ଭୁବନେଶ୍ୱର: ୧୯୪୮ ମସିହା। ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା ମାୟାନଗରୀ ଭୁବନେଶ୍ୱର। ବୟସ ବଢ଼ିବା ସହ ବଦଳିଛି ସହରର ରୂପରେଖ, ବଦଳିଛି ପରିବେଶ। ମନ୍ଦିର ମାଳିନୀରୁ ସ୍ମାର୍ଟ ସିଟି । ଏକାମ୍ର କ୍ଷେତ୍ରରୁ ରାଜ୍ୟର ରାଜଧାନୀ।ଆଜି ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ। ୭୮ ବର୍ଷରେ ପାଦ ଥାପିଛି ଭୁବନେଶ୍ୱର।ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ । ରାସ୍ତାଘାଟଠୁ ନେଇ ଆଲୋକୀକରଣ, ବିଶ୍ୱସ୍ତରୀୟ ନେଟଓ୍ୱର୍କ, ଲୋକଙ୍କ ଜୀବନଶୈଳୀ। ସବୁକିଛି ବଦଳିଛି ଏହି ୭୮ ବର୍ଷ ମଧ୍ୟରେ ।

ଆମେ ସମସ୍ତେ ଜାଣିଛେ ୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନୋହର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର "ଅଟୋ କଏନ୍ସବର୍ଗର" । ୧୯୪୮ ମସିହା ଏପ୍ରିଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ସ୍ଥାପନ କରିଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ।

କିନ୍ତୁ ଏହି ସହରର ଇତିହାସ ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି । ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ। ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ । ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି ।

ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ । ଦେଶ ସ୍ୱାଧୀନ ହେବାର ପରବର୍ଷ, ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା । ଭୁବନେଶ୍ୱର ଏବଂ କଟକ ଏକାସାଙ୍ଗେ ଓଡ଼ିଶାର ଟ୍ୱିନ ସିଟି ଭାବେ ଜଣାଶୁଣା ।

୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର "ଅଟୋ କଏନ୍ସବର୍ଗର" । ୧୯୪୮ ମସିହା ଅପ୍ରେଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା । ସେହି ପ୍ରତିଷ୍ଠା ଫଳକଟି ବର୍ତ୍ତମାନ ବିଧାନ ସଭା ସନ୍ନିକଟ ପାଚେରୀ ନିକଟରେ ଲାଗିଛି । ୧୯୪୮ରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖ ଦିନ, "ଭୁବନେଶ୍ୱର ପ୍ରତିଷ୍ଠା ଦିବସ" ଭାବରେ ପାଳନ କରାଯାଏ ।ସେତେବେଳେ ପ୍ରସ୍ତୁତ କରାଯାଇଥିବା ନକ୍ସା ଅନୁଯାୟୀ, ପ୍ରଥମ ଦଶ ବର୍ଷ ମଧ୍ୟରେ ଭୁବନେଶ୍ୱର ଜନସଂଖ୍ୟା ପନ୍ଦର ହଜାରରୁ ବଢ଼ି ଚାଳିଶ ହଜାର ଓ ସହରର କ୍ଷେତ୍ରଫଳ ଶହେ ବତିଶ ବର୍ଗ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲା ।

ଭୁବନେଶ୍ୱରରେ ଛଅଟି ୟୁନିଟ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ବିଜ୍ଞାପିତ ଅଞ୍ଚଳ ହେବା ମଧ୍ୟ ସେହି ନକ୍ସାରେ ଥିଲା । ଏହି ଯୋଜନାକୁ "ଓଡ଼ିଶା ସହର ଯୋଜନା ଆଇନ" ୧୯୫୬ ଅନୁସାରେ କାର୍ଯ୍ୟକାରି କରାଗଲା । ଭୁବନେଶ୍ୱର ପାଇଁ ଜଣେ "ବିଶେଷ ଯୋଜନା ଅଧିକାରୀ"ଙ୍କୁ ନିଯୁକ୍ତ କରାଗଲା । ଜନସଂଖ୍ୟା ବୃଦ୍ଧି ସହ ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମୁନିସିପାଲିଟି ଗଠନ କରାଗଲା । ପରେ ଭୁବନେଶ୍ୱର ମୁନିସିପାଲିଟି ସହ ଖୋର୍ଦ୍ଧା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ "ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା(ବ୍ରିଟ)" ଗଠନ କରାଗଲା । ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମୁନିସିପାଲ କର୍ପୋରେସନ ଓ ସନ୍ନିକଟ ଗାଁଗୁଡିକୁ ନେଇ ଭୁବନେଶ୍ୱର ଉନ୍ନୟନ ସଂସ୍ଥା (ବିଡିଏ) ଗଠନ କରାଗଲା । ଜର୍ମାନ ଆର୍କିଟେକ ଓଟୋ କନିଙ୍ଗ୍ସବର୍ଜରଙ୍କ ପରିକଳ୍ପିତ ଏହି ସହର ହେଉଛି ଭାରତର ପ୍ରଥମ ପରିକଳ୍ପିତ ସହର । ଜାମସେଦପୁର ଏବଂ ଚଣ୍ଡୀଗଡ଼ ସହର ମଧ୍ୟ ଏହି ଢାଞ୍ଚାରେ ନିର୍ମିତ ହୋଇଛି ।

ଐତିହ୍ୟ ସହର ଭାବେ ପରିଚିତ ଭୁବନେଶ୍ୱର ଏବେ ଅତ୍ୟାଧୁନିକ । ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ପୋଟର୍ସର ହବ୍ ଭାବେ ବି ବେଶ ପରିଚିତ। ରୋଜଗାର ପାଇଁ ବି ଅନେକ ଲୋକଙ୍କ ପ୍ରଥମ ଚଏସ ପାଲଟିଛି ଭୁବନେଶ୍ୱର। ବହୁ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇଛି ରାଜଧାନୀ। ଟେମ୍ପଲ୍ ସିଟିରୁ ସ୍ମାର୍ଟ ସିଟି, ଆଗକୁ ହେବ ହାଇଟେକ୍ ସିଟି। ପୁଣି ସାକାର ହେବ ମେଟ୍ରୋ ସିଟିର ସ୍ୱପ୍ନ।

ବିଧାନସଭା ସୌଧ ସମ୍ମୁଖରେ ଥିବା ଏହି ଶିଳାନ୍ୟାସ ଫଳକ ସମ୍ମୁଖରେ ଆୟୋଜିତ ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ସାମିଲ ହେବେ ଓଡ଼ିଶା ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଏବଂ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପରେଡ୍ ଆୟୋଜିତ ହେବ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି ।