ନୂଆଦିଲ୍ଲୀ: ପ୍ରାୟ ୩ ବର୍ଷରୁ ଅଧିକ ସମୟ ଧରି ଜେଲ୍‌ରେ ବନ୍ଦ ଥିବା ସାଂସଦ ଅମୃତପାଲ୍‌ ସିଂହ ପଞ୍ଜାବ ବିଧାନସଭା ନିର୍ବାଚନରେ ୨ଟି ଆସନରୁ ଲଢ଼ିପାରନ୍ତି । ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ଆସନ ଧୁରୀରୁ ସେ ନିର୍ବାଚନ ଲଢ଼ିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଜେଲ୍‌ରେ ବନ୍ଦ ଥିବା ସତ୍ତେ୍ବ ୨୦୨୪ ଲୋକସଭା ନିର୍ବାଚନରେ ସେ  ବିଜୟୀ ହୋଇଥିଲେ । ବିଧାନସଭା ନିର୍ବାଚନରେ ମଧ୍ୟ ସେ ଜେଲ୍‌ ଭିତରେ ରହି ନିର୍ବାଚନ ଲଢ଼ିବାକୁ ଯୋଜନା କରିଛନ୍ତି । ଧୁରୀ ସମେତ ସେ ଖେମ କରଣ ଆସନରୁ ମଧ୍ୟ ଲଢ଼ିବେ ବୋଲି କୁହାଯାଉଛି । 

୩୩ ବର୍ଷୀୟ ଅମୃତପାଲ ସିଂହ ନିଜ ଦଳର ମୁଖ୍ୟମନ୍ତ୍ରୀ ଚେହେରା । ବର୍ତ୍ତମାନ ମାଝା ଅଞ୍ଚଳର ଖାଦୁର ସାହିବ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ଦଳ 'ଅକାଳୀ ଦଳ (ୱାରିସ୍ ପଞ୍ଜାବ ଦେ)' ସୂତ୍ର ଅନୁଯାୟୀ, ସେ ଲଢ଼ିବାକୁ ଥିବା ଦ୍ୱିତୀୟ ବିଧାନସଭା ଆସନଟି ହେଉଛି 'ଖେମ କରଣ', ଯାହା ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀରେ ରହିଛି । ଦଳ ପକ୍ଷରୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଆସନ ତାଲିକା ପ୍ରକାଶ କରାଯାଇ ନାହିଁ ।

ଜେଲରେ ଥିବା ଏହି ସାଂସଦଙ୍କ ପ୍ରତିନିଧି କହିଛନ୍ତି ଯେ, ବିଧାନସଭା ନିର୍ବାଚନରେ ଅମୃତପାଲ ଲଢ଼ିବା ଏକପ୍ରକାର ନିଶ୍ଚିତ। ନିର୍ବାଚନ ନିୟମ ଅନୁଯାୟୀ, ଜଣେ ପ୍ରାର୍ଥୀ ଏକାଧିକ ଆସନରୁ ଲଢ଼ିପାରିବେ । କିନ୍ତୁ ଉଭୟ ଆସନରେ ବିଜୟୀ ହେଲେ  କେବଳ ଗୋଟିଏ ଆସନ ହିଁ ନିଜ ପାଖରେ ରଖିପାରିବେ। ସୂଚନାଯୋଗ୍ୟ, ଆସାମର ଡିବ୍ରୁଗଡ଼ ଜେଲରେ ବନ୍ଦୀ ଥିବା ଅମୃତପାଲଙ୍କୁ ନିକଟରେ ନଭେମ୍ବର ୨୧ ତାରିଖରେ ତାଙ୍କ ଜେଜେମା’ ଚରଣ କୌରଙ୍କ ଶେଷକୃତ୍ୟରେ ଯୋଗ ଦେବା ପାଇଁ ମାତ୍ର ତିନି ଘଣ୍ଟିଆ ପାରୋଲ୍ ମିଳିଥିଲା। 

ନିଜ ଗାଁ ଜଲ୍ଲୁପୁର ଖେରାରେ ପହଞ୍ଚିଥିବା ବେଳେ ତାଙ୍କୁ ଗଣମାଧ୍ୟମ ସହ କଥା ହେବାକୁ ବାରଣ କରାଯାଇଥିଲା । କିନ୍ତୁ ଭିଡ଼କୁ ଅଭିବାଦନ ଜଣାଇବା ବେଳେ ତାଙ୍କ ହାତ ଉଠାଇବା ଓ ଯୋଡ଼ିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। 'ୱାରିସ୍ ପଞ୍ଜାବ ଦେ' ପକ୍ଷରୁ ଏପର୍ଯ୍ୟନ୍ତ ତାଙ୍କର ପ୍ରାର୍ଥିତ୍ୱ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।  ଆଉ ପ୍ରାୟ ତିନି ମାସ ପରେ ହେବାକୁ ଥିବା ଏହି ନିର୍ବାଚନରେ ଶାସକ ଆପ୍ (AAP) ର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ନିଜକୁ ସ୍ଥାପିତ କରିବା ପାଇଁ ଅମୃତପାଲ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିରୋଧରେ ସିଧାସଳଖ ଲଢ଼େଇ କରିବାକୁ ଚାହୁଁଛନ୍ତି।