ନୂଆଦିଲ୍ଲୀ: ୨୦୨୬ ମସିହାରେ ଭାରତୀୟ ଅଟୋମୋବାଇଲ ବଜାର ଏକ ବୈପ୍ଳବିକ ପରିବର୍ତ୍ତନ ଦେଇ ଗତି କରୁଛି। ତେଲ ଦର ବୃଦ୍ଧି ଏବଂ ପରିବେଶ ପ୍ରତି ସଚେତନତା ଯୋଗୁ ଗ୍ରାହକମାନେ ଏବେ ପାରମ୍ପରିକ ପେଟ୍ରୋଲ ଗାଡ଼ି ଠାରୁ ଦୂରେଇ ଯାଇ ଅଧିକ ସ୍ୱଚ୍ଛ ବିକଳ୍ପ ଖୋଜୁଛନ୍ତି। ଏହି ପରିପ୍ରେକ୍ଷୀରେ, ଦୁଇଟି ପ୍ରମୁଖ ବିକଳ୍ପ ସାମ୍ନାକୁ ଆସିଛି। ଗୋଟିଏ ହେଲା ଇଲେକ୍ଟ୍ରିକ ଗାଡ଼ି (EV) ଏବଂ ଅନ୍ୟଟି ଫ୍ଲେକ୍ସ-ଫୁଏଲ (ଇଥାନଲ) ଗାଡ଼ି। ବର୍ତ୍ତମାନ ଭାରତୀୟ ବଜାରରେ ଦୁଇଟି ଯାଗ ଗାଡ଼ି ଉପଲବ୍ଧ ହେବା ଆରମ୍ଭ ହୋଇଗଲାଣି। ଯଦିଓ ଇଲେକ୍ଟ୍ରିକ୍‌ ଗାଡ଼ି ବର୍ତ୍ତମାନ ଗୋଟେ ବଡ଼ ବଜାର ହୋଇଗଲାଣି, ହେଲେ ଇଥାନଲ ଗାଡ଼ି ମାର୍କେଟ୍‌କୁ ଆସିବା ଆରମ୍ଭ ହୋଇଗଲାଣି।

ଫ୍ଲେକ୍ସ-ଫୁଏଲର ଚାହିଦା ଓ ସରକାରୀ ପ୍ରୋତ୍ସାହନ

ଫ୍ଲେକ୍ସ-ଫୁଏଲ ଗାଡ଼ିଗୁଡ଼ିକ ହେଉଛି ପେଟ୍ରୋଲ ଚାଳିତ ଇଞ୍ଜିନର ଏକ ଉନ୍ନତ ରୂପ, ଯାହା ପେଟ୍ରୋଲ ସହିତ ଇଥାନଲର ମିଶ୍ରଣକୁ ସହଜରେ ଗ୍ରହଣ କରିପାରିବ। ଏହି ଗାଡ଼ିଗୁଡ଼ିକ E85 କିମ୍ବା E100(ପେଟ୍ରୋଲ୍‌ରେ ୮୫ ପ୍ରତିଶତ ଇଥାନଲ ମିଶ୍ରିତ ବା ସମ୍ପୂର୍ଣ୍ଣ ଇଥାନଲ ଇନ୍ଧନ) ପର୍ଯ୍ୟନ୍ତ ଇଥାନଲ ମିଶ୍ରଣରେ ଚାଲିବାରେ ସକ୍ଷମ। ହିରୋ ମୋଟୋକର୍ପ ନିଜର ପ୍ରଥମ E85 ଫ୍ଲେକ୍ସ-ଫୁଏଲ 'ସ୍ପ୍ଲେଣ୍ଡର ପ୍ଲସ' ଏବଂ 'HF ଡିଲକ୍ସ' ଲଞ୍ଚ କରିଥିବା ବେଳେ ମାରୁତି ସୁଜୁକି ମଧ୍ୟ ଭାରତର ପ୍ରଥମ E100 କାର୍ ଲଞ୍ଚ୍ କରି ସାରିଛି।

ଇଥାନଲର ବଡ଼ ସୁବିଧା ହେଉଛି ଏହା ଆଖୁ, ମକା ଓ କୃଷି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ଏକ ସ୍ୱଦେଶୀ ଇନ୍ଧନ। ତେଣୁ ଏହାକୁ ବିଦେଶରୁ ଆମଦାନୀ ନ କରି ଦେଶରେ ଉତ୍ପାଦନ କରାଯାଇପାରିବ। ଯେହେତୁ ଏଥିରେ ଆମଦାନୀ ଖର୍ଚ୍ଚ କମ ରହୁଛି, ତେଣୁ ସରକାର ଇଥାନଲକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି। ଭାରତ ୨୦୨୫ରେ E20 ମିଶ୍ରଣ ଲକ୍ଷ୍ୟ ପୂରଣ କରିବା ପରେ, ଏବେ ଆମଦାନୀ କମାଇବା ପାଇଁ ସରକାର ଅଧିକ ଇଥାନଲ ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଗ୍ରାହକଙ୍କୁ ନୂଆ ଭିତ୍ତିଭୂମି ବା ଚାର୍ଜିଂ ସୁବିଧା ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ।

