ନୂଆଦିଲ୍ଲୀ: ଦୋକାନକୁ ଆସିଲା । ଗୋଟିଏ ପରେ ଗୋଟିଏ ଜିନିଷ ଉଠାଇଲା ଶୁଣ୍ଢରେ । ତେବେ ଏତେ ସବୁ ଜିନିଷ କିଣିନଥିଲା ବରଂ ଥିଲା ଅଲଗା ଉଦ୍ଦେଶ୍ୟ । ସବୁ ଜିନିଷର ବିଲ୍ ବି ହୋଇନଥିଲା । କାରଣ ଜିନିଷ ଥିଲେ ସିନା ବିଲ ହେବ । ସେସବୁ ତା ପେଟ ଭିତରେ । ନିମିଷକେ ସବୁ ଚଳୁ । ତେବେ ଏତେ ସବୁ ଖାଇଥିବା କୌଣସି ବ୍ୟକ୍ତି ନୁହେଁ । ବରଂ ଜଣେ ପଶୁ । ଆଉ ଏହି ପଶୁ ହେଉଛନ୍ତି ଗଜରାଜ୍ ମାନେ ହାତୀ । ତାଙ୍କୁ ଅଟକେଇବ କିଏ । 

ଏ ଦୃଶ୍ୟ କୌଣସି ଫିଲ୍ମର ନୁହେଁ । ବରଂ ବାସ୍ତବରେ । ଥାଇଲ୍ୟାଣ୍ଡରେ ଥିବା ଏକ ଗ୍ରୋସରୀ ଷ୍ଟୋରର ଏ ଦୃଶ୍ୟ । ଦେଖନ୍ତୁ ଏହି ଦୃଶ୍ୟକୁ କିଭଳି ଚୁପଚାପ ଦୋକାନ ଭିତରକୁ ପଶି ଆସୁଛି ହାତୀ । ସାଧାରଣ ଗ୍ରାହକ ଭଳି ସବୁ ରାକ୍‌ରୁ ଖାଦ୍ୟ ଜିନିଷ ଉଠାଉଛି । ଜଙ୍ଗଲୀ ହାତୀଟିର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । 

 

ହାତୀଟିରର ନାଁ 'ପ୍ଲେ ବିୟାଙ୍ଗ ଟେକ୍'। ନ୍ୟାସନାଲ ପାର୍କ କଡ଼ରେ ଥିବା ଏହି ଦୋକାନକୁ ସେ ପ୍ରାୟତଃ ଖାଦ୍ୟ ଲୋଭରେ ଆସେ। ଏଥର କିନ୍ତୁ ଟିକିଏ ଅଲଗା ଅନ୍ଦାଜରେ ଏଣ୍ଟ୍ରି କରିଥିଲା ଦନ୍ତାଟି । ଦୋକାନ ଭିତରେ ପଶି ସେ ମିଠା ରାଇସ୍ କ୍ରାକର୍ସ, ସ୍ୟାଣ୍ଡୱିଚ୍ ଏବଂ କଦଳୀ ଭଳି ଜିନିଷ ଉଠାଇ ବେଶ୍ ଆରାମରେ ଖାଇଥିଲା। ପ୍ରାୟ ଗୋଟିଏ ମିନିଟରେ ସଫା କରିଦେଇଥିଲା ପ୍ରାୟ ୨୫ ଡଲାର ଅର୍ଥାତ୍ ୨ ହଜାରରୁ ଅଧିକ ଟଙ୍କାର ସ୍ନାକ୍ସ ।

ମଜାଦାର କଥା ହେଉଛି ଯେମିତି ତାର ପେଟ୍ ପୁରିଥିଲା । ସଂଗେ ସଂଗେ ସେ ସେଠାରୁ ଚୁପଚାପ୍ ବାହାରକୁ ଚାଲିଗଲା। ଆହିୁରି ଗୋଟିଏ ଆଶ୍ଚର୍ଯ୍ୟକର ବିଷୟ ହେଉଛି ହାତୀଟି ଦୋକାନରେ କୌଣସି ଜିନିଷ ଏପଟ ସେପଟ କରିନଥିଲା କି ଭାଙ୍ଗିନଥିଲା । ସେପଟେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ବନ୍ୟଜନ୍ତୁ ସଂରକ୍ଷଣ ସଂସ୍ଥା ଦୋକାନୀଙ୍କର ସମସ୍ତ କ୍ଷତି ଭରଣା କରିଛନ୍ତି ।  

ହାତୀର ଦୋକାନରେ ପଶିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ପରେ ପଜିଟିଭ ରେସପଣ୍ଡ ବି ମିଳୁଛି । କେହି କେହି କହୁଛନ୍ତି ହାତୀଟି ବୋଧେ ତା'ର 'ଡିସ୍କାଉଣ୍ଟ କୁପନ୍' ବ୍ୟବହାର କରିବାକୁ ଭୁଲିଗଲା। ପୁଣି କେହି କହୁଛନ୍ତି ସେ ସେଠାକାର 'ଲୟାଲ୍ କଷ୍ଟମର୍'।