ଭୁବନେଶ୍ୱର : ଏସ୍କର୍ଟ ସର୍ଭିସ୍ ୱେବ୍ସାଇଟ୍ରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ଗ୍ରାହକମାନଙ୍କୁ ପ୍ରଲୋଭିତ କରି ଡାକୁଥିଲେ ଆଉ ଲୁଟୁଥିଲେ। ଯେଉଁ ସୁନ୍ଦରୀ ଯୁବତୀଙ୍କ ଫଟୋକୁ ଡିପିରେ ବ୍ୟବହାର କରୁଥିଲେ ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଥାନା ଏତଲା ଦେଲା ପରେ ତମାଣ୍ଡୋ ଥାନା ପୁଲିସ୍ ଏହି ଗ୍ୟାଙ୍ଗର ଫର୍ଦ୍ଦାଫାସ୍ କରିଛି। ଜଣେ ଦେହଜୀବୀ ସହ ପୁଲିସ୍ ୩ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧାର ଉମାକାନ୍ତ ଦଳେଇ ଓରଫ ବାବୁନି ଓରଫ, ଓରଫ ସମ୍ବିତ ଓରଫ ପୁଅ, ଚିତ୍ତରଞ୍ଜନ ମହାନ୍ତି ଓରଫ ପେନୁ, ନୟାଗଡ଼ର ତୋଫାନ ପ୍ରଧାନ ଓ କଟକ ନିଆଳୀ କୁମାରୀ ମିଞ୍ଜି ଭୋଇ। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛନ୍ତି ସମ୍ବିତ। ସେ ବିଭିନ୍ନ ଏସ୍କର୍ଟ ସର୍ଭିସ୍ ୱେବ୍ସାଇଟ୍ରେ ସହ ଜଡ଼ିତ ଥିଲା। ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମ୍ରୁ ଯୁବତୀଙ୍କ ଫଟୋ ଆଣି ଏସ୍କର୍ଟ ସର୍ଭିସ୍ ୱେବ୍ସାଇଟ୍ରେ ବ୍ୟବହାର କରୁଥିଲା।

ଯେଉଁ ଯୁବତୀଙ୍କ ଫଟୋକୁ ସେ ବ୍ୟବହାର କରୁଥିଲା ତା' ତଳେ ନିଜର ଫୋନ୍ ନମ୍ବର ଦେଉଥିଲା । ଯୁବତୀଙ୍କ ସହ ସମୟ କାଟିଲେ ଘଣ୍ଟାକୁ କେତେ ? ଦିନକୁ କେତେ ? ୧୫ ଦିନକୁ କେତେ ଟଙ୍କା ଦେବାକୁ ପଡ଼ିବ ତାକୁ ଉଲ୍ଲେଖ କରୁଥିଲା ସମ୍ବିତ । ଚିତ୍ତରଞ୍ଜନ ଓ ତୋଫାନ ତାକୁ ସହଯୋଗ କରୁଥିଲେ । ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖି ଯେଉଁ ଗ୍ରାହକ ଆସୁଥିଲେ ସେମାନଙ୍କୁ ଏହି ୩ ଦଲାଲ୍ ବିଭିନ୍ନ ବାହାନା ଦେଖାଉଥିଲେ।

ସେ ଝିଅର ଦେହ ଖରାପ ଓ ଦୁର୍ଘଟଣା କଥା କହି ଗ୍ରାହକମାନଙ୍କୁ ବୁଝାଇ ଦେଉଥିଲେ। ଅଗ୍ରୀମ ଦେଇଥିବା ଗ୍ରାହକକୁ କୁମାରୀ ମିଞ୍ଜି ଓ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିବାକୁ କହୁଥିଲେ। ଯଦି କେହି ବିରୋଧ କରୁଥିଲା ତାକୁ ମାଡ଼ ମାରି ଲୁଟ୍ ପାଟ୍ କରୁଥିଲେ। ଲୋକଲଜ୍ଜା ଭୟରେ କେହି ଏତଲା ଦେଉ ନଥିଲେ।