ଇଲେକ୍ଟ୍ରିକ ଗାଡ଼ି: ପ୍ରଦୂଷଣ ମୁକ୍ତ ଇନ୍ଧନ ଭରିବାର ଟେନସନରୁ ଫ୍ରି

ଇଲେକ୍ଟ୍ରିକ ଗାଡ଼ିର ଲୋକପ୍ରିୟତା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମେ ୨୦୨୬ ସୁଦ୍ଧା ଭାରତରେ ମୋଟ ଦୁଇଚକିଆ ଯାନ ବିକ୍ରିର ୯% ରୁ ଅଧିକ ଇଲେକ୍ଟ୍ରିକ ଯାନ ରହିଛି, ଯାହା ଏହାର ଗ୍ରହଣୀୟତାକୁ ପ୍ରମାଣିତ କରୁଛି। ପ୍ରଦୂଷଣ ଫ୍ରି, କମ୍ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ବଢ଼ୁଥିବା ଚାର୍ଜିଂ ନେଟୱାର୍କ EV କୁ ଆକର୍ଷଣୀୟ କରିଛି। ତଥାପି, ଅଧିକ ପ୍ରାରମ୍ଭିକ ମୂଲ୍ୟ ଏବଂ ଗ୍ରାମାଞ୍ଚଳରେ ଚାର୍ଜିଂ ସୁବିଧାର ଅଭାବ ଏବେ ବି ଏକ ପ୍ରତିବନ୍ଧକ ହୋଇ ରହିଛି।

୨୦୨୬ରେ କେଉଁ ଗାଡ଼ି ବାଛିବା ଉଚିତ୍?

ବର୍ତ୍ତମାନର ସ୍ଥିତିକୁ ଦେଖିଲେ କୌଣସି ଗୋଟିଏ ବିକଳ୍ପ ସମସ୍ତଙ୍କ ପାଇଁ ସଠିକ ହେବ ନାହିଁ। କାରଣ ବର୍ତ୍ତମାନ ଇଥାନଲ ମିଶ୍ରିତ ଇନ୍ଧନ ବର୍ତ୍ତମାନ ସୁଦ୍ଧା ସବୁ ଟାଙ୍କିରେ ଉପଲବ୍ଧ ନାହିଁ। ଏପଟେ ଇଭି ପାଇଁ ଚାର୍ଜିଂ ଷ୍ଟେସନର ବି ଅଭାବ ରହିଛି। ତେଣୁ ନିଷ୍ପତ୍ତି ନେବା ପୂର୍ବରୁ ଗ୍ରାହକମାନେ ନିଜର ଦୈନନ୍ଦିନ ଆବଶ୍ୟକତାକୁ ଧ୍ୟାନରେ ରଖିବା ନିଷ୍ପତ୍ତି ନେବା ଉଚିତ। ତେବେ ଆବଶ୍ୟକତାକୁ ଦେଖି ଆମର ପରାମର୍ଶ ହେଲା….

ଇଲେକ୍ଟ୍ରିକ ଗାଡ଼ି କିଏ କିଣିବେ? ଯଦି ଆପଣ ମହାନଗର ବା ସହରରେ ରହୁଛନ୍ତି, ଯେଉଁଠାରେ ଚାର୍ଜିଂ ଭିତ୍ତିଭୂମି ସହଜରେ ଉପଲବ୍ଧ ଏବଂ ଆପଣଙ୍କର ଦୈନନ୍ଦିନ ଯାତ୍ରା ନିର୍ଦ୍ଦିଷ୍ଟ ପରିସର ମଧ୍ୟରେ, ତେବେ ଇଲେକ୍ଟ୍ରିକ ଗାଡ଼ି ହେଉଛି ଆପଣଙ୍କ ପାଇଁ ସର୍ବୋତ୍ତମ ପସନ୍ଦ। ଏହା ଆପଣଙ୍କର ଦୀର୍ଘମିଆଦୀ ଇନ୍ଧନ ଖର୍ଚ୍ଚକୁ ବହୁତ କମାଇ ଦେବ।

ଫ୍ଲେକ୍ସ-ଫୁଏଲ ଗାଡ଼ି କିଏ କିଣିବେ? ଯଦି ଆପଣ ବାରମ୍ବାର ଦୀର୍ଘ ଦୂରତା ଯାତ୍ରା କରନ୍ତି, ଛୋଟ ସହର କିମ୍ବା ଗ୍ରାମାଞ୍ଚଳରେ ରୁହନ୍ତି, ଯେଉଁଠାରେ ଚାର୍ଜିଂ ଷ୍ଟେସନ ମିଳିବା କଷ୍ଟକର, ତେବେ ଫ୍ଲେକ୍ସ-ଫୁଏଲ ଗାଡ଼ି ଆପଣଙ୍କ ପାଇଁ ବେଶ ସୁବିଧାଜନକ ହେବ। ଏହା ପାରମ୍ପରିକ ପେଟ୍ରୋଲ ଗାଡ଼ି ଭଳି ଫୁଏଲ ପମ୍ପରେ ସହଜରେ ରିଫୁଏଲ ହୋଇପାରିବ।

ବର୍ତ୍ତମାନ ଭାରତୀୟ ବଜାରରେ 'ଇଥାନଲ ଓ ଇଲେକ୍ଟ୍ରିକ ଶିଳ୍ପ ଜୋର୍‌ସୋର୍‌ରେ ଅଗ୍ରସର ହେଉଛି। ଖୁବ୍‌ଶୀଘ୍ର ଏହି ଦୁଇ ଯାନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବ୍ୟବସ୍ଥା ହୋଇଯିବ। ତେଣୁ ୨୦୨୬ରେ ଆପଣ କେଉଁ ଗାଡ଼ି କିଣିବେ ଆପଣଙ୍କର ବ୍ୟକ୍ତିଗତ ଯାତ୍ରା ଶୈଳୀ ଏବଂ ଆପଣଙ୍କ ଅଞ୍ଚଳରେ ଥିବା ସୁବିଧା ଦେଖି ନିଷ୍ପତ୍ତି ନିଅନ୍ତୁ।