ଭୁବନେଶ୍ବର: ବାଲେଶ୍ବର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଛୁଆ ମିଳିବା ପରେ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି । ଏବେ ଏହି ୫ ଛୁଆ ଓରାଙ୍ଗଉଟାନଙ୍କୁ ନନ୍ଦନକାନନରେ ରଖାଯାଇଛି ଏବଂ ସେମାନଙ୍କ ଯତ୍ନ ନିଆଯାଉଛି । ସେପଟେ ଓରାଙ୍ଗଉଟାନଙ୍କୁ ଓଡ଼ିଶା କିଏ ଆଣିଲା, ଏବଂ ଏଥିରେ ପଶୁ ଚାଲାଣକାରୀ ରାକେଟ ସଂପର୍କରେ ତଦନ୍ତ ଜାରି ରହିଛି । ଏପରିକି ଡିଏନଏ ଟେଷ୍ଟ ଜରିଆରେ ଅପରାଧୀଙ୍କ ସୁରାକ ପାଇବାକୁ ପ୍ରୟାସ ବି ଚାଲିଛି । ସବୁଠାରୁ ବଡ଼ କଥା ହେଉଛି, ଓରାଙ୍ଗଉଟାନ ମୁଖ୍ୟତଃ ବୋର୍ନିଓ ଏବଂ ସୁମାତ୍ରାରେ ଦେଖାଯାଆନ୍ତି  । ଏ​‌ତେ ଦୂରରୁ ଓରାଙ୍ଗଉଟାନ ଓଡ଼ିଶାରେ କେମିତି ପହଞ୍ଚିଲେ ତାକୁ ନେଇ ସସପେନ୍ସ ଜାରି ରହିଛି । ତେବେ ଓରାଙ୍ଗଉଟାନ ଉଦ୍ଧାର ହେବା ପରେ, ଏବେ ସମସ୍ତେ ଏହି ପ୍ରାଣୀ ବିଷୟରେ ଅଧିକ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଓରାଙ୍ଗଉଟାନ ବହୁତ ବୁଦ୍ଧିମାନ ଏବଂ ମଣିଷ ଭଳି ସେମାନେ ନିଜ ପିଲକୁ ଖୁବ ଭଲ ପାଆନ୍ତି ଏବଂ ଯତ୍ନର ସହ ବଡ଼ କରନ୍ତି । 

​​​​​​​

ୱାର୍ଲ୍ଡ ଆନିମଲ୍ ପ୍ରୋଟେକ୍ସନ୍' ଦ୍ୱାରା ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ, ‘ଜଙ୍ଗଲର ମଣିଷ’ ଭାବରେ ଜଣାଶୁଣା ଓରାଙ୍ଗଉଟାନ୍ ଖୁବ ଚତୁର । ଏହି ପ୍ରଜାତିରେ ମାଆ-ଛୁଆଙ୍କ ସମ୍ପର୍କ ସମଗ୍ର ପ୍ରାଣୀ ଜଗତରେ ସବୁଠାରୁ ଆତ୍ମୀୟ ଓ ନିବିଡ଼। ମଣିଷକୁ ଛାଡ଼ିଦେଲେ ଅନ୍ୟ କୌଣସି ସ୍ତନ୍ୟପାୟୀ ପ୍ରାଣୀଙ୍କ ମଧ୍ୟରେ ଏତେ ଦୀର୍ଘ ଦିନର ମାତୃସ୍ନେହ ଓ ଯତ୍ନ ଦେଖିବାକୁ ମିଳେନାହିଁ। ମାଈ ଓରାଙ୍ଗଉଟାନ୍‌ ଏକାକୀ ନିଜ ଛୁଆଙ୍କୁ ପାଳିଥାଏ । ସେମାନେ ପ୍ରାୟ ୭ ରୁ ୮ ବର୍ଷ ପର୍ଯ୍ୟନ୍ତ ଛୁଆଙ୍କୁ ନିଜ କ୍ଷୀର ପିଆଇଥାନ୍ତି ଏବଂ ସେତିକି ଦିନ ଗୋଟିଏ ବସାରେ ଏକାଠି ରୁହନ୍ତି।

