ନୂଆଦିଲ୍ଲୀ: କକରୋଚ ଜନତା ପାର୍ଟି (ସିଜେପି) ଓ ସରକାରଙ୍କ ମଧ୍ୟରେ ତୃତୀୟ ପର୍ଯ୍ୟାୟ ବୈଠକ ଶନିବାର ସମାପ୍ତ ହୋଇଛି। ବୈଠକରେ ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା ଓ ଜିତେନ୍ଦ୍ର ସିଂହ ଯୋଗ ଦେଇଥିଲେ। ଉଭୟପକ୍ଷ ମଧ୍ୟରେ ସିଜେପି ଉଠାଇଥିବା ୫ଟି ