ନୂଆଦିଲ୍ଲୀ: ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲାରେ ଅଭିଯୁକ୍ତ ପତ୍ନୀ ସୋନମ ରଘୁବଂଶୀଙ୍କ ଜାମିନକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ତିନି ସପ୍ତାହ ଭିତରେ ଆତ୍ମସମର୍ପଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ସଦ୍ୟ ରାୟ ପରେ ଏହି ବହୁଚର୍ଚ୍ଚିତ ‘ହନିମୁନ ହତ୍ୟା ମାମଲା’ ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଛି। ସୋନମଙ୍କୁ ଏବେ ପୁନର୍ବାର ଜେଲ ଯିବାକୁ ପଡ଼ିବ।

ଏହି ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ୨୦୨୫ ମେ ୧୧ରେ ବିବାହ ପରେ ମେ ୨୦ରେ ପତ୍ନୀ ସୋନମଙ୍କ ସହିତ ଇନ୍ଦୋର ନିବାସୀ ରାଜା ଋଘୁବଂଶୀ ହନିମୁନରେ ମେଘାଳୟ ଯାଇଥିଲେ। ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା। ୨୦୨୫ ଜୁନ ୨ରେ ରାଜାଙ୍କ ମୃତଦେହ ଏକ ଗଭୀର ଖାଇରୁ ଉଦ୍ଧାର ହୋଇଥିଲା।

ମାମଲାରେ ସୋନମ ଓ ତାଙ୍କ ପ୍ରେମିକ ରାଜ୍ କୁଶୱାହ ସମେତ ଅନେକ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ୨୦୨୬ ଏପ୍ରିଲରେ ତଳ କୋର୍ଟ ସୋନମଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଏହାକୁ ବିରୋଧ କରି ମେଘାଳୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ରଖାଯାଇଥିବା ନୂଆ ଯୁକ୍ତି ଏବଂ ଅନ୍ୟ ପ୍ରମାଣକୁ ଆଧାର କରି ଅଦାଲତ ସୋନମଙ୍କ ଜାମିନକୁ ରଦ୍ଦ କରିଦେଇଛନ୍ତି।