କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ। ଏହା ଗୋଟିଏ ସାଧାରଣ ଖବର ପରି ମନେ ହୁଏ। ତଥାପି କୁମ୍ଭୀର ଆକ୍ରମଣ କେତେ ଯେ ନୀରିହ ଜୀବନ ଚାଲିଯାଉଛି, ତାହାର ହିସାବ କରିବା ମୁସ୍କିଲ। ତଥାପି ଚେତୁନି ଏ ମଣିଷ। ଜାଣିଶୁଣି ନିଜ ଜୀବନକୁ ବିପଦରେ ପକାଉଛି। ପଟ୍ଟାମୁଣ୍ଡାଇ ବ୍ଲକ୍ ଅଞ୍ଚଳରୁ ଆସିଛି ଆଉ ଏକ ଅତ୍ୟନ୍ତ ହୃଦୟବିଦାରକ ଖବର। ନଦୀ କୂଳକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଶିକାର ହୋଇଛନ୍ତି ଜଣେ ମହିଳା। କୁମ୍ଭୀରଟି ମହିଳାଙ୍କୁ ପାଣି ଭିତରକୁ ଟାଣି ନେଇଥିବା ସନ୍ଦେହ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତ ଦାମୋଦର ପାଟଣା ଗାଁର ସୁଚିତ୍ରା ଦାସ ସକାଳୁ ଶୌଚ ହେବା ପାଇଁ ନଦୀ କୂଳକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରିଥିଲେ।

also read- ରାଜଧାନୀରେ ଚାଞ୍ଚଲ୍ୟ: ଜଳଖିଆ ଖାଇବାକୁ କହି ଫେରାର ହୋଇଗଲା ଦୁଷ୍କର୍ମ ଅଭିଯୁକ୍ତ

କୂଳରେ ତାଙ୍କ ବ୍ୟବହୃତ ଜିନିଷପତ୍ର ପଡ଼ିଥିବା ଦେଖି କୁମ୍ଭୀର ତାଙ୍କୁ ଟାଣି ନେଇଥିବା ସ୍ପଷ୍ଟ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ସୁଚିତ୍ରାଙ୍କୁ ଉଦ୍ଧାର କରିବା ପାଇଁ ବୋଟ୍ ଓ ବିଶେଷ ସରଞ୍ଜାମ ସାହାଯ୍ୟରେ ନଦୀ ଭିତରେ ଖୋଜାଖୋଜି ଜାରି ରହିଛି। ଏହି ଘଟଣା ପରେ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୁଚିତ୍ରା ଜଣେ ପାଚିକା ଭାବେ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ।