କାମାକ୍ଷାନଗର ୨୩।୦୪ : ମାଡ଼ ମାରିଲେ, ବନ୍ଧା ହେଲେ.. ଆଉ ଏବେ ଜେଲ୍ ଗଲେ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନନ୍ତପୁର ସାହିରେ ୪ ଜଣ ଜନଗଣନା ଅଧିକାରୀଙ୍କୁ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳି କରିବା ଏବଂ ଗାଡ଼ି ଭାଙ୍ଗିବା ଘଟଣାରେ ଆକ୍ସନ ନେଇଛି ପୋଲିସ। ବାପା ନିକୁଞ୍ଜ ରମଣ ଶତପଥୀ, ଦୁଇ ପୁଅ ଉଦିତ୍ ସ୍ୱପ୍ନ ଶତପଥୀ, ଭାନୁପ୍ରକାଶ ଶତପଥୀଙ୍କୁ କୋର୍ଟ ଚାଲାଣ କରିଛି କାମାକ୍ଷାନଗର ପୋଲିସ ।

ଖବର ଅନୁଯାୟୀ, ବୁଧବାର ସକାଳେ ସମ୍ପୃକ୍ତ ୪ ଜନଗଣନା ଅଧିକାରୀ ନିକୁଞ୍ଜ ରମଣ ଶତପଥୀଙ୍କ ଘରେ ପହଞ୍ଚିଥିଲେ। ଜନଗଣନା ଅଧିକାରୀମାନଙ୍କୁ ଦେଖି ନିକୁଞ୍ଜଙ୍କ ପରିବାର ସଦସ୍ୟ ଉତ୍କିପ୍ତ ହୋଇପଡି଼ଥିଲେ । କୌଣସି କଥା ନ ଶୁଣି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏଥିରେ ୨ ମହିଳା କର୍ମଚାରୀଙ୍କ ସମେତ ୪ ଜଣ ଗୁରୁତର ହୋଇଥିଲେ। ଏପିରିକି ଅଭିଯୁକ୍ତମାନେ ପଥର ଧରି ମାରିବାକୁ ଗୋଡ଼ାଇଥିଲେ । ଯାହାଫଳରେ ସେମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ସେତିକିରେ ସେମାନଙ୍କ ରାଗ ଶାନ୍ତ ହୋଇନଥିଲା। କର୍ମଚାରୀମାନେ ଆସିଥିବା ସ୍କୁଟର ଓ ବାଇକକୁ ପିଟି ଭାଙ୍ଗି ଦେଇଥିଲେ ଘର ମାଲିକ। ଆକ୍ରମଣରେ ସୁପରଭାଇଜର ମଧୁସ୍ମିତାଙ୍କ ମୁହଁ ଫୁଲି ଯାଇଛି। ଇନ୍ଚାର୍ଜ ରଘୁନାଥଙ୍କର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।

Also Read:-ପଶ୍ଚିମବଙ୍ଗରେ ଭୋଟ୍ ବେଳେ ସଂଘର୍ଷ, ପାର୍ଟି ମୁଖ୍ୟଙ୍କୁ ଭିଡିନେଲେ ଉତ୍ତ୍ୟକ୍ତ ଲୋକେ, ସୁରକ୍ଷାକର୍ମୀ

ସେପଟେ ଘଟଣା ସଂପର୍କରେ ସୂଚନା ପାଇ କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଏକ, ଏସ୍ଡିପିଓ ରଜନୀକାନ୍ତ ସାମଲ, ତହସିଲ୍ଦାର ଶୁଭଙ୍କର ମହାନ୍ତି, ଥାନାଧିକାରୀ ଜିତେନ୍ଦ୍ର ମଲ୍ଲିକ ପହଞ୍ଚିଥିଲେ। ଆକ୍ରମଣକାରୀମାନେ ଅଧିକାରୀଙ୍କୁ ମଧ୍ୟ ଛାଡ଼ିନଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ ଯାହାର ଭିଡିଓ ଭାଇରାଲ ହୋଇଛି। ପୋଲିସ୍ ଘଟଣାର ତଦନ୍ତ କରି ଆକ୍ରମଣକାରୀ ବାପା ଓ ଦୁଇ ପୁଅଙ୍କୁ ଗିରଫ ପାଇଁ ଉଦ୍ୟମ ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ପୋଲିସ୍ ୩ ଅଭିଯୁକ୍ତଙ୍କୁ ପୋଲିସ୍ କାବୁ କରିଥିଲା। ସରକାରୀ କାର୍ଯ୍ୟରେ ବାଧା, କର୍ମଚାରୀଙ୍କୁ ଆକ୍ରମଣ ଭଳି ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ କରି ତିନି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିଲା । ଜାମିନ୍ ନାମଞ୍ଜୁର ପରେ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।