ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ପାଗ ବିଗିଡ଼ିବାରେ ଲାଗିଛି । ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରହିଥିବା ଏହି ଗଭୀର ଅବପାତଟି ଘଣ୍ଟା ପ୍ରତି ୦୫ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରୁଛି । ଭାରତୀୟ ସମୟ ଅନୁସାରେ ଆଜି ରାତି ସାଢ଼େ ୮.୩୦ଟାରୁ ୧୧.୩୦ଟା ମଧ୍ୟରେ ଏହା ବିଶାଖାପାଟନମ ଏବଂ ଗୋପାଳପୁର ମଧ୍ୟରେ କାଳିଙ୍ଗପାଟନମ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କି.ମି. ଏବଂ ଝଟକା ପବନର ବେଗ ୭୫ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

​​​​​​​

ଉପକୂଳ ଅତିକ୍ରମ କରିବା ପରେ ଧୀରେ ଧୀରେ ଏହା ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ଉପର ଦେଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ତେଣୁ ଏହାର ପ୍ରଭାବରେ ଏହି ସମସ୍ତ ଜିଲ୍ଲାମାନଙ୍କରେ ଏବଂ ନିକଟସ୍ଥ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ବର୍ଷା ହେଉଛି ଏବଂ ବର୍ଷାର ପରିମାଣ ମଧ୍ୟ ଧୀରେ ଧୀରେ ବଢୁଛି ।

ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ସମୁଦ୍ର ଅଶାନ୍ତ ରହିଛି ଓ ବର୍ଷା ପବନ ଲାଗି ରହିଛି । ବର୍ତ୍ତମାନ ଉପକୂଳ ଅଞ୍ଚଳରେ ଏବଂ ନିକଟସ୍ଥ ସମୁଦ୍ରରେ ପବନ ୫୫ରୁ ୬୫ କିଲୋମିଟର ପ୍ରତି ଘଣ୍ଟା, ଝଟକା ପ ୭୫ କିଲୋମିଟର ପ୍ରତି ଘଣ୍ଟା ପ୍ରବାହିତ ହେଉଛି । ଗଭୀର ଅବତାପ ପ୍ରଭାବରେ ଗତ ଦୁଇ ଦିନ ଧରି ଓଡ଼ିଶାରେ ବର୍ଷା ହେଉଛି । ଏହାର ପ୍ରଭାବରେ ବିଶେଷତଃ ଦକ୍ଷିଣ ଓଡ଼ିଶାରେ ଗୋଟିଏ ଦୁଇ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଉପକୂଳ ଅଞ୍ଚଳରେ ମଧ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଜି ବର୍ଷା ପୁଣି ଜାରି ରହିଛି ଏବଂ ୨୪ ତାରିଖରେ ମଧ୍ୟ ବର୍ଷା ଜାରି ରହିବ । ବର୍ଷାର ତୀବ୍ରତା ଆଜି ବଢ଼ିବାର ସମ୍ଭାବନା ରହିଛି, ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି ।

କ୍ରମାଗତ ବର୍ଷା ଯୋଗୁଁ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ସହରାଞ୍ଚଳରେ ମଧ୍ୟ ଜଳମଗ୍ନ ହୋଇପାରେ । ଏହି ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳର ଅନେକ ସ୍ଥାନରେ ଭୂସ୍ଖଳନ, ପଥର ଖସିବା କିମ୍ବା ମାଟି ଅଦଡ଼ା ଖସିବା ସମ୍ଭାବନା ରହିଛି । ପବନ ଏବଂ ବର୍ଷା ପ୍ରଭାବରେ ଛୋଟ ଛୋଟ ଗଛ ଉପଡ଼ିପାରେ । ମାଟିଘରଗୁଡ଼ିକ ମଧ୍ୟ ଏଥିରେ ପ୍ରଭାବିତ ହେଇପାରନ୍ତି । ସଜନା, ଅମୃତଭଣ୍ଡା, କଦଳୀ ଗଛ ବିଶେଷଭାବରେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।