ଚେନ୍ନାଇ, ୦୫/୦୫: ଆଇପିଏଲର ୪୮ ତମ ଲିଗ୍ ମୁକାବିଲାରେ ମଙ୍ଗଳବାର ମୁହାଁମୁହିଁ ହେବେ ସିଏସକେ ଏବଂ ଡିସି । ଦିଲ୍ଲୀ କ୍ୟାପିଟାଲ୍ସ ଘରୋଇ ଗ୍ରାଉଣ୍ଡରେ ଚେନ୍ନାଇକୁ ଭେଟିବ । ଉଭୟ ଦଳ ପାଇଁ ବିଜୟ ଜରୁରୀ ହୋଇ ପଡ଼ିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଉଭୟ ଦଳ ୯ଟି ଲେଖାଏଁ ଲିଗ୍ ମ୍ୟାଚ ଖେଳିଛନ୍ତି ଓ ୪ ବିଜୟ ସହ ୮ ପଏଣ୍ଟ ଲେଖାଏଁ ପାଇଛନ୍ତି । ପଏଣ୍ଟ ତାଲିକାରେ ଚେନ୍ନାଇ ଷଷ୍ଠ ଓ ଦିଲ୍ଲୀ ସପ୍ତମ ସ୍ଥାନରେ ରହିଛନ୍ତି । ଦିଲ୍ଲୀ ଜିତିଲେ ଚେନ୍ନାଇକୁ ପଛରେ ପକାଇ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇ ପାରିବ । ଚେନ୍ନାଇ ଜିତିଲେ ପୂର୍ବ ସ୍ଥାନ ବଜାୟ ରଖିବ । ଉଭୟ ଦଳର ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଛି । କେହି ସ୍ଥିର ପ୍ରଦର୍ଶନ କରିପାରୁ ନାହାନ୍ତି । ତଥାପି ଆଜି ଚେନ୍ନାଇ ପଲା ଭାରି ରହିବା ଆଶା କରାଯାଉଛି ।

ଉଭୟ ଦଳ ମଧ୍ୟରେ ମୋଟ୍ ୩୨ଟି ମ୍ୟାଚ ଖେଳାଯାଇଛି । ଏଥିରୁ ଚେନ୍ନାଇ ୨୦ଟି ମ୍ୟାଚ ଜିତିଛି । ଚଳିତ ସିଜନରେ ଉଭୟ ଦଳ ଗତ ମାସ ୧୧ ତାରିଖରେ ପରସ୍ପରକୁ ଭେଟିଥିଲେ । ଚେନ୍ନାଇ ଉକ୍ତ ମ୍ୟାଚ ଜିତିଥିଲା । ଏଥର ଦିଲ୍ଲୀ ନିଜ ଘରୋଇ ଗ୍ରାଉଣ୍ଡରେ ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଦିଲ୍ଲୀ ଦଳରେ ପରିବର୍ତ୍ତନ ହେବା ଏକ ପ୍ରକାର ନିଶ୍ଚିତ । ଗତ ୨୫ ତାରିଖରେ ପଞ୍ଜାବ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ଆହତ ହୋଇଥିବା ଲୁଙ୍ଗି ଏନଗିଡ଼ି ଫିଟ୍ ଘୋଷିତ ହୋଇଛନ୍ତି । ଫଳରେ ସେ ଏକାଦଶକୁ ଫେରିବେ ଓ କେଲି ଜାମିସନ ଏକାଦଶରୁ ବାଦ ପଡ଼ିବେ । ଡେଭିଡ ମିଲର ଖେଳିବା ସମ୍ଭାବନା ନାହିଁ । ସାହିଲ ପରଖ ଫିଟ୍ ହୋଇ ନଥିବାରୁ ମଧ୍ୟ ଖେଳିବେ ନାହିଁ । ପଥୁମ ନିଶଙ୍କ ଓପନ କରିବା ନିଶ୍ଚିତ ।

ସେହପରି ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ଦଳ ସହ ଦିଲ୍ଲୀ ଯାତ୍ରା କରି ନାହାନ୍ତି । ତେଣୁ ସେ ଖେଳିବେ ନାହିଁ । ସେହିପରି ଉର୍ଭିଲ ପଟେଲଙ୍କୁ ବାଦ ଦେଇ ତାଙ୍କ ସ୍ଥାନରେ ସର୍ଫରାଜ ଖାନଙ୍କୁ ଫେରାଇ ଆଣିବାକୁ ଚେନ୍ନାଇ ଚିନ୍ତା କରୁଛି । ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ କାକର ଯୋଗୁଁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।