ନୂଆଦିଲ୍ଲୀ: ବିଶ୍ୱ ଐତିହ୍ୟ ସ୍ଥଳ ତାଜମହଲ ପରିସରକୁ କବଜା କରିନେଇଛନ୍ତି ମାଙ୍କଡ଼ । ଧୀରେ ଧୀରେ ମାଙ୍କଡ଼ ଦଳଙ୍କ ଆଡ୍ଡାସ୍ଥଳୀ ପାଲଟିବାରେ ଲାଗିଛି ତାଜମହଲ ପରିସର। ଫଳରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି। ନିକଟରେ ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଜମହଲ ପରିସରରେ ଶହ ଶହ ମାଙ୍କଡ଼ ନିର୍ଭୟରେ ବୁଲୁଥିବାର ଦେଖିବାକୁ ମିଳୁଛି। 

ସୂଚନା ଅନୁଯାୟୀ, ମାଙ୍କଡ଼ ପୂର୍ବ, ପଶ୍ଚିମ ଏବଂ ରୟାଲ ଗେଟ୍‌ ଆଖପାଖ ଅଞ୍ଚଳକୁ ନିଜ କବ୍‌ଜାକୁ ନେଇଯାଇଛନ୍ତି । ଫଳରେ ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଉପରେ ଆକ୍ରମଣର ଆଶଙ୍କା ବଢ଼ିଯାଇଛି। ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଉଭୟ ଭାରତୀୟ ଏବଂ ବିଦେଶୀ ପର୍ଯ୍ୟଟକ ମାଙ୍କଡ଼ଙ୍କ ଆକ୍ରମଣର ଶିକାର ହୋଇଥିବାର ନଜିର ରହିଛି।

ତାଜମହଲ ପରିସର ଏବଂ ଏହାର ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟାରେ ମାଙ୍କଡ଼ ରହୁଥିବା ଅନୁମାନ କରାଯାଉଛି। ଯଦିଓ ପ୍ରଶାସନ ପକ୍ଷରୁ ଏହି ମାଙ୍କଡ଼ଙ୍କୁ ଧରିବା କିମ୍ବା ସେଠାରୁ ଘଉଡ଼ାଇବା ପାଇଁ ପଦକ୍ଷେପ ନିଆଯାଉଥିବା ନେଇ ବାରମ୍ବାର ଦାବି କରାଯାଉଛି, କିନ୍ତୁ ବାସ୍ତବରେ ଏହି ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ। ସ୍ମାରକୀର ପରିଚାଳନା ଦାୟିତ୍ୱରେ ଥିବା ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏହି ସମସ୍ୟାର ସମାଧାନ ହୋଇପାରୁ ନାହିଁ । 

ଭାରତୀୟ ଐତିହ୍ୟର ପ୍ରତୀକ ତଥା ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ ଭାବରେ ପରିଚିତ ତାଜମହଲରେ ମାଙ୍କଡ଼ଙ୍କ ବଢ଼ୁଥିବା ଉପଦ୍ରବ କେବଳ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁନାହିଁ, ବରଂ ଅନ୍ତର୍ଜାତୀୟ ସ୍ତରରେ ଏହାର ଛବିକୁ ମଧ୍ୟ ପ୍ରଭାବିତ କରୁଛି। ତେବେ ମାଙ୍କଡ଼ ଘଉଡ଼ାଇବା କାର୍ଯ୍ୟକ୍ରମ ଆରମ୍ଭ ହେବ ଜରୁରୀ ହୋଇପଡ଼ିଛି ।