ଦିଗପହଣ୍ଡି: ଦିଗପହଣ୍ଡି ସବ୍-ଜେଲ୍ ପରିସରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜେଲରେ କାର୍ଯ୍ୟରତ ଜଣେ ୱାର୍ଡରଙ୍କ ସନ୍ଦେହଜନକ ପରିସ୍ଥିତିରେ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଛି । ମୃତ ଜେଲ୍ ୱାର୍ଡର ଜଣକ ହେଲେ ଶିବାନନ୍ଦ ସ୍ୱାଇଁ ।

ମିଳିଥିବା ସୂଚନା ମୁତାବକ, ଆଜି ସକାଳ ୧୦ଟା ପରଠାରୁ ଶିବାନନ୍ଦ ନିଜ କ୍ୱାର୍ଟରର କବାଟ ଖୋଲି ନଥିଲେ । ଦୀର୍ଘ ସମୟ ଧରି ଘର ଭିତରୁ କୌଣସି ଶବ୍ଦ ନମିଳିବାରୁ ଅନ୍ୟ ୱାର୍ଡର ଓ ଜେଲ୍ କର୍ମଚାରୀମାନେ ସନ୍ଦେହ ପ୍ରକାଶ କରିଥିଲେ । ସେମାନେ ବାରମ୍ବାର କବାଟ ବାଡ଼େଇଥିଲେ ମଧ୍ୟ ଭିତରୁ କୌଣସି ପ୍ରତିକ୍ରିୟା ମିଳିନଥିଲା । ଶେଷରେ ବାଧ୍ୟ ହୋଇ କର୍ମଚାରୀମାନେ ଘରର ଗୋଟିଏ ଝରକା ଖୋଲି ଦେଖିବା ବେଳକୁ ଶିବାନନ୍ଦ ବେକରେ ରଶି ଲଗାଇ ଝୁଲୁଥିବା ଦୃଶ୍ୟ ନଜରକୁ ଆସିଥିଲା ।

Also Read:ମନ୍ଦିର ବାହାରେ ମହିଳା ଭିକ୍ଷୁକଙ୍କୁ ଚପଲରେ ପିଟିଲେ, ଗୋଇଠା ମାରିଲେ ବ୍ୟକ୍ତି; କୋଳରେ ଥିଲା ଶିଶୁ

ଘଟଣା ସମ୍ପର୍କରେ ତୁରନ୍ତ ପାଟପୁର ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପାଟପୁର ପୋଲିସ ଏବଂ ସାନଖେମୁଣ୍ଡି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ପାରିବାରିକ କଳହ ଯୋଗୁଁ ଶିବାନନ୍ଦ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପ୍ରାଥମିକ ଭାବେ ଚର୍ଚ୍ଚା ହେଉଥିଲେ ବି ମୃତ୍ୟୁର ସଠିକ୍ କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।