ମାଆମାନେ ନିଜ ଛୁଆଙ୍କୁ ଜଙ୍ଗଲରେ ଖାଦ୍ୟ ଖୋଜିବା, ଉପଯୁକ୍ତ ଫଳ ବାଛିବା ଏବଂ ଗଛରେ ବସା ବାନ୍ଧିବା ଶିଖାନ୍ତି।  ଚିନ୍ତାଗ୍ରସ୍ତ ବା ସାବଧାନ ରହୁଥିବା ମାଆଙ୍କ ଛୁଆମାନେ ସାବଧାନ ହୋଇଥାନ୍ତି, ଯେତେବେଳେ କି ସାହସୀ ମାଆଙ୍କ ଛୁଆମାନେ ଅଧିକ ନିର୍ଭୀକ ଓ ଅନୁସନ୍ଧାନୀ ହୋଇଥାନ୍ତି। ଅଣ୍ଡିରା ଓରାଙ୍ଗଉଟାନ୍‌ ପରିବାର କିମ୍ବା ଛୁଆର ପାଳନପୋଷଣରେ କୌଣସି ଭୂମିକା ଗ୍ରହଣ କରେନାହିଁ ।
ସେମାନେ ମୁଖ୍ୟତଃ ଏକାକୀ ରୁହନ୍ତି। ଗଛ ଉପରୁ ସେମାନଙ୍କର ତୀବ୍ର ଡାକ (Long Calls) ୧ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଏ, ଯାହା ମାଧ୍ୟମରେ ସେମାନେ ନିଜର ଉପସ୍ଥିତି ଓ ଗତିପଥ ସମ୍ପର୍କରେ ଅନ୍ୟମାନଙ୍କୁ ସୂଚନା ଦିଅନ୍ତି।

ବଡ଼ ହେବା ପ୍ରକ୍ରିୟାରେ ଶିଶୁ ଓରାଙ୍ଗଉଟାନ୍‌ ପ୍ରାୟ ୨୦୦ରୁ ଅଧିକ ପ୍ରକାରର ଖାଦ୍ୟ ଚିହ୍ନିବା ଶିଖନ୍ତି। ଏପରିକି ଗଛ ଗୁମ୍ଫାରୁ ମହୁ ଓ ପୋକ ବାହାର କରିବା ପାଇଁ ସେମାନେ ବାଡ଼ିର ବ୍ୟବହାର କରିବା ଶିଖନ୍ତି।  ୫ ରୁ ୬ ବର୍ଷ ବୟସରେ ସେମାନେ ନିଜେ ବୁଲାବୁଲି କରନ୍ତି, କିନ୍ତୁ ୭-୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ମାଆ ସହ ରୁହନ୍ତି। ମାଈ ଛୁଆ (ଝିଅ) ମାନେ ବଡ଼ ହେବା ପରେ ବି (୧୫-୧୬ ବର୍ଷ ପର୍ଯ୍ୟନ୍ତ) ନିଜ ମାଆକୁ ଭେଟିବାକୁ ଆସନ୍ତି।

ସଙ୍କଟରେ ଓରାଙ୍ଗଉଟାନ୍ ପରିବାର
ଜଙ୍ଗଲ ନଷ୍ଟ ଏବଂ ଚୋରା ଚାଲାଣ ହେବା ଯୋଗୁଁ ଏହି ପ୍ରାଣୀଙ୍କ ପରିବାର ଭାଙ୍ଗିଯାଉଛି। ଶିକାରୀମାନେ ଶିଶୁ ଓରାଙ୍ଗଉଟାନକୁ ଧରିବା ପାଇଁ ପ୍ରାୟତଃ ସେମାନଙ୍କ ମାଆଙ୍କୁ ହତ୍ୟା କରିଥାନ୍ତି। ଗୋଟିଏ ମାଈ ଓରାଙ୍ଗଉଟାନ୍ ୭ ରୁ ୮ ବର୍ଷରେ ଥରେ ମାତ୍ର ଛୁଆ ଜନ୍ମ ଦେଇଥାଏ। ତା’ର ସମ୍ପୂର୍ଣ୍ଣ ଆୟୁଷ (ପ୍ରାୟ ୫୦ ବର୍ଷ) ମଧ୍ୟରେ ସେ ମାତ୍ର ୪ ରୁ ୫ଟି ଛୁଆ ଜନ୍ମ ଦେଇପାରେ। ଏହି କାରଣରୁ ସେମାନଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଛି। ବର୍ତ୍ତମାନ ଓରଙ୍ଗଉଟାନର ତିନୋଟିଯାକ ପ୍ରଜାତି ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ରହିଛି ।