ଆଠଗଡ଼ ୩୦।୮: ସିସିଟିଭି କ୍ୟାମେରା ପାଇଁ ରକ୍ଷା ପାଇଗଲା ଜଣେ ଡେଲିଭରି ବୟଙ୍କ ଜୀବନ । ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ଡେଲିଭରି ବୟ । ଏତେ ଗାଡ଼ି ମୋଟର ଯାତାୟାତ କରୁଥିବା ସତ୍ତ୍ୱେ କେହି ବି ସାହାଯ୍ୟ ପାଇଁ ଆଗେଇ ଆସିନଥିଲେ । ତେବେ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ ଦେଖି ଡେଲିଭରି ବୟଙ୍କୁ ଉଦ୍ଧାର କରିଛନ୍ତି ଜଣେ ଯୁବକ । ଘଟଣାଟି ଆଠଗଡ଼ ବୀରକିଶୋରପୁର ୬୫ ନମ୍ବର ରାଜ୍ୟ ରାଜପଥରେ ।

ଜଣେ ଡେଲିଭରି ବୟ ବାଇକ୍ ଯୋଗେ ଯାଉଥିବା ସମୟରେ ଆଠଗଡ଼ ବୀରକିଶୋରପୁର ୬୫ ନମ୍ବର ରାଜ୍ୟ ରାଜପଥରେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା ଉପରେ ପଡ଼ିଯାଇଥିଲେ । ଦୁର୍ଘଟଣା ପରେ ସେ ରାସ୍ତାରେ ପଡ଼ି ରହିଥିବା ବେଳେ ଅନେକ ଗାଡ଼ି ଓ ମୋଟର ଯାତାୟାତ କରୁଥିଲା । ହେଲେ ଆଶ୍ଚର୍ଯ୍ୟର କଥା, ରାସ୍ତାରେ ଜଣେ ଯୁବକ ଅସହାୟ ଅବସ୍ଥାରେ ପଡ଼ିଥିଲେ ସୁଦ୍ଧା କେହି ମାନବିକତା ଦେଖାଇ ତାଙ୍କ ସହାୟତା ପାଇଁ ଆଗେଇ ଆସିନଥିଲେ ।

ଏହି ସମୟରେ ନିକଟସ୍ଥ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ ଘଟଣାଟି ନଜରକୁ ଆସିଥିଲା । ଘର ମାଲିକ ପ୍ରଦୀପ୍ତ ତୁଙ୍ଗଙ୍କ ପୁଅ ପ୍ରଣବ ତୁଙ୍ଗ ସିସିଟିଭିରେ ଏହି ଦୃଶ୍ୟ ଦେଖି ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ । ପରେ ଡେଲିଭରି ବୟଙ୍କୁ ରାସ୍ତାରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଥିଲେ । ସିସିଟିଭି ହେଲା ସହାୟକ, ମାନବିକତା ଦେଖାଇଲେ ଯୁବକ । ରାସ୍ତାରେ ପଡ଼ିଥିବା ଡେଲିଭରି ବୟଙ୍କୁ ଉଦ୍ଧାର କରି ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି ପ୍ରଣବ ତୁଙ୍ଗ ।

Watch Video: