ନୂଆଦିଲ୍ଲୀ,୧୦|୦୬:ମାତ୍ର ଗୋଟିଏ ଦିନ । ଆରମ୍ଭ ହେବ ଫିଫା ବିଶ୍ୱକପ୍ ୨୦୨୬ । ସବୁ ଦଳ ପ୍ରସ୍ତୁତ ହେଲେଣି । ଚାମ୍ପିଅନ୍ ହେବାକୁ ଗେମ୍ ପ୍ଲାନ୍ ତିଆରି କଲେଣି । ତେବେ ଫିଫା ବିଶ୍ୱକପ ଖେଳୁନି ଭାରତ । କିନ୍ତୁ ୧୯୫୦ ମସିହାରେ ଭାରତକୁ ଫିଫା ଖେଳିବା ପାଇଁ ଚୟନ କରାଯାଇଥିଲା । ଯାହା ବ୍ରାଜିଲରେ ଖେଳାଯାଇଥିଲା । କିନ୍ତୁ ଦଳ ଗୋଟିଏ ହେଲେ ମ୍ୟାଚ୍ ଖେଳିନଥିଲା । ଆହୁରି ଅନେକ ରୋଚକ ତଥ୍ୟ ରହିଛି ଭାରତୀୟ ଫୁଟବଲ ଇତିହାସରେ । ଆସନ୍ତୁ ନଜର ପକାଇବା ଭାରତ ଏବଂ ଫୁଟବଲ ବିଶ୍ୱକପର ୧୦ଟି ବଡ ସିକ୍ରେଟ୍ ଉପରେ ।

ଏସିଆରେ ଭାରତ ସହ ବର୍ମା, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ବିଶ୍ୱକପ୍ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିଲେ । କିନ୍ତୁ ଭାରତ ବ୍ୟତୀତ ସମସ୍ତ ଦଳ ନିଜ ନାଁ ପ୍ରତ୍ୟାହାର କରିନେଇଥିଲେ । ଫଳରେ ଭାରତ ୧୯୫୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା ।

୧୯୫୦ରେ ଖେଳାଯାଇଥିବା ବିଶ୍ୱକପ୍ ଫୁଟବଲ ଇତିହାସରେ ଚତୁର୍ଥ ବିଶ୍ୱକପ୍ ଥିଲା । ଅନେକ ଦେଶ ଏହାକୁ ସେତେଟା ଗୁରୁତ୍ୱ ଦେଉନଥିଲେ ।

୩୪ଟି ଦେଶ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଭାଗ ନେଇଥିଲେ । କିନ୍ତୁ ୧୩ଟି ଟିମ୍ ବ୍ରାଜିଲ ଯାଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ଅନେକ ଦେଶର ଅର୍ଥନୈତିକ ସ୍ଥିତି ଠିକ୍ ନଥିଲା । ତେଣୁ ଖେଳାଳିଙ୍କୁ ଅର୍ଥ ଦେଇପାରିନଥିଲେ ।

ଭାରତକୁ ସେତେବେଳେ ଗ୍ରୁପ୍- ସିରେ ଥିଲା । ଏହି ଗ୍ରୁପରେ ସ୍ୱିଡେନ୍, ପାରାଗୁଏ ଏବଂ ଇଟାଲୀ ରହିଥିଲେ । ଜୁନ ୨୮ରେ ଭାରତ ନିଜର ପ୍ରଥମ ମ୍ୟାଚ୍ ଖେଳିଥାନ୍ତା । ହେଲେ ଏହା ସମ୍ଭବ ହୋଇନଥିଲା ।

କୁହାଯାଏ ଯେ, ଭାରତୀୟ ଖେଳାଳି ଖାଲି ପାଦରେ ଖେଳିବାକୁ ଦାବି କରିଥିଲେ । ଯାହା ମିଛ ଅଟେ । କାରଣ ୧୯୫୩ ଯାଏଁ ଫିଫା ପକ୍ଷରୁ ସେପରି କିଛି ନିୟମ ନଥିଲା ।

ଭାରତ ବିଶ୍ୱକପ୍ ଖେଳିବା ଏବଂ ନଖେଳିବା ନେଇ ଦୀର୍ଘ ଦିନ ଧରି ଆଲୋଚନା ହୋଇଥିଲା ।ଶେଷରେ ୧୯୫୦ ମେ ୨୩ରେ ଭାରତ ଖେଳିବନି ବୋଲି ଫୁଟବଲ ଫେଡେରେସନ କହିଥିଲା । କାରଣ ଭାରତ ପାଖରେ ବ୍ରାଜିଲରେ ପହଁଚିବା ପାଇଁ ପର୍ଯ୍ୟାପ୍ତ ସମୟ ନଥିଲା ।

୧୯୪୮ରେ ଭାରତୀୟ ଖେଳାଳି ପ୍ରଥମେ ଖାଲି ପାଦରେ ଲଣ୍ଡନ ଅଲିମ୍ପିକ୍ସରେ ଫୁଟବଲ ଖେଳିଥିଲେ । ଫ୍ରାନ୍ସ ବିପକ୍ଷରେ ଏହି ମୁକାବିଲା ଖେଳାଯାଇଥିଲା । ଯାହାର ଫଟୋ ମଧ୍ୟ ରହିଛି ।

ପୂର୍ବରୁ ଭାରତୀୟ ଫୁଟବଲ ଫେଡେରେସନ୍ ବିଶ୍ୱକପ୍ ଅପେକ୍ଷା ଅଲମ୍ପିକକୁ ଅଧିକ ଫୋକସ କରୁଥିଲା । ସେତେବେଳେ ଫିଫା ସେତେଟା ପ୍ରସିଦ୍ଧି ଅର୍ଜନ କରିନଥିଲା ।

୧୯୫୦ରେ ବିଶ୍ୱକପ୍ ନଖେଳିବା ନିଷ୍ପତ୍ତି ପରେ ଦଳକୁ ୧୯୮୬ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ୧୯୮୬ରେ ଭାରତ ପୁଣି ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଖେଳିଥିଲା ।

ଏବେ ଭାରତୀୟ ଫୁଟବଲ ଦଳ ଫିଫା ରାଙ୍କିଂରେ ୧୩୯ ସ୍ଥାନରେ ରହିଛି ।