ଭୁବନେଶ୍ୱର: ବାତ୍ୟା ଅକଭାନକୁ ନେଇ ବଡ଼ ଅପଡେଟ୍ । ବଦଳିଛି ବାତ୍ୟାର ଗତିପଥ। ଓଡ଼ିଶା ମୁହାଁ ହୋଇ ଗତି କରୁଛି ବାତ୍ୟା। ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD) ଡିଜି। ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବାବେଳେ ଆସନ୍ତା ୨୦ ତାରିଖରେ ଏହା ସ୍ଥଳଭାଗ ଛୁଇଁପାରେ। ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା ଥିବାବେଳେ କଳିଙ୍ଗପଟନମ୍ ଓ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳ ଏହାର ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ହୋଇପାରେ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ଆଉ ଅଧିକ ତୀବ୍ର ହେବାର ସମ୍ଭାବନା ନାହିଁ। ତେବେ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିପାରେ। ବିଶେଷକରି ନଭେମ୍ବର ୧୯ ଓ ୨୦ ତାରିଖରେ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।

ଦକ୍ଷିଣ ଓଡ଼ିଶାରେ ବାତ୍ୟାର ପ୍ରଭାବ ସବୁଠାରୁ ଅଧିକ ରହିପାରେ। ନଭେମ୍ବର ୧୯ ତାରିଖରେ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ବର୍ଷା ହେବାର ଆଶଙ୍କା ରହିଛି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। କେତେକ ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆକଳନ କରାଯାଇଛି।

କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ପରେ ଶୀଘ୍ର ଦୁର୍ବଳ ହୋଇପାରେ ବୋଲି IMD ଆକଳନ କରିଛି।

ତେବେ ବାତ୍ୟାର ଗତିପଥ ବଦଳିବା ସହ ଓଡ଼ିଶା ଉପରେ ପ୍ରଭାବର ଆଶଙ୍କା ବଢ଼ିଥିବାରୁ ଏବେ ପାଣିପାଗ ବିଭାଗର ପ୍ରତ୍ୟେକ ଅପଡେଟ୍ ଉପରେ ନଜର ରହିଛି। ଆସନ୍ତା ୧୯ ଓ ୨୦ ତାରିଖ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ତେଣୁ ଲୋକଙ୍କୁ ସତର୍କ ରହିବା ସହ ସରକାରୀ ଓ ପାଣିପାଗ ବିଭାଗର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।