ମାଥିଲି, ୨୫/୦୯ : ବନ୍ୟା ଘେରରୁ ଉଦ୍ଧାର ହେଲେ ପରିବାର ଲୋକେ । ଗଭୀର ଅବପାତ ଜନିତ ବର୍ଷା ପାଇଁ ମାଡ଼ି ଆସିଲା ପାଣି । ଫସି ରହିଗଲେ ପରିବାର ଲୋକେ । ଶେଷରେ ସେମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ରିପୋର୍ଟ ଅନୁସାରେ, ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଗାଙ୍ଗରାଜଗୁମ୍ମା ଗ୍ରାମରେ ବନ୍ୟା ଘେରରେ ଫସିଥିବା ପରିବାରକୁ ଉଦ୍ଧାର କରାଯାଇଛି । ଏଥିରେ ପରିବାରର ଦୁଇ ଶିଶୁଙ୍କ ସହ ଦୁଇ ମହିଳା ଏବଂ ଦୁଇ ଜଣ ପୁରୁଷ ସମେତ ମୋଟ୍ ଛଅ ଜଣ ରହିଛନ୍ତି ।

ତେବେ ବାତ୍ୟାକୁ ଆଖିରେ ରଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଗାଙ୍ଗରାଜଗୁମ୍ମାର ଏହି ଏହି ଦ୍ୱୀପାଞ୍ଚଳରେ ରହୁଥିବା ସମସ୍ତ ପରିବାରକୁ ବାତ୍ୟା ପୂର୍ବରୁ ଆଶ୍ରୟସ୍ଥଳୀକୁ ଅଣାଯାଇଥିଲା । ତେବେ କୌଣସୀ କାରଣ ବଶତଃ ଗୋଟିଏ ପରିବାର ଘର ଛାଡିନଥିଲେ । ଅପରପକ୍ଷରେ ବର୍ଷା ବଢିବା ସହ ନଦୀରେ ଜଳସ୍ତର ବଢିବାକୁ ଲାଗିଥିଲା । ତେବେ ଅଘଟଣକୁ ଏଡାଇବାକୁ ପ୍ରଶାସନ ଉକ୍ତ ପରିବାର ବର୍ଗଙ୍କୁ ଫୋନ ଯୋଗେ ବୁଝାସୁଝା କରିଥିଲେ , ତାପରେ ପରିବାର ଆଶ୍ରୟସ୍ଥଳୀକୁ ଆସିବା ପାଇଁ ରାଜି ହୋଇଥିଲେ ।

ପୂର୍ବରୁ ପ୍ରସ୍ତୁତ ପାଓ୍ବାର ବୋଟ ସହ ଦମକଳ ବାହିନୀର ଏକ ଦଳ ଦ୍ୱୀପରେ ପହଁଚି ସମସ୍ତ ଛଅ ଜଣଙ୍କୁ ଲାଇଫ ଜ୍ୟାକେଟ ପିନ୍ଧାଇ ବୋଟରେ ବସାଇଥିଲେ । ଦୁଇ ଶିଶୁଙ୍କୁ ମଧ୍ୟ ଯତ୍ନର ସହ ଧରି ନଦୀ ପାରି କରାଇଥିଲେ । ସ୍ଥାନୀୟ ବିଡିଓ ପ୍ରମୋଦ ବେହେରା ଏବଂ ପିଇଓ ଅଶୋକ ମହାରଣା ପରିବାରକୁ ଉଦ୍ଧାର ପରେ ଥଇଥାନ ସହ ଆବଶ୍ୟକୀୟ ଖାଦ୍ୟ ତଥା ଅନ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି ।