ନୂଆଦିଲ୍ଲୀ: ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି । ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ଯାଉଛି । ଭାରତ ସମେତ ସମଗ୍ର ବିଶ୍ବରେ ଏବେ ସଡ଼କ ଦୁର୍ଘଟଣା ଚିନ୍ତାର ବିଷୟ । ସିରିଆରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩୫ ଯାତ୍ରୀଙ୍କ ଜୀବନ ଯାଇଛି । ଏହାକୁ ନେଇ ସାରା ବିଶ୍ବରେ ଆଲୋଡନ ସୃଷ୍ଟି ହୋଇଛି । ଦୁଇଟି ଯାତ୍ରୀବାହୀ ବସ୍ ପରଷ୍ପର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ୩୫ ଜଣ ପ୍ରାଣ ହରାଇଛନ୍ତି ଏବଂ ୩୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।  

ସିରିଆର କେନ୍ଦ୍ରୀୟ ଅଞ୍ଚଳରେ ଥିବା ପାଲମାଇରା ଏବଂ ଅଲ-ସୁଖନା ସହର ମଧ୍ୟସ୍ଥ ମରୁଭୂମି ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ବସ୍ ମଧ୍ୟରେ ଏତେ ଭୟଙ୍କର ଧକ୍କା ହୋଇଥିଲା ଯେ, ଦୁଇଟିଯାକ ଗାଡ଼ିରେ ନିଆଁ ଲାଗିଯାଇଥିଲା।   ସିରିଆ ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୋଟିଏ ବସରେ ଦେଶର ସୁରକ୍ଷା ବାହିନୀର ଯବାନମାନେ ଯାତ୍ରା କରୁଥିଲେ ଏବଂ ଅନ୍ୟ ବସଟିରେ ସାଧାରଣ ଯାତ୍ରୀମାନେ ଥିଲେ।

ଏହି ସଡ଼କ ଦୁର୍ଘଟଣା ଡାମାସ୍କସ୍-ଦେଇର ଏଜ୍-ଜୋର ରାଜପଥରେ ଘଟିଛି। ଏହି ୪୦୦ କିଲୋମିଟର ଦୀର୍ଘ ରାଜପଥ ଦେଶର ପୂର୍ବପ୍ରାନ୍ତ ସହ ରାଜଧାନୀ ଡାମାସ୍କସକୁ ଯୋଡ଼ୁଥିବା ଏକ ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ଲାଇଫଲାଇନ୍ ।  ଦୁର୍ଘଟଣା ଘଟିବା ମାତ୍ରେ ସିରିଆର ଜରୁରୀକାଳୀନ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ମରୁଭୂମି ଅଞ୍ଚଳ ହୋଇଥିବାରୁ ଯାତାୟାତ ସୁବିଧା ପାଇଁ ସିରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସେନା ହେଲିକପ୍ଟର ନିୟୋଜିତ କରାଯାଇଛି। ଗୁରୁତର ଆହତମାନଙ୍କୁ ସେନା ହେଲିକପ୍ଟର ଏବଂ ଆମ୍ବୁଲାନ୍ସ ଯୋଗେ 'ହୋମ୍ସ ମିଲିଟାରୀ ହସ୍ପିଟାଲ' (Homs Military Hospital) ଏବଂ 'ପାଲମାଇରା ନ୍ୟାସନାଲ ହସ୍ପିଟାଲ'କୁ ସ୍ଥାନାନ୍ତର କରାଯାଇଛି। ଦେଇର ଏଜ୍-ଜୋର ଅଞ୍ଚଳରେ ଥିବା ସମସ୍ତ ମେଡିକାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି।

ଗତ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ଗୃହଯୁଦ୍ଧ ସିରିଆର ପରିବହନ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ନିୟମିତ ମରାମତିର ଅଭାବ, ବୋମା ବିସ୍ଫୋରଣ ଏବଂ ବିପଜ୍ଜନକ ମରୁଭୂମି ପରିବେଶ ଯୋଗୁଁ ଏହି ରାଜପଥଗୁଡ଼ିକରେ ଯାତ୍ରା କରିବା ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। ଦେଶର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ପ୍ରାୟ ୨,୦୦୦ ରୁ ଅଧିକ ସଡ଼କ ଦୁର୍ଘଟଣା ଘଟିସାରିଲାଣି।