ଯାଜପୁର ୧୮।୪: ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାରଙ୍କ ଉପରକୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ। କୋରେଇ ଥାନା ମୀନାବଜାର ଛକ ନିକଟରେ ଲଘୁ ଖଣିଜ ଲୁଟ୍ ଖବର ପାଇ ରେଡ୍ କରିବାକୁ ଯାଉଥିବା ବେଳେ ଆକ୍ରମଣର ଶିକାର । ଗୁରୁତର ତହସିଲଦାର ପ୍ରଶାନ୍ତ ପଣ୍ଡାଙ୍କୁ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଦୁଇ ଘଣ୍ଟା ଭିତରେ ସଠିକ୍ ଚିକିତ୍ସା ନ କରିବାରୁ କଟକ ଏସସିବିରୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ତାଙ୍କର ଗୋଡ଼ ଭାଙ୍ଗିଥିବା ବେଳେ ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ।

ସୂଚନାଯୋଗ୍ୟ ଯେ, ବ୍ୟାସନଗର ତହସିଲଦାର ପ୍ରଶାନ୍ତ ପଣ୍ଡାଙ୍କୁ ସମ୍ପୃକ୍ତ ମାଫିଆ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା ଗୁରୁତର ଅଭିଯୋଗ ଆସିଛି। କୋରେଇ ଥାନା ଅନ୍ତର୍ଗତ ମୀନାବଜାର ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅବୈଧ ମାଟି ଚୋରିକୁ ରୋକିବା ପାଇଁ ଘଟଣାସ୍ଥଳରେ ନିଜ ଟିମ୍ ସହିତ ପହଞ୍ଚିଥିଲେ ତହସିଲଦାର ପ୍ରଶାନ୍ତ ପଣ୍ଡା। ତେବେ ମାଫିଆଙ୍କ ନିର୍ଦ୍ଦେଶରେ ଟ୍ରାକ୍ଟର ଚାଳକ ଓ ଅନ୍ୟ ଅଭିଯୁକ୍ତ ମାନେ ଟ୍ରାକ୍ଟର ଚଢ଼ାଇ ତାଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତହସିଲଦାର ପ୍ରଶାନ୍ତ ପଣ୍ଡା ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କ ଡାହାଣ ଗୋଡ ଉପରେ ଟ୍ରାକ୍ଟର ଚଢିଯାଇ ଭାଙ୍ଗିଯାଇଛି। ତହସିଲଦାର ପ୍ରଶାନ୍ତ ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Also Read:- Chandrabhaga Sea Beach: ପୁର୍ନଜନ୍ମ ନେବ କି ଚନ୍ଦ୍ରଭାଗା ନଦୀ ? ପ୍ରାୟ ଶହେ ମିଟର ପଛକୁ ଘୁଞ୍ଚିଲା ସମୁଦ୍ର

ସେପଟେ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ସହ ଜଡିତ ଅଭିଯୁକ୍ତ ମାନଙ୍କୁ ଧରିବା ଓ ବ୍ୟବହୃତ ମେସିନ ଜବତ କରିବା ପାଇଁ ଚେଷ୍ଟା ଚାଲିଥିବା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅବୈଧ ମାଟି ଖନନ ସମେତ ବିବିଜିନ୍ନା ସମୟରେ ଲଘୁଖଣିଜ ଚୋରା କାରବାର ଓ ବେଆଇନ ପରିବହନକୁ ନେଇ ଏପରି ଆକ୍ରମଣ କରାଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଏଡିଏମ । ଏହି ଘଟଣା ଏବେ ଜିଲ୍ଲାର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି । ସେପଟେ ଟ୍ରାକ୍ଟର ଜବତ ହୋଇଥିବା ବେଳେ ମେସିନ ଜବତ କରାଯିବା ଏବଂ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଏମ କହିଛନ୍ତି।