ରାଜକୋଟ୍: କେଏଲ ରାହୁଲଙ୍କ ଶତକ ଉପରେ ଭାରି ପଡ଼ିଲା ଡାରିଲ ମିଚେଲଙ୍କ ଶତକ। ମିଚେଲଙ୍କ ଅପରାଜିତ ୧୩୧ ରନ ଓ ଓ୍ଵିଲ ୟଙ୍ଗଙ୍କ ୮୭ ରନ ବଳରେ ନ୍ୟୁଜିଲାଣ୍ଡ ଦ୍ଵିତୀୟ ଦିନିକିଆରେ ଭାରତକୁ ସହଜରେ ୭ ଓ୍ଵିକେଟରେ ହରାଇଛି। ରାଜକୋଟ୍ ଦିନିକିଆ ଜିତି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୧-୧ରେ ବରାବର କରିଛି ନ୍ୟୁଜିଲାଣ୍ଡ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ କେଏଲ ରାହୁଲଙ୍କ ଅପରାଜିତ ୧୧୨ ରନ ଓ ଗିଲଙ୍କ ୫୬ ରନ ବଳରେ ୭ ଓ୍ଵିକେଟ୍ ହରାଇ ୨୮୪ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ମାତ୍ର ୩ ଓ୍ଵିକେଟ୍ ହରାଇ ୪୭.୩ ଓଭରରେ ଲକ୍ଷ୍ୟ ହାସଲ କରି ନେଇଛି। ଆଉ କେଏଲ ରାହୁଲଙ୍କ ଶତକ ବୃଥା ହୋଇଛି। ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଜାନୁଆରୀ ୧୮ରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ।

୨୮୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡର ଆରମ୍ଭ ସେତେଟା ଭଲ ନ ଥିଲା। ୨୨ ରନ ସ୍କୋରରେ ଡେଭନ କନଓ୍ଵେ(୧୬)ଙ୍କୁ ଆଉଟ୍ କରିଥିଲେ ହର୍ଷିତ ରାଣା। ହେନରି ନିକୋଲାସ(୧୦ ରନ)ଙ୍କୁ ବୋଲ୍ଡ କରିଥିଲେ ପ୍ରସିଦ୍ଧ କୃଷ୍ଣା। ଏହା ପରେ ଓ୍ଵିଲ ୟଙ୍ଗ ଓ ଡାରିଲ ମିଚେଲ୍ ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଭାରତୀୟ ବୋଲରଙ୍କୁ ନୟାନ୍ତ ହେବାକୁ ପଡ଼ିଥିଲା। ଦୁଇ ବ୍ୟାଟର ପ୍ରହାର କରି ତୃତୀୟ ଓ୍ଵିକେଟ୍ ପାଇଁ ୧୬୨ ରନ ଯୋଡ଼ି ନ୍ୟୁଜିଲାଣ୍ଡର ବିଜୟ ସହଜ କରିଥିଲେ।

ଓ୍ଵିଲ ୟଙ୍ଗ ୯୮ ବଲରୁ ୭ ଚୌକା ସହ ୮୭ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଅନ୍ୟପଟେ ଡାରିଲ ମିଚେଲ୍ ଭାରତୀୟ ବୋଲରଙ୍କ ଉପରେ ପ୍ରହାର ଜାରି ରଖିଥିଲେ। ଏହି ମ୍ୟାଚରେ ଭାରତୀୟ ବୋଲର ପ୍ରଭାବହୀନ ରହିଥିଲେ। ଡାରିଲ ଶତକ ହାସଲ କରିବା ସହ ଗ୍ଲେନ ଫିଲ୍ପିପ୍ସଙ୍କ ସହ ମିଶି ଦଳକୁ ବିଜୟୀ କରାଇଥିଲେ। ଦୁଇ ବ୍ୟାଟର ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୭୮ ରନ ଯୋଡ଼ିଥିଲେ। ମିଚେଲ୍ ୧୧୭ ବଲରୁ ୧୧ ଚୌକା ଓ ୨ ଛକା ସହ ୧୩୧ ରନ କରି ଅପରାଜିତ ଥିଲେ। ଫିଲିପ୍ସ ୩୨ ରନ କରିଥିଲେ। 

ଭାରତ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଭଲ ଆରମ୍ଭ ଦେଇଥିଲେ। ପ୍ରଥମ ୫ ଓଭର କିଓ୍ଵି ବୋଲର ଶାଣିତ ବୋଲିଂ କରିଥିଲେ। ଏହା ପରେ ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍ ପାଇଁ ୭୦ ରନ ଯୋଡ଼ିଥିଲେ। ଏହି ସ୍କୋରରେ ରୋହିତ ୨୪ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ଶୁଭମନ ଗିଲ୍ ଦମଦାର ବ୍ୟାଟିଂ କରି ୫୩ ବଲରୁ ୯ ଚୌକା ଓ ୧ ଛକା ସହ ୫୬ ରନ କରିଥିଲେ। ଶ୍ରେୟସ ଆୟର(୮ ରନ) ବିଫଳ ହୋଇଥିଲେ। ଫର୍ମରେ ଥିବା ବିରାଟ କୋହଲି ୨୩ ରନ କରି ପାଭିଲିୟନ ଫେରିଥିଲେ। ଏକଦା ୭୦ ରନରେ କୌଣସି ଓ୍ଵିକେଟ୍ ହରାଇ ନ ଥିବା ଭାରତ ୧୧୮ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିଲା।

ଏହା ପରେ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡ଼େଜା ଇନିଂସ ସମ୍ଭାଳିଥିଲେ। ଦୁହେଁ ସତର୍କତାର ସହ ବ୍ୟାଟିଂ କରି ଭାରତକୁ ମୁସ୍କିଲ ସ୍ଥିତିରୁ ବାହାର କରିଥିଲେ। ଦୁହେଁ ପଞ୍ଚମ ଓ୍ଵିକେଟ୍ ପାଇଁ ୭୩ ରନ ଯୋଡ଼ିଥିଲେ। ୧୯୧ ସ୍କୋରରେ ଜାଡ଼େଜା ବ୍ୟକ୍ତିଗତ ୨୭ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ କେଏଲ ରାହୁଲ ନିଜର କଳାତ୍ମକ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ହାସଲ କରିଥିଲେ। ପୁଣି କେଏଲ ଓ ନୀତିଶ କୁମାର ରେଡ୍ଡୀ ଷଷ୍ଠ ଓ୍ଵିକେଟ୍‌ରେ ୫୭ ରନ ଯୋଡ଼ି ଦଳର ସ୍କୋରକୁ ୨୪୮ ରନରେ ପହଞ୍ଚାଇଥିଲେ। ନୀତିଶ ୨୦ ରନ କରି ଆଉଟ୍ ହୋଇଥିଲେ। କେଏଲ ରାହୁଲ ଛକା ମାରି ଦିନିକିଆରେ ଅଷ୍ଟମ ଶତକ ହାସଲ କରିଛନ୍ତି। ଶେଷରେ ଭାରତ ୭ ଓ୍ଵିକେଟ୍ ହରାଇ ୨୮୪ ରନ କରିଛି। କେଏଲ ରାହୁଲ ୯୨ ବଲରୁ ୧୧ ଚୌକା ଓ ୧ ଛକା ସହ ୧୧୨ ରନର ଅପରାଜିତ ଇନିଂସ ଖେଳିଛନ୍ତି। ​​​​​​​