ଭୁବନେଶ୍ବର ୨୨।୭: ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାହୁଡ଼ା ଯାତ୍ରା ବେଳେ ଭିଡ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ମୁଖ୍ୟମନ୍ତ୍ରୀ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ନିବେଦନ ମଧ୍ୟ କରିଛନ୍ତି ।

ରଥଯାତ୍ରା ଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପ୍ରାୟତଃ ଠିକ୍ ଭାବରେ ପରିଚାଳିତ ହୋଇଛି । ଲଗାଣ ବର୍ଷା, ପ୍ରତିକୂଳ ପାଗ, ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଅଧିକାରୀ ଓ କର୍ମଚାରୀ ତଥା ଭକ୍ତମାନଙ୍କ ସେବା ଓ ସମର୍ପଣ କୌଣସି ମାତ୍ରାରେ ପ୍ରଭାବିତ ହୋଇନାହିଁ । ସେବାୟତ ମାନଙ୍କ ନିଷ୍ଠା ଓ ସମର୍ପଣ ମନୋଭାବର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ମହାପ୍ରଭୁଙ୍କ ସେବାରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଟିମ୍ ସ୍ପିରିଟ ନେଇ କାମ କରୁଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।

ପୁରୀ ସହରରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସଜାଗ ରହି ସମସ୍ତ ବ୍ୟବସ୍ଥାର ନିୟମିତ ପରିଚାଳନା ଓ ତଦାରଖ କରୁଛନ୍ତି। ପହଣ୍ଡି, ରଥଟଣା, ଦକ୍ଷିଣି ମୋଡ, ଆଡପ ମଣ୍ଡପ ଦର୍ଶନ, ପ୍ରତ୍ୟେକ ସମୟରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିୟମିତ ତଦାରଖ କରୁଛନ୍ତି ।

Also Read:- ସାରା ଓଡ଼ିଶାରେ କାଚୁଛି ତୁହାକୁ ତୁହା ବର୍ଷା, ୧୦ ସ୍ଥାନରେ ୧୦୦ମିମିରୁ ଅଧିକ ବର୍ଷା ରେକର୍ଡ

ବୈଠକରେ ଭିଡ ପରିଚାଳନା ଓ ନିରନ୍ତର ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଭିଡରେ ଜନଗହଳିକୁ ବୈଜ୍ଞାନିକ ପଦ୍ଧତିରେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, CCTVରୁ ମିଳୁଥିବା ସୂଚନାକୁ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ବ୍ୟବସ୍ଥା ଜରିଆରେ ସମସ୍ୟା ଥିବା ସ୍ଥାନକୁ ତୁରନ୍ତ ପ୍ରଦାନ କରାଗଲେ, ସମସ୍ୟାର ସମାଧାନ ହୋଇପାରିବ। ଆଗକୁ ବାହୁଡା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନିଳାଦ୍ରୀବିଜେ ଅନୁଷ୍ଠିତ ହେବ। ତେଣୁ, ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ରଖିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।ରଥଯାତ୍ରାରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ, ଦୁଇଜଣ ଶ୍ରଦ୍ଧାଳୁଙ୍କ ଜୀବନହାନି ଯୋଗୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତ ଶ୍ରଦ୍ଧାଳୁଙ୍କ ପରିବାରବର୍ଗଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ଅଗ୍ନିଶମ ପୋଲିସ ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡଙ୍ଗୀ, ପୋଲିସ ମଡର୍ଣ୍ଣାଇଜେସନ୍ର ଅତିରିକ୍ତ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ପୋଲିସ ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ ସିଂ ପ୍ରମୁଖ ଉପସ୍ଥିତ ରହି ବାହୁଡା ଓ ସୁନାବେଶ ପରିଚାଳନା ସମ୍ପର୍କରେ ମତାମତ ରଖିଥିଲେ ।