ବାଲେଶ୍ବର: ମହିଳା  କନଷ୍ଟେବଲ୍‌ଙ୍କୁ ଛୁଟି ନ ଦେବା ଏବଂ ମାନସିକ ନିର୍ଯାତନା ଅଭିଯୋଗ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ସାମ୍ନାକୁ ଆସିବାରେ ଲାଗିଛି। ଏହି ଘଟଣାକୁ ନେଇ ପୋଲିସ ବିଭାଗ ଭିତରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଶୁକ୍ରବାର ନିଜର ଅଭିଯୋଗ ନେଇ ଜିଲ୍ଲା SPଙ୍କୁ ଭେଟିଛନ୍ତି ପୀଡ଼ିତା ମହିଳା କନଷ୍ଟେବଲ୍ ସ୍ନେହା ମଞ୍ଜରୀ ଲେଙ୍କା।

ଏସପିଙ୍କ ସହ ସାକ୍ଷାତ ସମୟରେ ସେ ନିଜର ସମସ୍ତ ସମସ୍ୟା ଏବଂ ପୂର୍ବରୁ ହୋଇଥିବା ଅନ୍ୟାୟ ବିଷୟରେ ବିସ୍ତୃତ ଭାବେ ଅବଗତ କରାଇଛନ୍ତି। ଅନ୍ୟପଟେ ଏସପି ଏହି ଘଟଣାର ସମସ୍ତ ଦିଗକୁ ଗୁରୁତ୍ୱର ସହ ନେଇ ନିରପେକ୍ଷ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏସପିଙ୍କ ଏହି ପ୍ରତିଶ୍ରୁତି ସତ୍ତ୍ୱେ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ପାଉ ନଥିବା ଗଣମାଧ୍ୟମ ଆଗରେ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି କନଷ୍ଟେବଲ୍ ସ୍ନେହା ମଞ୍ଜରୀ ଲେଙ୍କା।

ଏହି ସମ୍ପୂର୍ଣ୍ଣ ଘଟଣା ଏବଂ ସ୍ନେହାଙ୍କ ଅଭିଯୋଗ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପଚାରିବାରୁ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏସପି କହିଛନ୍ତି ଯେ, ସମ୍ପୃକ୍ତ ମହିଳା କନଷ୍ଟେବଲ୍‌ଙ୍କୁ ଛୁଟି ଦିଆଯାଇଥିଲା। ହୁଏତ ସେଦିନର ଛୁଟି ଆବେଦନରେ କୌଣସି ଭୁଲ ବୁଝାମଣା ଥାଇପାରେ। ଏହା ବ୍ୟତୀତ ସେ ଆଣିଥିବା ଅନ୍ୟାନ୍ୟ ସମସ୍ତ ଅଭିଯୋଗର ମଧ୍ୟ ବିଧିବଦ୍ଧ ଭାବେ ତଦନ୍ତ କରାଯିବ ଏବଂ ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସ୍ପଷ୍ଟ କରିଛନ୍ତି।