ଉଦଳା ୧୦।୧୦: ମୟୁରଭଞ୍ଜ ଜିଲ୍ଲା ଉଦଳା ମେଡିକାଲ ପରିସରରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ପଛର ସତ ସାମ୍ନାକୁ ଆସିଛି । ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ ଘଟଣାର ପଛର ସତ । ଏମଭିଆଇଙ୍କ ଆଗରେ ସେଦିନ ଘଟିଥିବା ଘଟଣାର ପ୍ରକୃତ ସତ୍ୟ କହିଲେ ଆମ୍ବୁଲାନ୍ସ ଡ୍ରାଇଭର ବିକାଶ ପ୍ରଧାନ ।

ରୋଗୀଙ୍କୁ ଆମ୍ବୁଲାନ୍ସରେ ଭର୍ତ୍ତି କରିବା ପରେ ଅକ୍ସିଜେନ ଚାଲିଥିଲା । ସେହି ସମୟରେ ସମ୍ପର୍କୀୟ ମାଗିଥିଲେ ଅକ୍ସିମିଟର । ଡ୍ରାଇଭର ବିକାଶ ପ୍ରଧାନ ଅକ୍ସିମିଟର ଦେଇଥିବା ବେଳେ ଅଚାନକ ଆମ୍ବୁଲାନ୍ସ ଭିତରେ ଥିବା ବେସିନ ତଳୁ ଏକ ତାରରୁ ନିଆଁ ବାହାରିଥିଲା । ପରେ ଅକ୍ସିଜେନ ପାଇପ୍ରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଅକ୍ସିଜେନ ଲିକ୍ ହୋଇଥିଲା । ଆଉ ଏହାପରେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଏହି ସମୟରେ ଜୀବନକୁ ବାଜି ଲଗାଇ ନିଆଁ କବଳରୁ ଷ୍ଟ୍ରେଚର ଜରିଆରେ ରୋଗୀଙ୍କୁ ବାହାରକୁ ନେଇଥିଲେ । ମାତ୍ର ୨୦ ମିନିଟ୍ ଭିତରେ ସମ୍ପୂର୍ଣ୍ଣ ଆମ୍ବୁଲାନ୍ସଟି ଜଳିଯାଇଥିଲା ।

ଆମ୍ବୁଲାନ୍ସ ଭିତରେ ଥିବା ୪ଟି ଅକ୍ସିଜେନ୍ ଟାଙ୍କି ମଧ୍ୟରୁ ଦୁଇଟି ଫାଙ୍କା ଟାଙ୍କି ଥିବା ବେଳେ ଗୋଟିଏ ଟାଙ୍କିରୁ ହିଁ ନିଆଁ ଲାଗିଥିଲା । ଯେଉଁ ଟାଙ୍କି ନିଆଁ ଲାଗିଥିଲା ତାହା ହିଁ ପରବର୍ତ୍ତୀ ସମୟରେ ବ୍ଲାଷ୍ଟ ହୋଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ କହିଛନ୍ତି ।

Also Read:- ପବିତ୍ର ମହାଳୟାରେ ଧବଳମୁଖୀ ବେଶରେ ମା’ ସମଲେଶ୍ୱରୀ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଉଲ୍ଲେଖଯୋଗ୍ୟ ଯେ, ଗତ ୮ ତାରିଖରେ ଉଦଳା ମେଡିକାଲ ପରିସରରେ ଅକ୍ସିଜେନ୍ ସିଲିଣ୍ଡର ବ୍ଲାଷ୍ଟ୍ ହୋଇ ଆମ୍ବୁଲାନ୍ସଟି ଜଳିଯାଇଥିଲା । ରୋଗୀ ନେଇ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆମ୍ବୁଲାନ୍ସରେ ହଠାତ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଏଥିରେ ଥିବା ଅକ୍ସିଜେନ୍ ସିଲିଣ୍ଡରଟି ବ୍ଲାଷ୍ଟ୍ ହୋଇଥିଲା । ଫଳରେ ଆମ୍ବୁଲାନ୍ସଟି ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ, ଏଥିରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଆମ୍ବୁଲାନ୍ସର ଉପର ଅଂଶଟି ବିସ୍ଫୋରଣରେ ଉଡ଼ି ଅନ୍ୟ ଦୁଇ ରୋଗୀଙ୍କ ଉପରେ ପଡ଼ିବାରୁ ସେହି ଦୁଇ ଜଣ ଗୁରୁତର ମଧ୍ୟ ହୋଇଥିଲେ ।

Watch Video: