ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ମହିଳା ଥାନା ପୁଲିସର ବଡ଼ ଧରଣର ଅବହେଳା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ସହ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ପୁଲିସ ହାଜତରୁ ଚମ୍ପଟ ମାରିଛି।

ଅଭିଯୁକ୍ତର ନାଁ ରୁଦ୍ର ପ୍ରସାଦ ସୁତାର। ତାକୁ ଭଦ୍ରକରୁ ଉଠାଇ ଆଣି କୋର୍ଟ ଚାଲାଣ କରିବା ପାଇଁ ପ୍ରସ୍ତୁତି ଚାଲିଥିଲା। କୋର୍ଟ ନେବା ପୂର୍ବରୁ ଅଭିଯୁକ୍ତକୁ ଖାଇବାକୁ ଦେବା ପାଇଁ ଥାନାର ସେଣ୍ଟ୍ରି କାର୍ଯ୍ୟରତ ପୁଲିସ କର୍ମଚାରୀ ଜଣକ ଯାଇଥିଲେ। କିନ୍ତୁ ପୁଲିସର ଆଖି ପଲକ ପଡ଼ୁ ପଡ଼ୁ ଅଭିଯୁକ୍ତ ଜଳଖିଆ ଖାଇବା ବଦଳରେ ସେଠାରୁ ଚତୁରତାର ସହ ଖସି ପଳାଇବାରେ ସଫଳ ହୋଇଥିଲା।

also read- ଶ୍ରାବଣ ମାସରେ ମହାବିଭ୍ରାଟ, ଶ୍ରାବଣ ପାଉଣା ବଣ୍ଟନକୁ ନେଇ ବ୍ରାହ୍ମଣ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ

ପୁଲିସ ହାଜତରୁ ଅଭିଯୁକ୍ତ ଫେରାର ହେବା ପରେ ଥାନା ପରିସରରେ ଚାଞ୍ଚଲ୍ୟ ଖେଳିଛି। ଏହି ଘଟଣାକୁ ନେଇ କାର୍ଯ୍ୟରତ ଏଏସଆଇ କ୍ୟାପିଟାଲ ଥାନାରେ ଆନୁଷ୍ଠାନିକ ଅଭିଯୋଗ କରିଛନ୍ତି। ଅଭିଯୁକ୍ତକୁ ପୁଣି ଥରେ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜୋରଦାର କରାଯାଇଛି। ଥାନା ଭିତରୁ ଜଣେ ଅଭିଯୁକ୍ତ କିପରି ଖସିଗଲା, ତାହା ପୁଲିସର ସୁରକ୍ଷା ବ୍ୟବସ୍ଥା ଓ ଅସାବଧାନତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।