​​​​​​​ମୁମ୍ବାଇ: ପୁଣିଥରେ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲା କକ୍ରୋଚ ଜନାତ ପାର୍ଟି। ଦଳର ଫାଉଣ୍ଡର ଅଭିଜିତ ଦୀପ୍‌କେ ଗୁରୁବାର ସିଇସିଙ୍କ ଇସ୍ତଫା ଦାବି କରିବା ସହ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଗୁରୁବାର, ଅକ୍ଟୋବର ୧ରେ ମୁମ୍ବାଇ ପ୍ରେସ୍ କ୍ଲବ୍‌ରେ ସାମ୍ବାଦିକଙ୍କ ସହ ଆଲୋଚନା କରି ସେ କହିଛନ୍ତି ଯେ ଯଦି ଦାବି ପୂରଣ ନ ହେଲା ତେବେ ଅକ୍ଟୋବର ଶେଷରୁ ସାରା ଦେଶର ଆନ୍ଦୋଳନ କରିବୁ।

ଦୀପକେ କହିଛନ୍ତି, CEC ଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉ। ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

ଅକ୍ଟୋବର ୨ରେ ମୁମ୍ବାଇର ଦାଦରସ୍ଥିତ ଶିବାଜୀ ପାର୍କରେ CJP ପକ୍ଷରୁ ପ୍ରତିବାଦ କରାଯିବ। ଏହାପରେ ଗୋଆ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ବିହାର ଓ ଝାଡ଼ଖଣ୍ଡରେ ମଧ୍ୟ ପ୍ରତିବାଦ କରାଯିବ ବୋଲି ଦିପକେ ଘୋଷଣା କରିଛନ୍ତି। ଅକ୍ଟୋବର ଶେଷ ସୁଦ୍ଧା CEC ଇସ୍ତଫା ନଦେଲେ ଦିଲ୍ଲୀର ଜନ୍ତର ମନ୍ତରରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଏଥିସହ CEC ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ସହ ଏଥିରେ ସିଭିଲ୍ ସୋସାଇଟିର ଭୂମିକା ରହିବା ଦାବି କରିଛନ୍ତି ଦିପକେ। ୨୦୨୫ର ଭୋଟର ତାଲିକାକୁ ଫ୍ରିଜ୍ କରାଯାଉ ଏବଂ ଏଥିରେ ଆଉ କୌଣସି ପରିବର୍ତ୍ତନ କରାନଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି।

Also Read- ଠିକାଦାରଙ୍କୁ ୧ ଲକ୍ଷ କୋଟି ଟଙ୍କା ବକେୟା ଦେଉ ନାହାନ୍ତି ସରକାର ! ରାହୁଲ ଗାନ୍ଧିଙ୍କୁ ଭେଟି ଦୁଃଖ ଜଣାଇଲା ସଂଘ

ସୂଚନାଯୋଗ୍ୟ, ଭୋଟର ତାଲିକାର ଏସଆଇଆରକୁ ନେଇ ବିରୋଧୀ ଦଳଗୁଡ଼ିକ ପୂର୍ବରୁ ସିଇସି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କରିଆସୁଛନ୍ତି। ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ୧୦ ମାସ ମଧ୍ୟରେ ଅତି କମରେ ୧୪ ଥର କିଛି ନିଷ୍ପତ୍ତି ଓ ଆଦେଶ ଉପରେ ଆପତ୍ତି ଜଣାଇଥିବା ଖବର ପରେ ଏହି ବିବାଦ ଆହୁରି ତୀବ୍ର ହୋଇଥିଲା।

ତେବେ ନିର୍ବାଚନ କମିଶନ ଏକ ବିବୃତିରେ ସ୍ପଷ୍ଟ କରିଛି ଯେ, ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ କମିଶନ ଏସଆଇଆର୍‌ ସମେତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନେଇଛି। ଅନ୍ୟପଟେ, ମୁମ୍ବାଇରେ ଅକ୍ଟୋବର ୪ରେ ନିର୍ବାଚନ କମିଶନ ବିରୋଧରେ ମୋର୍ଚ୍ଚା ବାହାର କରିବାକୁ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ଓ ଶିବସେନା (UBT) ଘୋଷଣା କରିଛନ୍ତି।