙ୍କ ସହ କାମ କରିନଥିଲେ। ସେ ଏପରି ଏକ ସ୍ୱର ଖୋଜୁଥିଲେ ଯେଉଁଥିରେ ଭର୍ସାଟାଇଲିଟି, ୱେଷ୍ଟର୍ଣ୍ଣ ଓ ଆକର୍ଷଣ ଥିବ। ଯାହା ସେ ଆଶାଙ୍କ ପାଖରେ ପାଇଥିଲେ। ନାୟର ଆଶାଙ୍କୁ ଏପରି ଗୀତ ଗାଇବାକୁ ଦେଲେ ଯାହା ଲତା ଦିଦି କେବେ ଗାଇପାରି ନଥାନ୍ତେ।

କୁହାଯାଏ କି ଆଶାଙ୍କ ପରିଚୟ ପରିଚୟ ଭର୍ସାଟାଇଲ୍ ସିଙ୍ଗିଙ୍ଗ୍। ସେ ଅନୁଭବ କରିଥିଲେ ଯେ ଯଦି ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହାଁନ୍ତି , ତାହେଲେ ଲତା ଦିଦିଙ୍କଠାରୁ ତାଙ୍କୁ କିଛି ଭିନ୍ନ କରିବାକୁ ପଡ଼ିବ। ତାଙ୍କୁ ମିଳିଥିଲା "ଦମ୍ ମାରୋ ଦମ୍" ଗାଇବାର ଅଫର୍। ତାକୁ ସେ ଯେଉଁଭଳି ଭାବରେ ଗାଇଥିଲେ, ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଗୀତରେ, ସେ ୱଷ୍ଟର୍ଣ୍ଣ ପପ୍ ର ଏକ ସ୍ୱତନ୍ତ୍ର ସ୍ପର୍ଶ ସହିତ ଶାସ୍ତ୍ରୀୟ ସଙ୍ଗୀତର ଜଟିଳ ସୂକ୍ଷ୍ମତାକୁ ସହଜରେ ମିଶାଇ ଦେଇଥିଲେ। ଏମିତି କିଛି ଅନନ୍ୟ ଶୈଳୀ ସହିତ, ଆଶା ରିଜେକ୍ସନ୍ ଗୀତ ଗୁଡ଼ିକୁ ଟ୍ରେଣ୍ଡ୍ ରେ ପରିଣତ କରିଥିଲେ। ଲତା ମଙ୍ଗେସକରଙ୍କ ସ୍ୱରକୁ ସିଦ୍ଧତା ଭାବରେ ବିବେଚନା କରାଯାଉଥିଲା, ଆଶାଙ୍କ ସ୍ୱରରେ ସେହି ସ୍ପଷ୍ଟତା ଥିଲା। ଯେଉଁଥିରେ ଯନ୍ତ୍ରଣା, ସେନସୁଆଲିଟି, ରାଗ ଏବଂ ଚଞ୍ଚଳତା ଥିଲା। ସେ ଜାଣିଶୁଣି ନିଜ ଗୀତର ଷ୍ଟାଇଲ୍ କୁ ଲତା ଦିଦିଙ୍କ ଠାରୁ ଅଲଗା କରିଥିଲେ। ଏହି କାରଣରୁ, ଯେତେବେଳେ ଆର.ଡି. ବର୍ମନ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କଲେ, ସେ ଆଶାଙ୍କୁ ତାଙ୍କର ପ୍ରଥମ ପସନ୍ଦ କରିଥିଲେ।

ଗୋଟିଏ ସମୟ ଥିଲା ଯେତେବେଳେ କେବଳ "ଆଇଟମ୍ ଗୀତ" ପାଇଁ ତାଙ୍କ ପାଖକୁ ଆସୁଥିଲେ ସଂଗୀତ ନିର୍ଦ୍ଦେଶକ। କିନ୍ତୁ ଶେଷରେ ‘ଉମରାଓ ଜାନ’ ଭଳି ଫିଲ୍ମରେ ଗୀତ ଗାଇଗାଇବାକୁ ସଙ୍ଗୀତ ନିର୍ଦ୍ଦେଶକ ହାତ ଯୋଡ଼ିଥିଲେ। ଏପରି କି କୁହାଯାଏ ଯେ ଯେତେବେଳେ ‘ଖୟାମ ସାହେବ’ରେ ତାଙ୍କୁ "ଦିଲ୍ ଚିଜ୍ କ୍ୟା ହୈ" ଗାଇବାକୁ କହିଲେ। ଆଶା ତାକୁ ଏକ ନୂଆ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କଲେ। ଯାହା ତାଙ୍କୁ ଦେଇଥିଲା ଜାତୀୟ ପୁରସ୍କାର। ଏମିତି ଚାଲିଲା ଗୀତର ସିଲସିଲା। ଆଶା 12,000 ରୁ ଅଧିକ ଗୀତ ରେକର୍ଡ କରି ଗିନିଜ୍ ବିଶ୍ୱ ରେକର୍ଡରେ ନିଜ ନାଁ ସାମିଲ୍ କରିଥିଲେ। ଭଉଣୀ ଲତା ଙ୍କ ପ୍ରତି ସମ୍ମାନ ବଜାୟ ରଖି, ସେ ନିଜର ଏକ ସ୍ୱତନ୍ତ୍ର ଦୁନିଆ ସୃଷ୍ଟି କରିଥିଲେ। ଯେଉଁଠି ସେ କରିଥିଲେ ରାଜ୍। ଯଦିଓ ଆଶା ଆଉ ଆମ ସହିତ ନାହାଁନ୍ତି, ତାଙ୍କର ସ୍ମୃତି ଗୀତ ଆକାରରେ ସବୁଦିନ ପାଇଁ ଆମ ହୃଦୟରେ ଜୀବିତ ହୋଇ ରହିବ।