ମୟୂରଭଞ୍ଜ : ଭାଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଭଉଣୀର ଜୀବନ। ବିଧିର ବିଧାନ ଏମିତି ଥିଲା ଯେ, ପାଣିର ସୁଅରେ ଭାସି ଯାଇ ଉଭୟ ଭାଇ-ଭଉଣୀଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ମହ୍ଲାରପଦା ଗ୍ରାମରେ । ଭାଇ ପାଣିରେ ବୁଡ଼ିଯାଉଥିବା ଦେଖି ଉଦ୍ଧାର କରିବାକୁ ଯାଇଥିଲା ଦିବ୍ୟାଙ୍ଗ ଭଉଣୀ। ହେଲେ ଉଭୟ ଭାଇ ଭଉଣୀ ଙ୍କର ଭାସି ଯାଇ ପାଣିରେ ବୁଡି ହୋଇଛି ମୃତ୍ୟୁ। ଆଜି ସକାଳେ ସ୍ଥାନୀୟ ଲୋକେ ଭିନ୍ନ ଭିନ୍ନ ସ୍ଥାନରେ ନଦୀ ଭିତରେ ଦୁଇ ଗୋଟି ମୃତଦେହ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଖୁଣ୍ଟା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଦୁଇ ମୃତଦେହ ଉଦ୍ଧାର କରିଛି।

ମହ୍ଲାରପଦା ଗ୍ରାମର ପରମେଶ୍ୱର ନାୟକ ଏବଂ ତାଙ୍କ ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ନାୟକ ଘରେ ରୁହନ୍ତି। ହେଲେ ପରମେଶ୍ୱର ଘର ପାଖରେ ପ୍ରବାହିତ ନାଲୁହା ନଦୀ ର କେନାଲରେ ଅସାବଧାନତା ବଶତଃ ପଡି ଭାସି ଯାଉଥିଲେ। ଏହା ଦେଖି ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ତାଙ୍କୁ ଉଦ୍ଧାର କରିବା ନିମନ୍ତେ କେନାଲ ଭିତରକୁ ଓହ୍ଲାଇ ଥିବା ବେଳେ ସେ ନଦୀରୁ ପ୍ରବାହିତ କେନାଲ ର ପାଣି ସୁଅରେ ଭାସି ଯାଇଥିଲେ। ଯାହାକି ଘର ଠାରୁ ଏକ କିଲୋମିଟର ଦୂର ନାଲୁହା ନଦୀ ପାଣିରେ ଭାସି ଯାଇ କରକଚିଆ ପୋଲ ତଳେ ଅଟକିଥିଲେ। ତେବେ ପାଣିରେ ବୁଡି ଉଭୟ ଭାଇ ଏବଂ ଦିବ୍ୟାଙ୍ଗ ଭଉଣୀ ର ମୃତ୍ୟୁ ହୋଇଥିବା ବେଳେ ଅଗ୍ନିଶମ ବିଭାଗ ମହ୍ଲାର ପଦା ଗ୍ରାମ କେନାଲରୁ ଭାଇ ଏବଂ କରକଚିଆ ନାଲୁହା ନଦୀ ଭିତରୁ ଭଉଣୀର ମୃତଦେହକୁ ଉଦ୍ଧାର କରିଥିବା ବେଳେ ଖବର ପାଇ ଖୁଣ୍ଟା ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।