Earthquake Tremors Delhi-NCR: ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ। ଝଟକାରେ ଥରିଲା ଭାରତର ରଜାଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ। ଶୁକ୍ରବାର ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ୫.୯ ତୀବ୍ରତାର ଭୂମିକମ୍ପ ହୋଇଛି। ଆଉ ଏହାର ଝଟ୍‌କା ଦିଲ୍ଲୀ-ଏନସିଆର ଏବଂ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଛି। ବର୍ତ୍ତମାନ ଚାରିଆଡ଼େ ଯୁଦ୍ଧ ଚାଲିଥିବା ବେଳେ ହଠାତ୍ ଭୂମିକମ୍ପ ଝଟକା ଯୋଗୁ ଲୋକେ ଆତଙ୍କିତ ହୋଇ ଉଠିଥିଲେ। ସହରରେ ଅନେକ ଲୋକ ଘର ଓ ଅଫିସ କୋଠାରୁ ବାହାରକୁ ବାହାରି ଆସିଥିଲେ।

ଭାରତରେ ରାତି ପ୍ରାୟ ୯.୫୦ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ଝଟକା ନୋଏଡା,ଚଣ୍ଡିଗଡ଼,ପଞ୍ଜାବର ଲୁଧିଆନା ଏବଂ ଜମ୍ମୁ ଓ କାଶ୍ମୀରର ପୁଞ୍ଚଶ୍ରୀନଗର ଏବଂ ଉଧମପୁର,ଡେରାଡୁନ ସମେତ ଅନ୍ୟ କିଛି ସ୍ଥାନରେ ଅନୁଭୂତ ହୋଇଥିଲା। ବଡ଼ ଅଟ୍ଟାଳିକାରେ ରହୁଥିବା ଲୋକଙ୍କ କହିବା ଅନୁସାରେ ଭୂମିକମ୍ପ ଝଟ୍‌କାରେ କିଛି ସମୟ ପାଇଁ ଘରର ଜିନିଷପତ୍ର ହଲିଥିଲା। ମାଟି ଥରି ଉଠିଲା ପରି ମନେ ହେଉଥିଲା। ତେବେ ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ମିଳି ନାହିଁ।

ଭୂମିକମ୍ପର କେନ୍ଦ୍ରସ୍ଥଳ ହିନ୍ଦୁକୁଶ ଅଞ୍ଚଳର ପାକିସ୍ତାନ-ତାଜିକିସ୍ତାନ ସୀମା ନିକଟରେ ଅବସ୍ଥିତ ଆଫଗାନିସ୍ତାନର ବାଦଖଶାନ ରାଜ୍ୟରେ ଥିଲା ବୋଲି ଜଣାପଡ଼ିଛି। ଅଧିକାରୀମାନେ କହିଛନ୍ତି ଯେ ଭୂମିକମ୍ପଟି ୧୫୦ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା।

ଭୂମିକମ୍ପର ଝଟ୍‌କା କେବଳ ଭାରତ ନୁହେଁ ପାକିସ୍ତାନର ଏକାଧିକ ସ୍ଥାନରେ ଅନୁଭୂତ ହୋଇଥିଲା। ରାଜଧାନୀ ଇସଲାମାବାଦ,ପଞ୍ଜାବର କିଛି ଅଂଶ,ଖାଇବର ପଖତୁନଖ୍ୱା,ପେଶାୱର ଏବଂ ଅନ୍ୟାନ୍ୟ ଅଞ୍ଚଳ ସମେତ ପାକିସ୍ତାନର ଅନେକ ସହରରେ ମଧ୍ୟ ଭୂମିକମ୍ପର ଝଟକାରେ କିଛି ସମୟ ପାଇଁ ଥରିଥିଲା।