ଭୁବନେଶ୍ୱର ୦୮/୦୧: ଏସ୍ମାକୁ ଖାତିର କରୁନି ଓମ୍‌ସା । ଜିଦ୍‌ରେ ଅଟଳ, ଜାରି ରହିଛି ଆନ୍ଦୋଳନ । ରାଜ୍ୟରେ ଜାରି ରହିଥିବା ଡାକ୍ତର ଆନ୍ଦୋଳନର ସମାଧାନ ପାଇଁ ଆଜି ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆଜି ମଧ୍ୟାହ୍ଣ ୧୨ଟା ୩୦ରେ ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନର ପ୍ରତିନିଧି ଦଳ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ତେବେ ନିଜର ୧୮ ଦଫା ଦାବି ପୂରଣ ପାଇଁ ଓମ୍ସା ପକ୍ଷରୁ ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରହିଛି।

ଏହି ବୈଠକରେ ଡାକ୍ତରମାନଙ୍କର ବିଭିନ୍ନ ସମସ୍ୟା, ବିଶେଷ କରି ସୁରକ୍ଷା, ପଦୋନ୍ନତି ଏବଂ ଭିତ୍ତିଭୂମି ସମ୍ପର୍କିତ ଦାବି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଥିବା ବେଳେ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।

ସେପଟେ ଜିଦରେ ଅଟଳ ରହିଛି ଡାକ୍ତର ସଂଘ। ସରକାରଙ୍କ ଏସ୍‌ମା କୁ ଫୁ କରି ଉଡ଼ାଇଦେଇଛି ଓମ୍ସା। ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ୨ଘଣ୍ଟିଆ ଓପିଡି ବନ୍ଦ ଏସ୍ମା ଲାଗିବା ପରେ ମଧ୍ୟ ଜାରି ରହିଛି।ସରକାର ମଧ୍ୟ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାହସ ଜୁଟାଇ ପାରୁନାହାନ୍ତି। ସରକାର-ଡାକ୍ତରଙ୍କ କଳି ଭିତରେ କେବଳ ରୋଗୀମାନେ ହିଁ ହନ୍ତସନ୍ତ ହେଉଛନ୍ତି।

୧୦ ଦଫା ଦାବି ନେଇ ଗତ ଡିସେମ୍ବର ୨୬ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରଥମେ ୧ ଘଣ୍ଟା ଓପିଡି ବନ୍ଦ ହେଉଥିବା ବେଳେ ଏବେ ତାହା ୨ ଘଣ୍ଟାରେ ପହଞ୍ଚିଲାଣି। ଚିକିତ୍ସା ପାଇଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଚିକିତ୍ସା ବିଳମ୍ବିତ ହେଉଥିବାରୁ ପରୀକ୍ଷାନିରୀକ୍ଷା ଆହୁରି ସମସ୍ୟା ବଢ଼ାଉଛି।