ଗତ କିଛି ଦିନ ତଳେ କଳିଙ୍ଗ ନଗରରେ ରହୁଥିବା ଜଣେ ଯୁବତୀ ଜାଣିବାକୁ ପାଇଥିଲେ ତାଙ୍କର ଏକାଧିକ ଫଟୋ ଏସ୍କର୍ଟ ସର୍ଭିସ୍ ୱେବ୍ସାଇଟ୍ରେ ଅପ୍ଲୋଡ୍ ହୋଇଛି। ଘଣ୍ଟାକୁ ୫ ହଜାର ଟଙ୍କା ଲେଖା ଯାଇଛି। ପରେ ସେ ଏସ୍କର୍ଟ ସର୍ଭିସ୍ ୱେବ୍ସାଇଟ୍ ସର୍ଚ କରିଥିଲେ। ଦେଖିଥିଲେ ଗତ କିଛି ଦିନ ତଳେ ସେ ଯେଉଁ ଫଟୋ ଇନ୍ଷ୍ଟାଗ୍ରାମ୍ରେ ଅପ୍ଲୋଡ୍ କରିଥିଲେ ତାହା ସବୁ ଭକ୍ତ ୱେବ୍ସାଇଟ୍ ପଡ଼ିଛି।

ଅଭିଯୁକ୍ତଙ୍କ ଏଭଳି କାର୍ଯ୍ୟ କଳାପ ପାଇଁ ଅଭିଯୋଗକାରିଣୀଙ୍କ ସମ୍ମାନ, ମର୍ଯ୍ୟାଦା ଓ ଗୋପନୀୟତା କ୍ଷୁଣ୍ଣ ହୋଇଥିଲା। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ ଅଭିଯୁକ୍ତମାନେ ଅନେକ ଯୁବତୀଙ୍କ ଫଟୋକୁ ସେମାନଙ୍କ ବିନା ଅନୁମତିରେ ବ୍ୟବହାର କରି ଏସ୍କର୍ଟ ସେବା ଯୋଗାଇଦେବାର ପ୍ରଲୋଭନ ଦେଖାଇ ଅନ୍ଲାଇନ ପେମେଣ୍ଟ ମାଧ୍ୟମରେ ଟଙ୍କା ଆଦାୟ କରୁଛନ୍ତି। ଏମାନଙ୍କୁ ଗିରଫ କରିବା ପରେ ସ୍କ୍ରିନସଟ, ଚାଟ୍ ରେକର୍ଡ, ମୋବାଇଲ ନମ୍ବର, ୟୁପିଆଇ କାରବାର ସମ୍ବନ୍ଧୀୟ ତଥ୍ୟ ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ପୁଲିସ୍ ହାତରେ ଲାଗିଛି। ଏମାନେ ଅନ୍ଲାଇନ୍ରେ ସେକ୍ସ ମ୍ୟାକେଟ୍ ଚଳାଉଥିବା ପୁଲିସ୍ କହିଛି।

ସେମାନେ ନିରୀହ ମହିଳାମାନଙ୍କର ଫଟୋ ଓ ପରିଚୟକୁ ବିନା ଅନୁମତିରେ ବ୍ୟବହାର କରି ଏସ୍କର୍ଟ ସର୍ଭିସ ୱେବ୍ସାଇଟ୍ରେ ଅପ୍ଲୋଡ୍ କରୁଥିଲେ। ତା'ଛଡା ବିଭିନ୍ନ ସୋସିଆଲ ମିଡିଆରେ ଉକ୍ତ ଫଟୋକୁ ଡିପି ରଖି ପୌଢ଼ ଓ ଯୁବକଙ୍କ ସହ ଅନ୍ଲାଇନ୍ରେ ନକଲି ପ୍ରେମ ସମ୍ପର୍କ ରଖୁଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।