ଚଣ୍ଡିଗଡ,୧୭।୦୪ଆମ୍ ଆଦମୀ ପାର୍ଟି ନେତାଙ୍କୁ ଝଟକା । ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ରେଡ୍ କରିଛି । ଲୁଧିଆନା ସ୍ଥିତ ବାସଭବନରେ ଶୁକ୍ରବାର ସକାଳେ ଇଡିର ଏକ ଟିମ୍ ଚଢଉ ଜାରି ରଖିଛନ୍ତି । ଏହାସହ ସୁରକ୍ଷା ପାଇଁ ସିଆରପିଏଫ ଯବାନଙ୍କୁ ନିୟୋଜିତ କରାଯାଇଛି ।

ରିପୋର୍ଟ ଅନୁସାରେ, ମନି ଲଣ୍ଡରୀଂ ମାମଲାରେ ସଞ୍ଜୀବଙ୍କ ନାଁ ଆସିଥିଲା । ଏହାସହ ଏକ ଜମି କାରବାରରେ ହୋଇଥିବା ଅନିୟମିତତାରେ ସଞ୍ଜୀବଙ୍କ ନାଁ ସ୍କାନରକୁ ଆସିଥିଲା । ଏହି ମାମଲାରେ ଇଡି ଚଢଉ କରିଥିବା ଜଣା ପଡିଛି । ଗୁରୁଗ୍ରାମ, ଚଣ୍ଡିଗଡ, ଲୁଧିଆନା, ଜଳନ୍ଧରରେ ଫେମା ଅନୁସାରେ ୧୩ଟି ସ୍ଥାନରେ ଯାଞ୍ଚ୍ କରାଯାଉଛି । ଏଥିରେ ସଞ୍ଜୀବଙ୍କ ବ୍ୟତୀତ ହେମନ୍ତ ସୁଦ୍ ଏବଂ ଚନ୍ଦ୍ରଶେଖର ଅଗ୍ରଓ୍ୱାଲଙ୍କ ଘର ଏବଂ କାର୍ଯ୍ୟାଳୟ ସାମିଲ ଅଛି ।

କ'ଣ ମାମଲା

ଆପ୍ ନେତା ସଞ୍ଜୀବଙ୍କ ଘରେ ୨୦୨୪ରେ ମଧ୍ୟ ଇଡି ରେଡ୍ କରିଥିଲା । ଶିଳ୍ପ ପାଇଁ ଉପଯୁକ୍ତ ଜମିକୁ ସଞ୍ଜୀବ ଏବଂ ତାଙ୍କର କିଛି ସହଯୋଗୀ ଦୂରୁପଯୋଗ କରିଥିଲେ । ଯାହା ରାଜ୍ୟ ସରକାରଙ୍କୁ କ୍ଷତି ପହଁଚାଇଥିଲା । ଏହାସହ ଆପ୍ ନେତା କଳାଟଙ୍କା ଉପାର୍ଜନ କରିଥିଲେ । ତଦନ୍ତରେ ଆହୁରି ଜଣା ପଡିଥିଲା ଯେ, ସଞ୍ଜୀବଙ୍କ କମ୍ପାନୀ ହାମ୍ପଟନ୍ ସ୍କାଏ ରିଅଲଟି ଲିମିଟେଡ୍ ପୂର୍ବରୁ ଅନେକ ପରିଯୋଜନାରେ ଟଙ୍କା ନିବେଶ କରିଛି । କିନ୍ତୁ ଏଥିରେ ଚଞ୍ଚକତା କରାଯାଇଥିଲା । ଅର୍ଥାତ ଜମିର କିସମ ପରିବର୍ତ୍ତନ କରାଯାଇଥିବା ପରେ ଜଣା ପଡିଥିଲା । ଖାଲି ଏତିକି ନୁହେଁ ଷ୍ଟକ୍ ମାର୍କେଟରେ ଇନସାଇଡର ଟ୍ରେଡିଂରେ ସଞ୍ଜୀବ ଅନେକ ବେଆଇନ କାରବାର କରିଛନ୍ତି ।

ଇଡି ଆଶଙ୍କା କରୁଛି ଯେ, ଆପ୍ ନେତା ସଞ୍ଜୀବ ନିଜର ରାଜନୈତିକ କ୍ଷମତାକୁ ଅପବ୍ୟବହାର କରିଛନ୍ତି । ପଞ୍ଜାବରେ ବେଆଇନ୍ ଜୁଆ କାରବାରକୁ ସେ ପ୍ରୋତ୍ସାହିତ କରି ସେଠାରୁ ଫାଇଦା ପାଇଛନ୍ତି । ଅନେକ ସେଲ୍ ବା ଭୂତ କମ୍ପାନୀ ପ୍ରତିଷ୍ଠା କରି ବେଆଇନ ଅର୍ଥ କାରବାର କରିଛନ୍ତି ।

ସୂଚନାଯୋଗ୍ୟ, ବୁଧବାର ଇଡି ଆପ୍ ନେତା ତଥା ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କ ଜଳନ୍ଧର ସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ରେଡ୍ କରିଥିଲା । ଏବେବି ଏଠାରେ ଇଡି ଅଧିକାରୀ ତଦନ୍ତ କରୁଛନ୍ତି ।