ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଅନଲାଇନ୍ ହୋମ୍-ଡେଲିଭରିର ଏହି ଯୁଗରେ ମହିଳାମାନଙ୍କ ସୁରକ୍ଷା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏକ ନାମୀ ଇ-କମର୍ସ ପ୍ଲାଟଫର୍ମର ଡେଲିଭରି ଏଜେଣ୍ଟ ଜଣେ ମହିଳାଙ୍କ ପ୍ରାଇଭେସିକୁ ଧୂଳିସାତ କରିନାହିଁ, ବରଂ ସେ ମନା କରିବା ସତ୍ତ୍ୱେ ଜବରଦସ୍ତି ଘରେ ପଶି ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ କରିଛି ।

ମହିଳା ଜଣକ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ ଅତି ଭୟଭୀତ ହୋଇ କାନ୍ଦୁଥିବା ନଜର ଆସୁଛନ୍ତି । ତେବେ ପୀଡ଼ିତା ମହିଳାଙ୍କ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓ ପରେ ପୋଲିସ ଅଭିଯୁକ୍ତକୁ ଧରିଛି ।

ଅଭିଯୁକ୍ତ ଡେଲିଭରି ବୟର ପରିଚୟ ବିଜୟ ମଲ୍ଲିକାର୍ଜୁନ କାମଥ୍ ଭାବରେ ହୋଇଛି । ଅଭିଯୁକ୍ତ ଏକ ପାର୍ସଲ୍ ଡେଲିଭର କରିବା ପାଇଁ ମହିଳାଙ୍କ ଫ୍ଲାଟ୍‌କୁ ଆସିଥିଲା । ସେହି ସମୟରେ ମହିଳା ଜଣକ ଘରେ ଏକା ଥିଲେ । ଜିନିଷ ଦେବା ପରେ ଡେଲିଭରି ବୟ ହଠାତ୍ ମହିଳାଙ୍କୁ କହିଥିଲା ଯେ ଇମରଜେନ୍ସି ଅଛି ଏବଂ ତାକୁ ୱାଶରୁମ୍ ବ୍ୟବହାର କରିବାର ଅଛି ।

 

'ନା' କହିବା ସତ୍ତ୍ୱେ ଜବରଦସ୍ତି ଘରେ ପଶିଲା

ସୁରକ୍ଷା ଦୃଷ୍ଟିରୁ ମହିଳା ଜଣକ ଅତି ଭଦ୍ରତାର ସହ ମନା କରିଦେଇଥିଲେ ଏବଂ କହିଥିଲେ, "ମୁଁ କୌଣସି ଅଜଣା ବ୍ୟକ୍ତିଙ୍କୁ ମୋ ଘର ଭିତରକୁ ଆସିବାକୁ ଅନୁମତି ଦିଏ ନାହିଁ। ଯଦି ବହୁତ ଜରୁରୀ, ତେବେ ପାଖରେ ମୋର ପୁରୁଷ ବନ୍ଧୁମାନେ ରହୁଛନ୍ତି, ଆପଣ ସେମାନଙ୍କ ସାହାଯ୍ୟ ନେଇପାରିବେ।" କିନ୍ତୁ ମହିଳାଙ୍କ ମନା କରିବା ସତ୍ତ୍ୱେ ଡେଲିଭରି ବୟ ଜବରଦସ୍ତି ଫ୍ଲାଟ୍ ଭିତରକୁ ପଶିଯାଇଥିଲା।

ପୀଡ଼ିତା ମହିଳାଙ୍କ କହିବା ଅନୁସାରେ, ସେ ସେହି ସମୟରେ ବହୁତ ଡରି ଯାଇଥିଲେ । କିନ୍ତୁ ସେ ସାହସ ନ ହରାଇ ତୁରନ୍ତ ନିଜ ମୋବାଇଲ୍ କ୍ୟାମେରା ଅନ୍ କରିଦେଇଥିଲେ ଏବଂ ଫ୍ଲାଟ୍‌ର ମୁଖ୍ୟ ଦ୍ୱାରକୁ ଖୋଲା ରଖିଥିଲେ, ଯଦ୍ୱାରା କିଛି ଅଘଟଣ ଘଟିଲେ ସେ ସାହାଯ୍ୟ ପାଇଁ ବାହାରକୁ ଦୌଡ଼ି ପାରିବେ ।

ସେହି ବ୍ୟକ୍ତି ଜଣକ ୱାଶରୁମ୍‌ରୁ ବାହାରକୁ ଆସିବା ପରେ ସବୁ ସୀମା ପାର୍ କରିଦେଇଥିଲା । ସେ ବାହାରକୁ ଆସି ମହିଳାଙ୍କ ସାମ୍ନାରେ ନିଜର ପ୍ରାଇଭେଟ୍ ପାର୍ଟ (ଗୁପ୍ତାଙ୍ଗ) ଦେଖାଇଥିଲା । ଏହି ଘୃଣ୍ୟ କାର୍ଯ୍ୟରେ ମହିଳା ଜଣକ ସମ୍ପୂର୍ଣ୍ଣ ଭୟଭୀତ ହୋଇପଡ଼ିଥିଲେ । ସେ ସୋସିଆଲ ମିଡିଆରେ କହିଛନ୍ତି, "ମୁଁ ସେତେବେଳେ ପୂରା ସକ୍‌ରେ ଥିଲି । ମତେ ନିଜ ଘରେ ହିଁ ଅସୁରକ୍ଷିତ ଅନୁଭବ ହେଲା । ଯେତେବେଳେ ଜଣେ ମହିଳା 'ନା' କହିଦେଲେ, ସେଇଠି କଥା ଶେଷ ହୋଇଯିବା ଉଚିତ୍ ଥିଲା ।"

ମହିଳାଙ୍କ ଭିଡିଓ ଏବଂ ପୋଷ୍ଟ ଭାଇରାଲ୍ ହେବା ପରେ ମରାଠହଲ୍ଲୀ ପୋଲିସ ଷ୍ଟେସନ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଅଭିଯୁକ୍ତ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୭୫ (ଯୌନ ନିର୍ଯାତନା), ଧାରା ୭୯ (ମହିଳାଙ୍କ ସମ୍ମାନହାନୀ) ଏବଂ ଧାରା ୩୨୯(୨) (ଜବରଦସ୍ତି ଘପେ ପ୍ରବେଶ) ଅଧୀନରେ ମାମଲା ରୁଜୁ କରିଛି । ହ୍ୱାଇଟ୍‌ଫିଲ୍ଡ ଡିସିପିଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତକୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି ଏବଂ ମାମଲାର ଅଧିକ ତଦନ୍ତ ଜାରି ରହିଛି ।