ମାନିଲା: ୟୁନାଇଟେଡ୍ ଷ୍ଟେଟସ୍ ଜିୟୋଲଜିକାଲ ସର୍ଭେ (ୟୁଏସଜିଏସ୍) ଅନୁସାରେ ଶୁକ୍ରବାର ଦକ୍ଷିଣ ଫିଲପାଇନ୍ସ ମିଣ୍ଡାନାଓ ଦ୍ୱୀପରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୬.୫ ଥିଲା। ଭୂମିକମ୍ପର ଉତ୍ପତି ସ୍ଥଳ ଭୂ-ପୃଷ୍ଠରୁ ୨୯ କିଲୋମିଟର ଗଭୀରତାରେ ଥିଲା। ତେବେ ଆଶ୍ୱସ୍ତିର କଥା ହେଉଛି ଭୂମିକମ୍ପ ଯୋଗୁ ସେପରି କୌଣସି ଧନଜୀବନ ହାନୀର ସୂଚନା ମିଳି ନାହିଁ। ସେହିପରି ଭୂମିକମ୍ପ ପରେ ସୁନାମୀ ଚେତାବନୀ ମଧ୍ୟ ଜାରି ହୋଇନି। ତେବେ ସ୍ଥାନୀୟ ଅଧିକାରୀମାନେ ଭୂମିକମ୍ପର ପ୍ରଭାବ ଆକଳନ ଆରମ୍ଭ କରିଛନ୍ତି।

ଏହି କମ୍ପନ ସେତେବେଳେ ଅନୁଭୂତ ହୋଇଛି ଯେତେବେଳେ କିଛି ସପ୍ତାହ ପୂର୍ବରୁ ଦକ୍ଷିଣ ଫିଲପାଇନ୍ସ ରେ ଏକ ଶକ୍ତିଶାଳୀ ଭୂମିକମ୍ପ ପ୍ରଳୟ ରଚିଥିଲା। ଏହି ଭୂମିକମ୍ପରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଓ ସେତେବେଳେ ମିଣ୍ଡାନାଓର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଫିଲପାଇନ୍ସ ପ୍ରଶାନ୍ତ ମହାସାଗର ରିଂ ଅଫ ଫାୟାର ଉପରେ ଅବସ୍ଥିତ। ଏହା ପ୍ରଶାନ୍ତ ମହାସାଗରର ଏକ ଏପରି କ୍ଷେତ୍ର ଯେଉଁଠି ଭୂମିକମ୍ପ ଓ ଅଗ୍ନେୟଗିରି ବିସ୍ଫୋରଣ ସବୁଠୁ ଅଧିକ ହୋଇଥାଏ। ଏହି କାରଣରୁ ଦେଶରେ ପ୍ରାୟ ଭୂମିକମ୍ପ ଆସିଥାଏ।

ଆଜିର ତାଜା ଭୂମିକମ୍ପ ଜୁନ ପ୍ରାରମ୍ଭରେ ଆସିଥିବା ୭.୮ ତୀବ୍ରତାର ପ୍ରଳୟଙ୍କରୀ ଭୂମିକମ୍ପର କିଛି ସପ୍ତାହ ପରେ ଆସିଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିୟୋ ସାଇନ୍ସେସ୍ (ଜିଏଫଜେଡ୍) ଅନୁସାରେ ଜୁନ ପ୍ରାରମ୍ଭରେ ଆସିଥିବା ଭୂମିକମ୍ପ ମିଣ୍ଡାନାଓ ନିକଟରେ ମାତ୍ର ୧୦ କିଲୋମିଟର ଗଭୀରତାରେ ଥିଲା। ଗଭୀରତା କମ୍ ଯୋଗୁ ମାଟି ଉପରେ ଜୋରଦାର କମ୍ପନ ଅନୁଭୂତ ହୋଇଥିଲା ଓ ସୁନାମୀ ବିପଦ ବଢି ଯାଇଥିଲା।

ଏଥି ମଧ୍ୟରେ ଭେନେଜୁଏଲାରୁ ଆସୁଥିବା ଖବରରେ ଭୂମିକମ୍ପ ମୃତ୍ୟୁ ସଖ୍ୟା ୫୮୯କୁ ପହଞ୍ଚିଥିବା କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ ପୁଷ୍ଟି କରିଛନ୍ତି। ଅନ୍ତର୍ଜାତୀୟ ଉଦ୍ଧାରକାରୀ ଦଳଙ୍କୁ ସ୍ୱାଗତ କରି ରୋଡ୍ରିଗେଜ କହିଛନ୍ତି ଯେ ଧ୍ୱଂସସ୍ତୁପ ତଳେ ଦବି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଧିକାରୀଙ୍କ ଅନୁସାରେ ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳରେ ଏବେ ସନ୍ଧାନ ଓ ଉଦ୍ଧାର ଅଭିଯାନ ଜାରି ରହିଛି। ଆପାତକାଳୀନ ଟିମ୍ ରେ ଅନ୍ତର୍ଜାତୀୟ ଦଳ ଲଗାତାର କାମ କରୁଛନ୍ତି।