ନୂଆଦିଲ୍ଲୀ: "3 idiots" ଫିଲ୍ମର ସିକ୍ୱେଲକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଏହି ଫିଲ୍ମର ଦ୍ୱିତୀୟ ଭାଗକୁ ନେଇ ଯେଉଁ ଖବର ସାମନାକୁ ଆସୁଛି, ତାହା ଦର୍ଶକଙ୍କୁ ଖୁସି କରିବ । ମିଡିଆ ରିପୋର୍ଟ ଅନୁଯାୟୀ, ରାଜକୁମାର ହିରାନୀ ୧୫ ବର୍ଷ ପରେ ଏହି ଫିଲ୍ମର ସିକ୍ୱେଲ୍ ପ୍ରସ୍ତୁତ କରୁଛନ୍ତି । ଏହା ନିଶ୍ଚିତ ଭାବରେ ସେହି ଦର୍ଶକଙ୍କ ପାଇଁ ଖାସ୍, ଯେଉଁମାନେ "ଥ୍ରୀ ଇଡିଅଟ୍ସ"ର ସିକ୍ୱେଲକୁ ଚାହିଁ ରହିଛନ୍ତି ।

ଏହି ଫିଲ୍ମଟି ତିନି ଜଣ ଇଞ୍ଜିନିୟରଙ୍କ କାହାଣୀ ଉପରେ ଆଧାରିତ । ଆମିର ଖାନ, ଆର.ମାଧବନ ଏବଂ ଶର୍ମନ ଯୋଶୀ ଏହି ଫିଲ୍ମରେ ଅଭିନୟ କରିଥିଲେ । କରୀନା କପୁର ଖାନ ମଧ୍ୟ ଏକ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ପିଙ୍କଭିଲାର ଏକ ରିପୋର୍ଟ ଅନୁଯାୟୀ, ରାଜକୁମାର ହିରାନୀ "3 idiots 2" ରିଲିଜ୍ କରିବାକୁ ଯୋଜନା କରୁଛନ୍ତି । ସ୍କ୍ରିପ୍ଟ ଶେଷ ହୋଇଯାଇଛି । ସିକ୍ୱେଲ ପାଇଁ ପୂରା ଟିମ୍ ଉତ୍ସାହିତ ଅଛି ।

ରିପୋର୍ଟ ଅନୁଯାୟୀ, ଏହି ସିକ୍ୱେଲ୍ ପ୍ରଥମ ଭାଗ ପରି ଯାଦୁକରୀ ହେବ । ଦର୍ଶକ ଦ୍ୱିତୀୟ ପାର୍ଟରେ ଭାବପ୍ରବଣତା ଏବଂ କମେଡି ସହିତ ଏକ ସୁନ୍ଦର ମେସେଜ ମଧ୍ୟ ପାଇବେ । ଆମିର ଖାନ, ମାଧବନ ଏବଂ ଶର୍ମନ ଯୋଶୀଙ୍କ ବ୍ୟତୀତ, କରୀନା କପୁର ମଧ୍ୟ ଦ୍ୱିତୀୟ ଭାଗରେ ଦେଖାଯାଇପାରନ୍ତି । ୧୫ ବର୍ଷ ପରେ, ଆମିର ଖାନ ଏବଂ କରୀନା କପୁର ପୁଣିଥରେ ବଡ଼ ପରଦାରେ ଏକାଠି ନଜର ଆସିବେ । ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ତେବେ ନିର୍ମାତାଙ୍କ ଦ୍ୱାରା ବର୍ତ୍ତମାନ କୌଣସି ସ୍ପଷ୍ଟ କରାଯାଇ ନାହିଁ ।

"3 idiots" ନିର୍ଦ୍ଦେଶକ ରାଜକୁମାର ହିରାନୀ ଦୀର୍ଘ ସମୟ ଧରି ଏହି ସିକ୍ୱେଲ୍ ଉପରେ ବିଚାର କରୁଛନ୍ତି । ପରେ ସେ ଦାଦା ସାହେବ ଫାଲକେଙ୍କ ଉପରେ ବାୟୋପିକ୍ ଯୋଜନା କରିବା ଆରମ୍ଭ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ବାୟୋପିକକୁ ସମୟିକ ଭାବେ ବନ୍ଦ ରଖିଛନ୍ତି ଏବଂ ଏବେ "3 idiots 2" ଉପରେ କାମ କରୁଛନ୍ତି ।