ନ୍ୟୁୟର୍କ,୯|୦୬ଡୋନାଲ୍ଡ ଟ୍ରମ୍ପଙ୍କୁ ଜୋରଦାର ଝଟକା । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅଦାଲତରୁ ବଡ ଝଟକା ମିଳିଛି । ଏଚ୍-ଓ୍ୱାନ୍ ବି ଭିସା ମାମଲାରେ କୋର୍ଟ ଟ୍ରମ୍ପଙ୍କ ଏକ ନିଷ୍ପତ୍ତିକୁ ରବ୍ଦ କରିଦେଇଛନ୍ତି । ଯେଉଁଥିରେ ୟୁଏସ୍ ରାଷ୍ଟ୍ରପତି ନୂଆ ଭିସା ଆବେଦନ ଉପରେ ୧ ଲକ୍ଷ ଡଲାରର ଅତିରିକ୍ତ ଶୁଳ୍କ ଲଗାଇବାକୁ ଯୋଜନା କରିଥିଲେ ।

କୋର୍ଟ ଏହି ନିଷ୍ପତ୍ତିକୁ ବେଆଇନ କହିଛନ୍ତି । ଏହାସହ କହିଛନ୍ତି ଯେ, ସରକାରଙ୍କ ପାଖରେ ଏତେ ବଡ ଶୁଳ୍କ ଲଗାଇବା ପାଇଁ ଅଧିକାର ନାହିଁ । ମାସାଚ୍ୟୁଟସର ବୋଷ୍ଟନ୍ ସ୍ଥିତ ଜିଲ୍ଲା କୋର୍ଟର ମୁଖ୍ୟ ନ୍ୟାୟାଧିଶ ଏହି ରାୟ ଦେଇଛନ୍ତି ।

ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ୨୦ଟି ଡେମୋକ୍ରାଟିକ୍ ରାଜ୍ୟର ଆଟର୍ଣ୍ଣି ଜେନେରାଲ ମାମଲା ଦାଖଲ କରିଥିଲେ । ଟ୍ରମ୍ପ୍ ସରକାର ଗତବର୍ଷ ସେପ୍ଟେମ୍ବରରେ ଇମିଗ୍ରେସନ ନିୟମକୁ କଡାକଡି କରିବା ସହ ଏଚ-ଓ୍ୱାନ୍ ବି ଭିସା ଆବେଦନ ନିୟମରେ ପରିବର୍ତ୍ତନ କରିଥିଲେ । ଏହି ଭିସାକୁ ଆମେରିକାର ବିଭିନ୍ନ କମ୍ପାନୀ ଅନ୍ୟ ଦେଶର କୁଶଳୀ କର୍ମଚାରୀଙ୍କୁ ନିଜ କମ୍ପାନୀରେ ନିଯୁକ୍ତ କରିବା ପାଇଁ ବ୍ୟବହାର କରିଥାନ୍ତି ।

ପୂର୍ବରୁ ଏଚ୍-1ବି ଭିସା ପାଇଁ ଆବେଦନ ଶୁଳ୍କ ୨ ହଜାରରୁ ୪ ହଜାର ଡଲାର ମଧ୍ୟରେ ଥିଲା । କିଛି ବଡ କମ୍ପାନୀ ପାଇଁ ଆବେଦନ ଅର୍ଥ ସାମାନ୍ୟ ଅଧିକ ଥିଲା । କିନ୍ତୁ ଟ୍ରମ୍ପ୍ ପ୍ରଶାସନ ଏଥିରେ ୨୫ରୁ ୫୦ ଗୁଣ ବୃଦ୍ଧି କରି ୧ ଲକ୍ଷ ଡଲାର କରିଥିଲେ । ଯାହା ଭାରତୀୟ ଆଇଟି କର୍ମଚାରୀଙ୍କ ଉପରେ ପ୍ରଭାବ ପକାଇବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା ।

ଏଚ୍-୧ ବି ଭିସା ସମ୍ଭନ୍ଧୀୟ ସମସ୍ତ ଶୁଳ୍କ ସାଧାରଣତଃ କମ୍ପାନୀମାନେ ଖର୍ଚ୍ଚ କରିଥାନ୍ତି । ଆବେଦନକାରୀ ଏକଥାକୁ ନେଇ କୋର୍ଟରେ ଯୁକ୍ତି କରିଥିଲେ ଯେ, ଟ୍ରମ୍ପ୍ ପ୍ରଶାସନ ପାଖରେ ଏତେ ମାତ୍ରାରେ ଅତିରିକ୍ତ ଶୁଳ୍କ ଲଗାଇବା ପାଇଁ ଅଧିକାର ନାହିଁ । କୋର୍ଟ ମଧ୍ୟ ସେମାନଙ୍କ ଦ୍ୱାରା ଦାଖଲ ଦସ୍ତାବିଜରେ ସହମତି ପ୍ରକାଶ କରିଥିଲେ । ତେବେ କୋର୍ଟଙ୍କ ନିଷ୍ପତ୍ତି ଟ୍ରମ୍ପ୍ ପ୍ରଶାସନ ପାଇଁ ଭିସା ମାମଲାରେ ବଡ ପରାଜୟ ବୋଲି କୁହାଯାଉଛି ।