ସୌରାଷ୍ଟ୍ର: ଘରୋଇ କ୍ରିକେଟରେ କ୍ରମାଗତ ୱିକେଟ୍ ନେବା ବି ଟିମ୍ ଇଣ୍ଡିଆ ପର୍ଯ୍ୟନ୍ତ ପହଞ୍ଚିବାର ଗ୍ୟାରେଣ୍ଟି ହୋଇ ନ ଥାଏ । ଏଭଳି ଏକ କାହାଣୀ ହେଉଛି ଅଭିଜ୍ଞ ସ୍ପିନର ଧର୍ମେନ୍ଦ୍ରସିଂହ ଜାଡେଜାଙ୍କର । ୩୬ ବର୍ଷୀୟ ଜାଡେଜା ଘରୋଇ କ୍ରିକେଟରେ ୱିକେଟର ଝଡ଼ ଲଗାଇଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଭାରତୀୟ ସିନିୟର ଟିମ୍ ପାଇଁ ଖେଳିବାର ସୁଯୋଗ ମିଳିନାହିଁ । ଫାର୍ଷ୍ଟ କ୍ଲାସ୍, ଲିଷ୍ଟ-ଏ ଏବଂ ଟି-୨୦ କ୍ରିକେଟକୁ ମିଶାଇ ଏହି ବାମହାତୀ ସ୍ପିନର ସୋଟାଲ ୬୦୯ଟି ୱିକେଟ୍ ନେଇ ସାରିଛନ୍ତି । ରଣଜୀ ଟ୍ରଫିରେ ଗତ ଅନେକ ସିଜିନରେ ତାଙ୍କର ପ୍ରଦର୍ଶନ ଚମତ୍କାର ରହିଛି, କିନ୍ତୁ ଏପର୍ଯ୍ୟନ୍ତ ସେ ଭାରତୀୟ ସିନିୟର ଟିମରେ ସ୍ଥାନ ପାଇପାରି ନାହାନ୍ତି ।

ଧର୍ମେନ୍ଦ୍ରସିଂହ ୧୦୦ଟି ଫାର୍ଷ୍ଟ କ୍ଲାସ୍ ମ୍ୟାଚରେ ୨୬.୨୫ ହାରରେ ୪୨୩ଟି ୱିକେଟ୍ ନେଇଛନ୍ତି । ସେ ୨୬ ଥର ଗୋଟିଏ ଇନିଂସରେ ୫ କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେଇସାରିଛନ୍ତି । ୭ ଥର ଗୋଟିଏ ମ୍ୟାଚରେ ୧୦ କିମ୍ବା ତା’ଠାରୁ ଅଧିକ ୱିକେଟ୍ ହାସଲ କରିଛନ୍ତି ।

ଧର୍ମେନ୍ଦ୍ରସିଂହ ଜାଡେଜାଙ୍କ ରେକର୍ଡ କେବଳ ଫାର୍ଷ୍ଟ କ୍ଲାସ୍ କ୍ରିକେଟ୍ ମଧ୍ୟରେ ସୀମିତ ନୁହେଁ । ସେ ୯୦ଟି ଲିଷ୍ଟ-ଏ ମ୍ୟାଚରେ ୨୮.୩୩ ହାରରେ ୧୨୧ଟି ୱିକେଟ୍ ହାସଲ କରିଛନ୍ତି । ଏହି ଫର୍ମାଟରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୭/୧୦ ରହିଛି । ଅନ୍ୟପଟେ ୭୩ଟି ଟି-୨୦ ମୁକାବିଲାରେ ତାଙ୍କ ନାଁରେ ୨୪.୯୨ ହାରରେ ୬୫ଟି ୱିକେଟ୍ ରହିଛି ।

ଧର୍ମେନ୍ଦ୍ରସିଂହ ବ୍ୟାଟରେ ମଧ୍ୟ ରନ୍ ସଂଗ୍ରହ କରିବାରେ ମାହିର । ଫାର୍ଷ୍ଟ କ୍ଲାସ୍ ମ୍ୟାଚରେ ୨୧୨୩ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୭ଟି ଅର୍ଦ୍ଧଶତକ ସାମିଲ ଅଛି । ଲିଷ୍ଟ-ଏ କ୍ରିକେଟରେ ସେ ୫୬୬ ରନ୍ ଏବଂ ଟି-୨୦ ମ୍ୟାଚରେ ୨୦୮ ରନ୍ ସ୍କୋର କରିଛନ୍ତି ।

