ଭୁବନେଶ୍ବର: ବାଲେଶ୍ବର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଛୁଆ ମିଳିବା ପରେ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି । ଏବେ ଏହି ୫ ଛୁଆ ଓରାଙ୍ଗଉଟାନଙ୍କୁ ନନ୍ଦନକାନନରେ ରଖାଯାଇଛି ଏବଂ ସେମାନଙ୍କ ଯତ୍ନ ନିଆଯାଉଛି । ସେପଟେ ଓରାଙ୍ଗଉଟାନଙ୍କୁ ଓଡ଼ିଶା କିଏ ଆଣିଲା, ଏବଂ ଏଥିରେ ପଶୁ ଚାଲାଣକାରୀ ରାକେଟ ସଂପର୍କରେ ତଦନ୍ତ ଜାରି ରହିଛି । ଏପରିକି ଡିଏନଏ ଟେଷ୍ଟ ଜରିଆରେ ଅପରାଧୀଙ୍କ ସୁରାକ ପାଇବାକୁ ପ୍ରୟାସ ବି ଚାଲିଛି । ସବୁଠାରୁ ବଡ଼ କଥା ହେଉଛି, ଓରାଙ୍ଗଉଟାନ ମୁଖ୍ୟତଃ ବୋର୍ନିଓ ଏବଂ ସୁମାତ୍ରାରେ ଦେଖାଯାଆନ୍ତି  । ଏ​‌ତେ ଦୂରରୁ ଓରାଙ୍ଗଉଟାନ ଓଡ଼ିଶାରେ କେମିତି ପହଞ୍ଚିଲେ ତାକୁ ନେଇ ସସପେନ୍ସ ଜାରି ରହିଛି । ତେବେ ଓରାଙ୍ଗଉଟାନ ଉଦ୍ଧାର ହେବା ପରେ, ଏବେ ସମସ୍ତେ ଏହି ପ୍ରାଣୀ ବିଷୟରେ ଅଧିକ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଓରାଙ୍ଗଉଟାନ ବହୁତ ବୁଦ୍ଧିମାନ ଏବଂ ମଣିଷ ଭଳି ସେମାନେ ନିଜ ପିଲକୁ ଖୁବ ଭଲ ପାଆନ୍ତି ଏବଂ ଯତ୍ନର ସହ ବଡ଼ କରନ୍ତି ।