କଚ୍ଛ ୨୮।୧୨: ଗୁଜରାଟ କଚ୍ଛ କ୍ଷେତ୍ରରେ ପୁଣି ଥରେ ପ୍ରକୋପ କରିଛି ପ୍ରକୃତି। ୨୬ ଡିସେମ୍ବର ଶୁକ୍ରବାର ପ୍ରତ୍ୟୁଷରେ ଯେତେବେଳେ ସାରା ଦେଶ ସୁପ୍ତ ଥିଲା ଅଚାନକ ମାଟି କମ୍ପିବାକୁ ଲାଗିଥିଲା। ରିକ୍ଟର ସ୍କେଲରେ ଏହି କମ୍ପନର ତୀବ୍ରତା ୪.୬ ଥିଲା। ଏଥି ଯୋଗୁ ସେପରି ବଡ଼ ଧରଣର କୌଣସି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ୨୦୦୧ର ସେହି ଭୟାନକ ଭୂମିକମ୍ପ ସ୍ମୃତିକୁ ତାଜା କରିଦେଇଛି। ଶୁକ୍ରବାର ସକାଳର କମ୍ପନ ପରେ ଏ ପର୍ଯ୍ୟନ୍ତ ୨୩ଥର ପରବର୍ତ୍ତି କମ୍ପନ ଅନୁଭୂତ ହେଲାଣି।

ଏବେ ଭୂମିକମ୍ପ ଚିନ୍ତାର କାରଣ ନୁହେଁ ବରଂ ଏହା ପରେ ମାଟି ତଳେ ହେଉଥିବା ପରିବର୍ତ୍ତନ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ କଚ୍ଛ ତଳେ ଏପରି ୩ଟି ଫଲ୍ଟ ଲାଇନ ସକ୍ରିୟ ହୋଇଯାଇଛି ଯାହା କୌଣସି ମୁହୂର୍ତ୍ତରେ ବଡ଼ ବିନାଶକୁ ଡାକିଆଣିପାରେ। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଶୁକ୍ରବାର ଭୋର ଭୂମିକମ୍ପ ପରେ ଏପର୍ଯ୍ୟନ୍ତ ୨୩ ଥର ‘ଆଫ୍ଟର ସକ୍‘ ବା ପରବର୍ତ୍ତି କମ୍ପନ ହେଲାଣି। ଏହି କମ୍ପନ ନର୍ଥ ୱାଗଡ ଫଲ୍ଟରୁ ସୃଷ୍ଟି ହେଉଛି, ଯାହାକୁ ଅଞ୍ଚଳର ସକ୍ରିୟ ଭାଗ ମନେ କରାଯାଏ।

ବୈଜ୍ଞାନିକଙ୍କ କହିବା କଥା ହେଉଛି ଏହି କମ୍ପନ ମାଟି ତଳେ ହେଉଥିବା ପରିବର୍ତ୍ତନ ଆଡକୁ ଇଶାରା କରୁଛି। ତେବେ ଆଶ୍ୱସ୍ତିର କଥା ଯାହା ଏହି ଛୋଟଛୋଟ କମ୍ପନ ଯୋଗୁ ମାଟି ତଳେ ଜମି ଥିବା ଶକ୍ତି ଧିରେ ଧିରେ ବାହାରକୁ ବାହାରି ଆସୁଛି। ଏଣୁ ନିକଟ ଭବିଷ୍ୟତରେ ସେପରି ବଡ଼ ଧରଣର ଭୂମିକମ୍ପ ବିପଦ ନାହିଁ ବୋଲି ଅନୁମାନ କରାଯାଉଛି। ହେଲେ ଏପରି ହେବନି ବୋଲି ମଧ୍ୟ ଶତ ପ୍ରତିଶତ ଗ୍ୟାରେଣ୍ଟି ଦେଇ ହେବନି ବୋଲି ବୈଜ୍ଞାନିକ କହୁଛନ୍ତି।

କଚ୍ଛ ୟୁନିଭର୍ସିଟିର ଜିଓ ସାଇନ୍ସ ବିଭାଗ ପ୍ରଫେସର ଗୌରବ ଚୌହାନଙ୍କ ଅନୁସାରେ ଏଥରର ମାମଲା ପୂର୍ବ ମାମଲା ଠାରୁ ଭିନ୍ନ। କଛ ୧୦ରୁ ଅଧିକ ଫଲ୍ଟ ଲାଇନ ଉପରେ ଅବସ୍ଥିତ ଏକ ଅଞ୍ଚଳ। ହେଲେ ଏବେକା ତଥ୍ୟରୁ ଜଣାପଡୁଛି କଥରୋଲ ହିଲ, ଗୋରା ଡୋଙ୍ଗର ଓ ନର୍ଥ ୱାଗଡ ଫଲ୍ଟ ଲାଇନ ଏକାଠି ସକ୍ରିୟ ହୋଇଛି। ୨୦୨୫ ବର୍ଷ ଆରମ୍ଭରୁ ଏହି ୩ ଲାଇନରେ ହଲଚଲ ଦେଖାଯାଇ ଆସୁଛି, ଯାହା ଏକ ଗୁରୁତର ସଂକେତ ହୋଇ ପାରେ। ଏହି ଫଲ୍ଟ ଲାଇନମାନଙ୍କରେ ଏତେ ଶକ୍ତି ରହିଛି ଯେ ଏଥିରେ ଯଦି କୌଣସି ବଡ଼ ପରିବର୍ତ୍ତନ ହୁଏ ଏହାର ପ୍ରଭାବ କେବଳ ଗୁଜରାଟ ନୁହେଁ ସମ୍ପୂର୍ଣ୍ଣ ପଶ୍ଚିମ ଭାରତ ଉପରେ ପଡିବ।

୨୦୦୧ ମସିହାରେ ହୋଇଥିବା ୭.୭ ତୀବ୍ରତାର ଭୂମିକମ୍ପ ଏବେ ବି ଲୋକଙ୍କ ମନରୁ ଲିଭିନି। ସେତେବେଳେ କଛରେ ମେନଲ୍ୟାଣ୍ଡ ଫଲ୍ଟ ଭାଙ୍ଗି ଯାଇଥିଲା ,ହେଲେ ଏବେ ବିପଦ ନୂଆ ଅଞ୍ଚଳକୁ ସିଫ୍ଟ ହୋଇଯାଇଛି। ଏଣୁ ବୈଜ୍ଞାନିକମାନେ ଏହି ଭୂମିକମ୍ପକୁ ଶେଷ ସତର୍କତା ଭାବେ ଗ୍ରହଣ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। କଡା଼ ବିଲ୍ଡିଂ ନିର୍ମାଣ ନିୟମ ଓ ମକ ଡ୍ରିଲ ମାଧ୍ୟମରେ ଆମେ ବଡ଼ ଧରଣର କ୍ଷତିରୁ ବର୍ତ୍ତି ଯାଇ ପାରିବା। କଛ ମାଟି ତଳେ ଶୋଇଥିବା ୩ ଦାନବ କେବେ କଡ଼ ଲେଉଟାଇବେ ତାହା କେହି ଜାଣେନା। ଏଣୁ ସାବଧାନତା ହିଁ ଏକ ମାତ୍ର ସୁରକ୍ଷା ବୋଲି କୁହାଯାଇଛି।