ପାରାଦ୍ୱୀପ: ଇଣ୍ଡିଆନ କୋଷ୍ଟ ଗାର୍ଡ (ଆଇସିଜି) ଓଡିଶାର ପାରାଦ୍ୱୀପ ଉପକୂଳ ସମୁଦ୍ରରେ ଏକ ବଡ଼ ଧରଣର ସାମୁଦ୍ରିକ ଦୁର୍ଘଟଣା ଓ ପରିବେଶୀୟ ବିପର୍ଯ୍ୟୟକୁ ଅଳ୍ପକେ ରୋକି ଦେଇଛି। ସଂକଟରେ ଫଶିଥିବା କେନ୍ଦ୍ର ଆମେରିକୀୟଦେଶ ବେଲିଜ ଧ୍ୱଜଧାରୀ ତୈଳ ଟ୍ୟାଙ୍କର ଏମଟି ସିଗଲ-ନାଇନ୍ କୁ ବୁଡିବାରୁ ଅଳ୍ପକେ ରକ୍ଷା କରାଯାଇ ପାରିଛି। ଏହି ତୈଳ ଟ୍ୟାଙ୍କରରେ ୯ହଜାର ମେଟ୍ରିକଟନ ପାମ ଅଏଲ ବୋଝେଇଥିଲା। ଏହା ସହ ଜାହାଜରେ ୨୩ ଜଣିଆ ଚାଳକ ଦଳ ସଦସ୍ୟ ମଧ୍ୟ ଥିଲେ।

କୋଷ୍ଟଗାର୍ଡ ଅଧିକାରୀଙ୍କ ଅନୁସାରେ ରବିବାର ପୂର୍ବାହ୍ନ ପ୍ରାୟ ସାଢେ ୭ଟା ବେଳେ ପାରାଦ୍ୱୀପ ଉପକୂଳରୁ ପାଖାପାଖି ୩୭ ନଟିକାଲ ମାଇଲ ଦୂର ସମୁଦ୍ରରେ ଫଶିଥିବା ଏହି ପୋତରୁ ଜରୁରିକାଳୀନ ବାର୍ତ୍ତା (ଡିଷ୍ଟ୍ରେସ୍ କଲ୍) ମିଳିଥିଲା। ଜାହାଜର ମୁଖ୍ୟ ଇଞ୍ଜିନ ଅଚଳ ହୋଇପଡିଥିଲା ଓ ବ୍ୟାଲାଷ୍ଟ ଟ୍ୟାଙ୍କରେ ସମୁଦ୍ର ପାଣି ପଶିବା ଯୋଗୁ ଜାହାଜଟି ବିପଦଜନକ ଭାବେ ଅଣେଇ ହୋଇପଡିଥିଲା। ସୂଚନା ମିଳିବାମାତ୍ରେ କୋଷ୍ଟଗାର୍ଡ ଆଇସିଜିଏସ୍ ବିଶ୍ୱସ୍ତକୁ ଘଟଣାସ୍ଥଳକୁ ପଠାଇଥିଲା।

ବିଶେଷଜ୍ଞ ଟେକ୍ନିକାଲ ଦଳ ଜୁଆରିଆ ଲହଡି ମଧ୍ୟରେ ବିପଦଜନକ ଭାବେ ଅଣେଇ ହୋଇପଡିଥିବା ଜାହାଜକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ବିଶେଷଜ୍ଞ ଟିମ୍ ପ୍ରଥମେ ଜାହାଜରୁ ସବମର୍ସିବଲ ପମ୍ପ ଯୋଗେ ପାଣି ବାହାର କରିଥିଲେ। ଏହା ସହିତ କ୍ଷତିଗ୍ରସ୍ତ ଦୁଇଟି ସମୁଦ୍ର ପାଇପଲାଇନକୁ ସିଲ୍ କରି ଫାଟିଯାଇଥିବା ତୃତୀୟ ପାଇପକୁ ନିୟନ୍ତ୍ରିତ କରି ପାଣି ଝରିବା ରୋକିଥିଲେ। ଜାହାଜକୁ ସ୍ଥିର ରଖିବା ପାଇଁ ତୁରନ୍ତ କାର୍ଗୋ ଟ୍ରାନ୍ସଫର ପ୍ରକ୍ରିୟା ମଧ୍ୟ ପୁରା କରାଯାଇଥିଲା।

ଏଥିରେ ପାଣିକୁ ତୈଳ ଝରିବା ଆଶଙ୍କାରେ ପ୍ରଦୂଷଣ ନିୟନ୍ତ୍ରଣ ପୋତ(ପିସିଭି) ସମେତ ଏକ ପାଟ୍ରୋଲିଂ ପୋତକୁ ଘଟଣାସ୍ଥଳରେ ମୁତୟନ କରାଯାଇଥିଲା। ସମୁଦ୍ରରେ ଜାହାଜ ସମ୍ପୂର୍ଣ୍ଣ ସନ୍ତୁଳିତ ହେବା ପରେ ପାରାଦ୍ୱୀପ ପୋର୍ଟ ଅଥରିଟିଙ୍କ ଟଗ୍ ଡଲଫିନ ସହାୟତାରେ ଏହାକୁ ସୁରକ୍ଷିତ ରୂପେ ପାରାଦ୍ୱୀପ ଏଙ୍କରେଜକୁ ନିଆଯାଇଥିଲା। ଭୁବନେଶ୍ୱରରୁ ଡୋର୍ଣ୍ଣିୟର ବିମାନ ଆକାଶ ମାର୍ଗରୁ ସମୁଦ୍ର ଜଳରେ ତୈଳ ମିଶିବା ଘଟଣାର ଯାଞ୍ଚ କରିଥିଲା। ତେବେ ସମୁଦ୍ର ପାଣିରେ ଯେତିକି ତୈଳ ମିଶିଥିଲା ତାହା ସମ୍ପୂର୍ଣ୍ଣ ମିଳେଇ ସାରିଥିବା ପୁଷ୍ଟି କରିଛି।