ଚେନ୍ନାଇ: ତାମିଲନାଡୁ ନିର୍ବାଚନରେ ଜୋସେଫ ବିଜୟଙ୍କ ଦଳ ଟିଭିକେ କମାଲ କରିଥିଲା । ଯଦିଓ ଦଳ ବହୁମତ ପାଇନଥିଲା, କିନ୍ତୁ ମେଣ୍ଟ ସରକାର ଗଠନ କରିଛି ।  ବିଜୟଙ୍କ ସରକାରଙ୍କୁ ଲୋକଙ୍କ ସମର୍ଥନ ମିଳୁଥିବା ବେଳେ, ପରାଜିତ ଦଳ ଡିଏମକେ ଏଥିରେ ଖୁସି ନଥିବା କୁହାଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ ନୂଆ ସରକାରଙ୍କୁ ନେଇ ବଡ଼ ଦାବି କରିଛନ୍ତି । ଏପରିକି ତାମିଲନାଡୁ ରାଜନୀତିକୁ ନେଇ ଷ୍ଟାଲିନ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଆସନ୍ତା ୩ ରୁ ୬ ମାସ ମଧ୍ୟରେ ଯେକୌଣସି ସମୟରେ ପୁଣିଥରେ ନିର୍ବାଚନ ହୋଇପାରେ। ଚେନ୍ନାଇଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ, ଯେଉଁଠାରେ ଏଆଇଏଡିଏମକେ (AIADMK) ର ପୂର୍ବତନ ମନ୍ତ୍ରୀ ବେଞ୍ଜାମିନଙ୍କ ସହ ବହୁ ସଂଖ୍ୟକ କର୍ମୀ ଡିଏମକେରେ ଯୋଗ ଦେଇଥିଲେ, ସେଠାରେ କର୍ମୀଙ୍କୁ ସମ୍ବୋଧିତ କରି ସେ ଏଭଳି ଦାବି କରିଛନ୍ତି। 

ଷ୍ଟାଲିନ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଜୟ ସରକାରଙ୍କୁ ଦୁର୍ବଳ ବୋଲି କହିଛନ୍ତି ଏବଂ ସେ ନିଜର ୫ ବର୍ଷର କାର୍ଯ୍ୟକାଳ ପୂରଣ କରିପାରିବେ ନାହିଁ ବୋଲି ସଙ୍କେତ ଦେଇଛନ୍ତି। ନିଜ ଆସନରୁ ହାରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ, ସୁପରଷ୍ଟାର ବିଜୟଙ୍କ ଦଳ 'ତାମିଲଗା ଭେଟ୍ରି କାଝଗମ' ପାଖରେ ସ୍ୱାଧୀନ ଭାବରେ ସରକାର ଗଢ଼ିବା ପାଇଁ ଜନମତ ନାହିଁ। ବହୁମତ ପାଇଁ ୧୧୮ଟି ଆସନର ଆବଶ୍ୟକତା ଥିବାବେଳେ ଟିଭିକେ ମାତ୍ର ୧୦୮ଟି ଆସନ ଜିତିଛି। କଂଗ୍ରେସ, ବାମପନ୍ଥୀ ଦଳ, ଭିସିକେ ଏବଂ ଆଇୟୁଏମଏଲ ଭଳି ଦଳଗୁଡ଼ିକର ସମର୍ଥନରେ ଏହି ସରକାର ଚାଲିଛି, ଯେଉଁମାନେ କିଛି ଦିନ ପୂର୍ବରୁ ଡିଏମକେ ମେଣ୍ଟର ଅଂଶୀଦାର ଥିଲେ।

ସେ କହିଛନ୍ତି, ଏହି ସରକାର ଏକ ଦୋହଲୁଥିବା ଗାଡ଼ି ଭଳି। କେଉଁ ମୋଡ଼ରେ ଏହି ଗାଡ଼ି ଭାରସାମ୍ୟ ହରାଇ ହଠାତ୍ ଅଟକିଯିବ, ତାହା କେହି କହିପାରିବେ ନାହିଁ। ତେଣୁ ମୁଁ ଆପଣମାନଙ୍କୁ କହୁଛି, ନିର୍ବାଚନ ଯେକୌଣସି ସମୟରେ ଆସିପାରେ। ଆମେ ୫ ବର୍ଷକୁ ଅପେକ୍ଷା କରିପାରିବା ନାହିଁ। ଏବେଠାରୁ ହିଁ ନିର୍ବାଚନ ମୋଡକୁ ଚାଲିଆସନ୍ତୁ। ଷ୍ଟାଲିନ ଅଭିଯୋଗ କରିଛନ୍ତି ଯେ, ବିଜୟଙ୍କ ନେତୃତ୍ୱାଧୀନ ସରକାର ଆସିବା ପରେ ମାତ୍ର ମାସେ ମଧ୍ୟରେ ତାମିଲନାଡୁ ବିକାଶ ପଥରୁ ଦୂରେଇ ଯାଇଛି। ନିବେଶକମାନେ ପଡ଼ୋଶୀ ରାଜ୍ୟକୁ ଚାଲିଯାଉଛନ୍ତି। ଏହାସହ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ, ନିଶାଦ୍ରବ୍ୟ କାରବାର, ଡକାୟତି, ପେଟ୍ରୋଲ ବୋମା ମାଡ଼ ଏବଂ ବାରମ୍ବାର ବିଦ୍ୟୁତ କାଟ ଭଳି ସମସ୍ୟା ବୃଦ୍ଧି ପାଇଛି, ଯାହା ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାର ପ୍ରମାଣ ଦେଉଛି।

ଅନ୍ୟପଟେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ମଧ୍ୟ ଶାସକ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି। ପୁଦୁକୋଟ୍ଟାଇ ଏବଂ ତାଞ୍ଜାଭୁର ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ତାମିଲନାଡୁର ଜନସାଧାରଣ ଏବେ ପୂର୍ବର ସୁଶାସନକୁ ଖୋଜୁଛନ୍ତି। ସେ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ କଟାକ୍ଷ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଧାନସଭାରେ ଶାସନ କରିବା ଅପେକ୍ଷା କ୍ୟାମେରା ଆଙ୍ଗେଲ୍ ଏବଂ ନିଜର ପୋଜିସନ୍ ଚେକ୍ କରିବାରେ ବେଶୀ ବ୍ୟସ୍ତ ରହୁଛନ୍ତି। ସେ ପ୍ରତିଦିନ ସେଠାରେ ଅଭିନୟ କରୁଛନ୍ତି। ସେମାନଙ୍କ କାର୍ଯ୍ୟକଳାପ ଦେଖିଲେ ମନରେ ପ୍ରଶ୍ନ ଉଠୁଛି ଯେ, ଏହା ବିଧାନସଭା ଗୃହ ନା କୌଣସି ସିନେମା ହଲ୍ କିମ୍ବା ସୁଟିଂ ସ୍ପଟ୍ ? ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଡିଏମକେ ସରକାର ସମୟର ଜନପ୍ରିୟ ଯୋଜନାବନ୍ଦ କରିବାକୁ ଚେଷ୍ଟା କରି ବର୍ତ୍ତମାନର ସରକାର ବିଫଳ ହେଉଛନ୍ତି, କାରଣ ଏହା ଜନସାଧାରଣଙ୍କ ମଧ୍ୟରେ ବେଶୀ ଆଦୃତ।