ଚେନ୍ନାଇ, ୩୦/୦୪ : ସରିଛି ବିଭିନ୍ନ ରାଜ୍ୟରେ ନିର୍ବାଚନ । ଆସିଛି ଏଗଜିଟ୍ ପୋଲ୍ । କେଉଁଠି ବିଜେପି ଏବଂ ଏନଡିଏ ଭଲ କରୁଥିବା ରିପୋର୍ଟ ଆସୁଛି । ଆଉ କେଉଁଠି କଂଗ୍ରେସ ବା ଅନ୍ୟ ଆଞ୍ଚଳିକ ଦଳର ପଲ୍ଲା ଭାରି ରହୁଛି । ଏସବୁ ଭିତରେ ତାମିଲନାଡୁ ନିର୍ବାଚନ ଖୁବ୍ ରୋଚକ ସ୍ଥିତିରେ ରହିଛି । ଏଠାରେ ଡିଏମକେ, ଏଆଇଏଡିଏମକେ ଏବଂ ଟିଭିକେ ମଧ୍ୟରେ ମୁକାବିଲା ହେଉଛି । ଏହା ମଧ୍ୟରେ ଆକ୍ସିସ୍ ମାଇ ଇଣ୍ଡିଆ ଭିନ୍ନ କଥା କହିଛି । ତାମିଲନାଡୁରେ ଟିଭିକେ ୧୦୦ରୁ ଅଧିକ ଆସନ ଜିତିପାରେ ବୋଲି ଆକ୍ସିସ୍ ମାଇ ଇଣ୍ଡିଆ ଅନୁମାନ କରିଛି ।

୨୩୪ ଆସନ ପାଇଁ ମତଦାନ

ଏପ୍ରିଲ ୨୩ ତାରିଖ ଦିନ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ୨୩୪ ଆସନ ଲାଗି ଭୋଟଗ୍ରହଣ ହୋଇଥିଲା। ଏହା ପରଠାରୁ ରାଜନୈତିକ ଅଳିନ୍ଦରେ ହଲଚଲ ଆରମ୍ଭ ହୋଇଯାଇଛି। ଏଥିରୁ ପ୍ରଶ୍ନ ଉଠୁଛି ଦ୍ରାବିଡ ରାଜନୀତିର ଏହି ଗଡ଼ ଶାସକ ଦଳ ହାତରେ ରହିବ ନା ପରିବର୍ତ୍ତନ ଦେଖିବାକୁ ମିଳିବ?

ଇଣ୍ଡିଆଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ, ସି-ଭୋଟର, ଜନକିବାତ୍ ଓ ଟୁଡେଜ୍ ଚାଣକ୍ୟ ଭଳି ବଡ ବଡ଼ ଏଗଜିଟ୍ ପୋଲମାନେ ଏହି ରହସ୍ୟ ଉପରୁ ପର୍ଦ୍ଦା ହଟାଇଛନ୍ତି। ଏହି ପୋଲରୁ ଜଣାପଡିବ ଦ୍ରାବିଡ ରାଜନୀତିର ଏହି ଗଡ଼ କାହା ହାତକୁ ଯିବ। ଡିଏମକେ ପୁଣି ଶାସନକୁ ଫେରିବ ନା ଏଆଇଡିଏମକେ ପୁଣି ସରକାରକୁ ଫେରିବ? ଆସନ୍ତୁ ଜାଣିବା।

ମାଟ୍ରିଜ୍ ତାମିଲନାଡୁରେ ଡିଏମକେ ମେଣ୍ଟକୁ ୧୨୨ରୁ ୧୩୨ ସିଟ୍ ମିଳିବ ବୋଲି ଅନୁମାନ କରିଛି। ସେହିପରି ଏଆଇଏଡିଏମକେ+ ଏନଡିଏ ମେଣ୍ଟକୁ୮୭ରୁ ୧୧୦ ଆସନ ମିଳିବ ବୋଲି ଅନୁମାନ କରାଯାଉଛି। ଏହି ସମୟରେ ଅଭିନେତା ବିଜୟଙ୍କ ଟିଭିକେକୁ ୧୦ରୁ ୧୨ଟି ସିଟ୍ ମିଳୁଥିବା ବେଳେ ସ୍ୱାଧୀନ ଓ ଅନ୍ୟଙ୍କ ଖାତାକୁ ଶୁନରୁ ୬ଟି ଆସନ ଯାଉଥିବାର ଦେଖା ଯାଉଛି।

