ନାଇରୋବୀ: ବିଶ୍ୱରେ ହଣ୍ଟା ଭାଇରସ ପ୍ରକୋପ ନ ଥମୁଣୁ ଇବୋଲା ପୁଣି ଫେରିଛି। ଦୁଇ ଆଫ୍ରିକୀୟ ଦେଶରେ ଏବେ ଇବୋଲାର ପ୍ରକୋପ ଦେଖା ଯାଉଛି। ଆଫ୍ରିକା ସିଡିସି କହିଛି ଯେ କଙ୍ଗୋରେ ଇବୋଲା ମହାମାରୀର ରୂପ ଧାରଣ କରିଛି। ଏହା ଛଡା ୟୁଗାଣ୍ଡାରେ ଇବୋଲା କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ପୁଷ୍ଟି ହେଲାଣି। ଦୁଇ ଦେଶରେ ଇବୋଲା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ଶତାଧିକ ବୋଲି କୁହାଯାଉଛି। ତେବେ ଖରାପ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଦୁର୍ବଳ ସର୍ଭିଲାନ୍ସ ବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ କେତେ ଲୋକଙ୍କ ମୃତ୍ୟୁ ହେଲାଣି ତାହା ଅନୁମାନ କରିବା କଷ୍ଟକର ହୋଇ ପଡିଛି।

ୟୁଗାଣ୍ଡା ଶୁକ୍ରବାର ଅତ୍ୟଧିକ ସଂକ୍ରାମକ ଇବୋଲା ଭାଇରସ ରୋଗ ବ୍ୟାପୁଥିବାର ପୁଷ୍ଟି କରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଏହି ସଂକ୍ରମଣ ଇବୋଲାର ‘ବୁଣ୍ଡି ବୁଗ୍ୟୋ ଷ୍ଟ୍ରେନ’ କାରଣରୁ ହେଉଛି। ମନ୍ତ୍ରାଳୟ କହିଛି ଯେ ଏହି ମାମଲା ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ କଙ୍ଗୋରୁ ଆସିଛି। ହେମୋରେଜିକ ଲକ୍ଷଣ ଦେଖାଯିବା ପରେ ମେ ୧୪ ତାରିଖ ଦିନ ପ୍ରଥମ ରୋଗୀ ଆଇସିୟୁରେ ପ୍ରାଣ ହରାଇଛି। ସେହିପରି କଙ୍ଗୋ ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି ଯେ ପୂର୍ବ ଇଟୁରୀ ପ୍ରାନ୍ତରେ ଇବୋଲା ପ୍ରକୋପ ଯୋଗୁ ଏପର୍ଯ୍ୟନ୍ତ ୮୦ ଜଣଙ୍କ ମୃତ୍ୟୁ ହେଲାଣି।

ସ୍ୱାସ୍ଥ୍ୟମନ୍ତ୍ରୀ ସମୁଏଲ ରୋଜର କାମ୍ବା ମୁଲାମ୍ବା ଏକ ବୟାନରେ କହିଛନ୍ତି ଯେ ଗୁରୁବାର ଯାଞ୍ଚ କରାଯାଇଥିବା ନମୁନାରେ ରୱାମ୍ପାରା, ମୋଙ୍ଗୱାଲୁ ଓ ବୁନିୟା ସ୍ୱାସ୍ଥ୍ୟ କ୍ଷେତ୍ରରେ ଇବୋଲା ଭାଇରସର ‘ବୁଣ୍ଡି ବୁଗ୍ୟୋ’ ଷ୍ଟ୍ରେନର ୮ଟି ମାମଲା ପୁଷ୍ଟି ହୋଇଛି। ମନ୍ତ୍ରାଳୟ ଅନୁସାରେ ଏ ପର୍ଯ୍ୟନ୍ତ ସଂକ୍ରମଣର ୨୪୬ଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ଏଥିରେ ପ୍ରଥମେ ଜଣେ ନର୍ସ ଆକ୍ରାନ୍ତ ହୋଇଥିଲେ, ଯିଏ ଇଭେଞ୍ଜେଲିକଲ ମେଡିକାଲ ସେଣ୍ଟରରେ ପ୍ରାଣ ହରାଇଛନ୍ତି। ଆଫ୍ରିକାର ଶୀର୍ଷ ସାର୍ବଜନିକ ସ୍ୱାସ୍ଥ୍ୟ ଏଜେନ୍ସୀ କହିଛି ଯେ କଙ୍ଗୋର ଇଟୁରୀ ପ୍ରାନ୍ତରେ ଇବୋଲା ଏବେ ସ୍ପଷ୍ଟ ପ୍ରକୋପ କରୁଛି ଓ ଏ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୬୫କୁ ପହଞ୍ଚିଛି।