ନୂଆଦିଲ୍ଲୀ: ପୋଲିସ ହାଜତରେ ଅମାନୁଷିକ ନିର୍ଯାତନା ଓ ମୃତ୍ୟୁ ମାମଲାରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲା ଅଦାଲତ। ଯୁବକଙ୍କୁ ପିଟିପିଟି ମାରିଦେବା ଅଭିଯୋଗରେ କୋର୍ଟ ଜଣେ ପୂର୍ବତନ ଥାନା ଅଧିକାରୀଙ୍କ ସମେତ ୯ ଜଣ ପୋଲିସ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । କୋର୍ଟଙ୍କ ଏହି ରାୟ ସହ ଦୀର୍ଘ ୧୫ ବର୍ଷ ପରେ ପୀଡ଼ିତଙ୍କ ବୃଦ୍ଧ ବାପା-ମାଆଙ୍କୁ ନ୍ୟାୟ ମିଳିଛି।

କ'ଣ ଥିଲା ପୂରା ଘଟଣା ?

ପ୍ରାୟ ୧୫ ବର୍ଷ ପୂର୍ବେ ମେ' ୧୦ ତାରିଖରେ ରିସୋଡ଼ ପୋଲିସ ଷ୍ଟେସନର ଏହି ଘଟଣା । ପୋଲିସ ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ପାରଧୀ ସମୁଦାୟର 'ବେଗ୍ୟା ପାୱାର' ନାମକ ଜଣେ ଯୁବକଙ୍କୁ ପଚରାଉଚରା ପାଇଁ ଘରୁ ଉଠାଇ ଆଣିଥିଲେ। ମାତ୍ର ପୋଲିସ ଷ୍ଟେସନରେ ବେଗ୍ୟାଙ୍କୁ ଅତି ବର୍ବର ଭାବେ ମାଡ଼ ମରାଯାଇଥିଲା ଏବଂ ହାଜତ ଭିତରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ବେଗ୍ୟାଙ୍କର କୌଣସି ଅପରାଧିକ ପୃଷ୍ଠଭୂମି ନଥିଲା ଏବଂ ଘଟଣାର ମାତ୍ର ବର୍ଷେ ପୂର୍ବରୁ ହିଁ ତାଙ୍କର ବିବାହ ହୋଇଥିଲା ।

ଯୁବକଙ୍କ ମୃତ୍ୟୁ ପରେ ପାରଧୀ ସଂପ୍ରଦାୟ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ ମୃତ ଯୁବକଙ୍କ ମେଡିକାଲ୍ ଯାଞ୍ଚ କରାଯାଇଥିଲା । ରିପୋର୍ଟରେ ଶରୀରର ଅନେକ ହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା । ମାମଲାର ଗମ୍ଭୀରତାକୁ ଦେଖି ଏହାର ତଦନ୍ତ ଭାର ସିଆଇଡିକୁ ଦିଆଯାଇଥିଲା । ସିଆଇଡି ଅଧିକାରୀ ଅନୱର ଶେଖ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ ।

ନ୍ୟାୟ ପାଇଁ ୧୫ ବର୍ଷର ସଂଘର୍ଷ

ପୁଅର ମୃତ୍ୟୁ ପରେ ଯେତେବେଳେ ବୃଦ୍ଧ ବାପା-ମାଆ ନ୍ୟାୟ ପାଇଁ ଥାନାକୁ ଯାଇଥିଲେ, ସେତେବେଳେ ମାମଲାରେ ସାମିଲ ଥିବା ଥାନା ଅଧିକାରୀ ନିଜେ ଏହି ଅଭିଯୋଗକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ପରେ ମାମଲା ଅଦାଲତକୁ ଯାଇଥିଲା । ଦୀର୍ଘ ଦେଢ଼ ଦଶନ୍ଧି ଧରି ଚାଲିଥିବା ଏହି ଆଇନଗତ ଲଢ଼େଇ ପରେ ଶେଷରେ ୱାଶିମ୍ ଜିଲ୍ଲା କୋର୍ଟ ସମସ୍ତ ୯ ଜଣ ପୋଲିସ କର୍ମୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଜେଲ୍ ପଠାଇଛନ୍ତି ।