ସେହିପରି ପ୍ୟୁପିଲସ ପଲସ ଆକଳନ ଅନୁସାରେ ଡିଏମକେ ମେଣ୍ଟକୁ ୧୨୫ରୁ ୧୪୫ ଆସନ ମିଳୁଥିବା ବେଳେ ଏଆଇଏଡିଏମକେ ଓ ମେଣ୍ଟକୁ ୬୫ରୁ ୮୦ଟି ଆସନ ମିଳୁଛି। ଏଥିରେ ଟିଭିକେକୁ ୧୮ଟି ୨୪ଟି ଆସନ ମିଳୁଥିବା ବେଳେ ସ୍ୱାଧୀନ ଓ ଅନ୍ୟଙ୍କ ଖାତାକୁ ୨ରୁ ୬ଟି ଆସନ ଦିଆଯାଉଛି। ସେହିପରି ପି-ମାର୍କ ଏଗଜିଟ୍ ପୋଲ ଅନୁସାରେ ତାମିଲନାଡୁ ରାଜନୀତିରେ ଏକ ବଡ଼ ଅଦଳବଦଳର ସଂକେତ ମିଳୁଛି। ଏଗଜିଟ୍ ପୋଲ ଅନୁସାରେ ଶାସକ ଡିଏମକେ ମେଣ୍ଟକୁ ୧୨୫ରୁ ୧୪୫ଟି ଆସନ ମିଳୁଥିବାର ଅନୁମାନ କରାଯାଉଛି। ଯାହା ଷ୍ଟାଲିନଙ୍କ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରୁଥିବାର ସ୍ପଷ୍ଟ ସଂକେତ ଦେଉଛି।

ସବୁ ଏକଗଜିଟ୍ ପୋଲରେ ପାଲାନୀସ୍ୱାମୀଙ୍କ ଏଆଇଏଡିଏମକେ ମେଣ୍ଟ ପଛଉଥିବାର ଦେଖା ଯାଉଛି। ମେଣ୍ଟକୁ କେବଳ ୬୫ରୁ ୮୫ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡିପାରେ। ଅଭିନେତା ବିଜୟଙ୍କ ପାର୍ଟି (ଟିଭିକେ) ନିର୍ବାଚନରେ ନିଜର ପ୍ରଭାବ ଦେଖାଉଥିବାର ନଜରକୁ ଆସୁଛି। ସର୍ଭେରେ ଦଳକୁ ୧୨ରୁ ୨୬ଟି ଆସନ ମିଳୁଥିବାର ସମ୍ଭାବନା ବ୍ୟକ୍ତ କରାଯାଉଛି।

ଆକ୍ସିସ୍ ମାଇ ଇଣ୍ଡିଆର ଅନୁମାନ

ଆକ୍ସିସ୍ ମାଇ ଇଣ୍ଡିଆ କହିଛି ଯେ, ବିଜୟଙ୍କ ପାର୍ଟି ଟିଭିକେ୯୮ରୁ ୧୨୦ ସିଟ୍ ଜିତିପାରେ । ଯଦି ଦଳ ୯୮ ସିଟ୍ ଜିତେ ତାହାଲେ ତାମିଲନାଡୁ ରାଜନୀତି ଗୋଳମାଳିଆ ହୋଇଯିବ । ରାଜ୍ୟରେ ଝୁଲା ସରକାର ଗଠନ ହୋଇପାରେ । କାରଣ ବିଜୟଙ୍କ ପାର୍ଟି ଟିଭିକେ ଏତେ ସିଟ୍ ଜିତିଲେ ଡିଏମକେ ଏବଂ ଏଆଇଏଡିଏମକେ ପାଇଁ ଅସୁବିଧା ହେବ । ତେବେ କିଏ କେତେ ସିଟ୍ ଜିତୁଛି ତାହା ଭୋଟ୍ ଗଣନା ଦିନ ସ୍ପଷ୍ଟ ହୋଇଯିବ ।