ଦିଗପହଣ୍ଡି ୦୩/୦୪: ଘରେ ବସିଥିଲେ ସ୍ବାମୀ-ସ୍ତ୍ରୀ । ହଠାତ ପଶି ଆସିଲେ ୨ ଜଣ । କିଛି ପଚାରିଲେନି କି କହିଲେନି । ଅତର୍କିତ ଆକ୍ରମଣ ଆରମ୍ଭ କରିଦେଲେ । ପ୍ରଥମେ ଖଣ୍ଡାରେ ହାଣିଲେ । ପରେ ଗୋଡରେ ପଥର ଛେଚି ଦୌଡି ପଳାଇଲେ ।  ଏ କୌଣସି କାହାଣୀ ନୁହେଁ । ସିନେମା ଷ୍ଟାଇଲରେ ଦଂପତ୍ତିଙ୍କୁ ଏମିତି ମରଣାନ୍ତକ ଆକ୍ରମଣର ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଜାପଲ୍ଲି ଗାଁରେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଦମ୍ପତି ହେଉଛନ୍ତି ବାଜପଲ୍ଲି ଗାଁର ଦୁର୍ଯ୍ୟୋଧନ ରେଡ୍ଡି ଓ ପରାଆମ୍ମା ରେଡ୍ଡି ।

ଶୁକ୍ରବାର ଦ୍ବିପହର ସମୟରେ ସ୍ବାମୀ-ସ୍ତ୍ରୀ ଦୁର୍ଯ୍ୟୋଧନ ଓ ପରାଆମ୍ମା ଘର ଭିତରେ ଥିଲେ । ଘରର କବାଟ ଖୋଲା ଥିଲା । ହଠାତ ୨ ଜଣ ବାଇକରେ ଆସିଲେ ।କବାଟ ଖୋଲା ଥିବାରୁ ଘର ଭିତରେ ପଶିଆସିଲେ । ଆଉ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରିବା ଆରମ୍ଭ କରିଦେଲେ । ଦଂପତ୍ତି କିଛି ବୁଝିବା ଆଗରୁ ଦୁର୍ବୃତ୍ତଙ୍କ ଆକ୍ରମଣରେ ପଡିଯାଇଥିଲେ । ଏତିକିରେ ସେମାନଙ୍କର କାରନାମା ଶେଷ ହେଲାନି । ଉଭୟଙ୍କୁ ପଡିଯିବାର ଦେଖି ପରାଆମ୍ମାଙ୍କ ଗୋଡ ଉପରେ ପଥରରେ ଛେଚି ଦେଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଛାଡି ଦୁର୍ବୃତ୍ତ ସେଠାରୁ ଚଂପଟ ମାରିଥିଲେ । ପାଖ ପଡୋଶୀ ଘଟଣା ସଂପର୍କରେ ଖବର ପାଇ ପୋଲିସରୁ ଖବର ଦେଇଥିଲେ । ପୋଲିସ ଗାଁରେ ପହଞ୍ଚି ଗୁରୁତର ସ୍ବାମୀ-ସ୍ତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

​​​​​​​

ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ୨ ଦୁର୍ବୃତ୍ତ ଘରର କୌଣସି ଜିନିଷପତ୍ର ନେଇନଥିଲେ । ଏଥିରୁ ସ୍ପଷ୍ଟ ହେଉଛି କି ସେମାନେ ଲୁଟ୍‌ ନୁହେଁ କେବଳ ଆକ୍ରମଣ ଉଦ୍ଦେଶ୍ୟରେ ଆସିଥିଲେ । ଆକ୍ରମଣକାରୀ ୨ ଜଣ କିଏ ?  ସେମାନଙ୍କର ଦଂପତିଙ୍କ ସହ ସଂପର୍କ କଣ  ? ସେମାନେ ପରସ୍ପରକୁ ଜାଣିଛନ୍ତି କି ? ପୂର୍ବ ଶତ୍ରୁତା ନା ପାରିବାରିକ କଳହ ? ଏମିତି ବିଭିନ୍ନ ଦିଗକୁ ନେଇ ଛାନ୍‌ଭିନ୍‌ ଚଳାଇଛି ଦିଗପହଣ୍ଡି ପୋଲିସ । ତଦନ୍ତ ପରେ ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହେବ ।

Also Read:ପୂର୍ବ ଶତ୍ରୁତା ନା ପାରିବାରିକ କଳହ ? କାହିଁକି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଫେରାର