କୋଲକାତା: ପଶ୍ଚିମବଙ୍ଗରେ ଡେଙ୍ଗୁ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୫ ହଜାର ପାର କରିଯାଇଛି। ରବିବାର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ତାଜା ବୁଲେଟିନ ଅନୁସାରେ ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୫୦୦୨କୁ ପହଞ୍ଚିଛି। ଜନୈକ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଗତ ଅଗଷ୍ଟ ୧୧ ତାରିଖ ବେଳକୁ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ମାତ୍ର ୨,୫୦୦ରୁ ବି କମ୍ ଥିଲା। ବିଭାଗ ଦ୍ୱାରା ଉପଲବ୍ଧ କରାଯାଇଥିବା ତଥ୍ୟ ରେ ଏପର୍ଯ୍ୟନ୍ତ ଆକ୍ରାନ୍ତ ଲୋକଙ୍କ ଅଧିକତମ ସଂଖ୍ୟା ମୁର୍ଶିଦାବାଦ ଜିଲ୍ଲାରୁ ଦେଖା ଯାଇଛି। ଏଠାରେ ସର୍ବାଧିକ ୧,୦୭୨ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ରାଜଧାନୀ କୋଲକାତାରେ ଏ ପର୍ଯ୍ୟନ୍ତ ୫୦୦ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ୨୪ପ୍ରଗଣାରେ ୪୫୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଗତ କିଛି ବର୍ଷ ହେଲା ଏହି ୩ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହୁଛି। ଅଧିକାରୀ କହିଛନ୍ତି ଯେ ସେପ୍ଟେମ୍ବର ୨ ତାରିଖ ଦିନ ସ୍ୱାସ୍ଥ୍ୟ ବିଭାଗ ପଶ୍ଚିମବଙ୍ଗରେ ଡେଙ୍ଗୁ ମାମଲାର ମନିଟିରିଂ ଓ ନିୟନ୍ତ୍ରଣ ପାଇଁ ଏକ ଏସଓପି ଜାରି କରିଥିଲା। ଏଥିରେ ଘରକୁ ଘର ଯାଇ ଡେଙ୍ଗୁ ଲକ୍ଷଣ ଥିବା ଲୋକଙ୍କ ତତ୍କାଳ ରକ୍ତ ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା।

ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ଅଚାନକ ବୃଦ୍ଧି ଏହା ଦର୍ଶାଉଛି ଯେ ଏସଓପି ଗାଇଡଲାଇନକୁ ପରିଶ୍ରମ ପୂର୍ବକ ପାଳନ କରାଯାଇଛି। ତଥ୍ୟ ଏହା ମଧ୍ୟ ସାବ୍ୟସ୍ତ କରୁଛି ଯେ ଚଳିତବର୍ଷ ଅଜ୍ଞାତ ଜ୍ୱର କହି ପ୍ରଭାବିତ ତଥ୍ୟକୁ କମ କରିବା ଘଟଣା ଘଟି ନାହିଁ। ଯାହା ଗତ କିଛି ବର୍ଷ ହେଲା ବଡ଼ ଧରଣରେ ଚାଲିଥିଲା। ସ୍ୱାସ୍ଥ୍ୟ ବିଭାଗ ସବୁ ଜିଲ୍ଲା ଅଧିକାରୀଙ୍କୁ ଡେଙ୍ଗୁ ଲକ୍ଷଣ ଥିବା ଲୋକଙ୍କ ଯାଞ୍ଚ କରିବା ପାଇଁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାପକ ଅଭିଯାନ ଚଳାଇବାକୁ ନିର୍ଦ୍ଦେଶ ଦେଇଛି।