ମାହାଙ୍ଗା: ମାହାଙ୍ଗାବାସୀଙ୍କୁ ପୁଣି ଘାରିଲା କୁମ୍ଭୀର ଭୟ। ପ୍ରବଳ ବର୍ଷା ଏବଂ ଏହା ପରବର୍ତ୍ତୀ ବନ୍ୟା ଯୋଗୁ ବ୍ଲକ୍ ଅଞ୍ଚଳର ଗୋବରୀ ନଦୀରକୁ କୁମ୍ଭୀର ଚାଲିଆସିଥିବା ନେଇ ଜଣାପଡ଼ିଛି। ସ୍ଥାନୀୟ ଲୋକେ ଜେରକନ୍ଦ ମଠ ନିକଟରେ ଗୋବରୀ ନଦୀରେ କୁମ୍ଭୀର ବୁଲୁଥିବାର ଦେଖିଛନ୍ତି। ଯାହାକୁ ନେଇ ଗୋବରୀ ନଦୀ କୂଳରେ ବସବାସ କରୁଥିବା ଗ୍ରାମବାସୀମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏମିତିକି ଏହି କୁମ୍ଭୀରଟି ଦୁଇଟି ଛେଳି ଓ ଗୋଟିଏ ବାଛୁରୀକୁ ଶିକାର କରିଥିବା ନେଇ ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସୂଚନାଥାଉକି, ସାଲେପୁର ଶିଶୁଆ ଠାରୁ ଗୋବରୀ ନଦୀ ଉତ୍ପତ୍ତି ହୋଇଥିବା ବେଳେ ଏହା ମାହାଙ୍ଗା ଅଞ୍ଚଳ ଦେଇ କେନ୍ଦ୍ରାପଡ଼ା ଓ ପାରାଦୀପ ଦେଇ ବଙ୍ଗୋପସାଗରରେ ମିଶିଛି। ଫଳରେ ଏହି କୁମ୍ଭୀର ସମୁଦ୍ର କିମ୍ବା ଭିତରକନିକାରୁ ଗୋବରୀ ନଦୀରେ ପ୍ରବେଶ କରିଥାଇପାରେ ବୋଲି ଲୋକେ ବିଶ୍ୱାସ କରୁଛନ୍ତି। ଏହି କୁମ୍ଭୀର ଗୋବରୀ ନଦୀରେ ଆସିବା ଫଳରେ ସମସ୍ତ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଣୁ ମାହାଙ୍ଗା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନଦୀ କୂଳ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Also Read: କୁମ୍ଭୀରକୁ ନେଇ ଭୟରେ ଅଞ୍ଚଳବାସୀ, ବନ୍ୟା ପାଣିରେ ଭାସି ଆସିଥିବା ସନ୍ଦେହ