ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଗତ କିଛି ଦିନ ହେବ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ଏବଂ ସେଠାକାର ରାଜନୈତିକ ସ୍ଥିତିକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିଲା । ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଅନେକ ହାଇ-ଭୋଲଟେଜ୍ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯାହାକୁ ନେଇ ବିଭିନ୍ନ ପ୍ରକାର ଅନୁମାନ କରାଯାଉଥିଲା । ମାତ୍ର ବର୍ତ୍ତମାନ ଏହି ବୈଠକକର ପ୍ରକୃତ ଏଜେଣ୍ଡା ସାମ୍ନାକୁ ଆସିଛି । ଏହି ମାରାଥନ୍ ବୈଠକ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ ନଥିଲା ।

ବୈଠକର ପ୍ରକୃତ ଏଜେଣ୍ଡା କଣ ଥିଲା ?

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ସହ ଦୀର୍ଘ ସମୟ ଧରି ଚାଲିଥିବା ଏହି ମାରାଥନ୍ ବୈଠକ ପରେ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସିଂ ସୁରଜେୱାଲା ଏବଂ କେ.ସି. ବେଣୁଗୋପାଳ ସ୍ପଷ୍ଟୀକରଣ ରଖିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଏହି ସମସ୍ତ ବୈଠକ କେବଳ ଆଗାମୀ ରାଜ୍ୟସଭା ଏବଂ ଏମଏଲସି (MLC) ନିର୍ବାଚନର ରଣନୀତି ଉପରେ ଆଲୋଚନା କରିବା ପାଇଁ ଆୟୋଜନ କରାଯାଇଥିଲା । କଂଗ୍ରେସ ନେତାମାନେ କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳରେ କୌଣସି ପ୍ରକାରର ଅଦଳବଦଳ କିମ୍ବା ନେତୃତ୍ୱ ପରିବର୍ତ୍ତନ ବିଷୟରେ ପଦେ ହେଲେ ବି କହିନାହାନ୍ତି ।

କଂଗ୍ରେସ ହାଇକମାଣ୍ଡଙ୍କ ପ୍ରତିକ୍ରିୟା

ବୈଠକ ଶେଷ ହେବା ପରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ମିଡିଆକୁ ସୂଚନା ଦେଇ କହିଛନ୍ତ, ‘ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏକ ବିସ୍ତୃତ ସମୀକ୍ଷା ବୈଠକ ବସିଥିଲା । ଏଥିରେ କେବଳ ରାଜ୍ୟସଭା ଏବଂ ବିଧାନ ପରିଷଦ (MLC) ନିର୍ବାଚନ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରାଯାଇଛି । ଏହାକୁ ବାଦ୍ ଦେଇ ଗଣମାଧ୍ୟମରେ ଚାଲିଥିବା ଅନ୍ୟ ସମସ୍ତ ଅଟକଳ ବା ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ସେଥିରେ କୌଣସି ସତ୍ୟତା ନାହିଁ ।’

କ୍ୟାବିନେଟ୍ ସମ୍ପ୍ରସାରଣ ଚର୍ଚ୍ଚା ଥମିଲା

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମଧ୍ୟ ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀ ବୈଠକରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କିମ୍ବା କୌଣସି ପଦବୀ ପରିବର୍ତ୍ତନ ସମ୍ପର୍କିତ କୌଣସି ବିଷୟ ଆଲୋଚନା ପରିସରକୁ ଆସିନାହିଁ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ଆଲୋଚନା ସରିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଦିଲ୍ଲୀରୁ ପୁଣି ବେଙ୍ଗାଲୁରୁ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ସ୍ପଷ୍ଟୀକରଣ ପରେ କର୍ଣ୍ଣାଟକ ରାଜନୀତିରେ ସୃଷ୍ଟି ହୋଇଥିବା ଝଡ଼ ସାମୟିକ ଭାବେ ଶାନ୍ତ ପଡ଼ିଛି ଏବଂ ସିଦ୍ଦରାମୈୟା ନିଜ ପଦବୀରେ ସୁରକ୍ଷିତ ରହିଛନ୍ତି ।