ଫାର୍ଷ୍ଟ କ୍ଲାସ୍ କ୍ରିକେଟରେ ତାଙ୍କର ଗୋଟିଏ ଇନିଂସରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ୭/୩୨ ରହିଛି । ଏହି ସଂଖ୍ୟା ଦର୍ଶାଉଛି ଯେ ସେ କେବଳ ଦୀର୍ଘ ସମୟ ଧରି ଖେଳୁଥିବା ବୋଲର ନୁହନ୍ତି, ବରଂ କ୍ରମାଗତ ଭାବେ ୱିକେଟ୍ ହାସଲ କରୁଥିବା ସୌରାଷ୍ଟ୍ରର ବୋଲରଙ୍କ ମଧ୍ୟରେ ସାମିଲ ଥିଲେ ।

ଧର୍ମେନ୍ଦ୍ରସିଂହ ଜାଡେଜାଙ୍କ ସବୁଠାରୁ ବଡ଼ ସଫଳତା ମଧ୍ୟରୁ ଗୋଟିଏ ହେଉଛି ରଣଜୀ ଟ୍ରଫିରେ ତାଙ୍କର ନିରନ୍ତର ପ୍ରଦର୍ଶନ । ୨୦୧୭-୧୮ ସିଜିନରୁ ନେଇ ଏପର୍ଯ୍ୟନ୍ତ ଧର୍ମେନ୍ଦ୍ରସିଂହ ଜାଡେଜା ୨୯୩ଟି ରଣଜୀ ୱିକେଟ୍ ନେଇସାରିଛନ୍ତି । ଏହି ସମୟ ମଧ୍ୟରେ କୌଣସି ବି ବୋଲର ତାଙ୍କଠାରୁ ଅଧିକ ୱିକେଟ୍ ନେଇନାହାନ୍ତି । ଏହା ସତ୍ତ୍ୱେ ଭାରତୀୟ ଟେଷ୍ଟ ଟିମରେ ତାଙ୍କୁ ସୁଯୋଗ ମିଳିପାରି ନାହିଁ । ଭାରତ ପାଖରେ ଏହି ସମୟ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କ ଭଳି ସ୍ପିନ୍ ବିକଳ୍ପ ଥିଲେ, ଯାହାଫଳରେ ଜାତୀୟ ଟିମରେ ସ୍ଥାନ ପାଇବାରେ ପ୍ରତିଯୋଗିତା ଅତ୍ୟନ୍ତ କଠିନ ରହିଥିଲା ।

Also Read: ‘ଦେଶ ପାଇଁ ଖେଳିବାକୁ ପ୍ରସ୍ତୁତ’; ବିସିସିଆଇ ଚୟନକର୍ତ୍ତା ଓ ଗୌତମ ଗମ୍ଭୀରଙ୍କୁ ସାମିଙ୍କ ପକ୍ଷରୁ ବଡ଼ ବାର୍ତ୍ତା

ଧର୍ମେନ୍ଦ୍ରସିଂହ ୨୦୧୯-୨୦ ଏବଂ ୨୦୨୨-୨୩ ସିଜିନରେ ରଣଜୀ ଟ୍ରଫି ବିଜେତା ଟିମର ଅଂଶ ରହିସାରିଛନ୍ତି । ଏବେ ତାଙ୍କର ସୌରାଷ୍ଟ୍ର ସହ ଦୀର୍ଘ ଯାତ୍ରା ଶେଷ ହୋଇଯାଇଛି । ଧର୍ମେନ୍ଦ୍ରସିଂହ ଜାଡେଜା ଏବେ ଛତିଶଗଡ଼ ପାଇଁ ନୂଆ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଗୋଟିଏ ପ୍ରଶ୍ନ ଏବେ ବି ରହିଛି, ୧୦୦ଟି ଫାର୍ଷ୍ଟ କ୍ଲାସ୍ ମ୍ୟାଚ୍, ରଣଜୀରେ ବର୍ଷ ବର୍ଷ ଧରି ଦବଦବା ଏବଂ ୬୦୦ରୁ ଅଧିକ ୱିକେଟ୍ ସତ୍ତ୍ୱେ କ’ଣ ଟିମ୍ ଇଣ୍ଡିଆର ଦ୍ୱାର ତାଙ୍କ ପାଇଁ ଖୋଲିବ ?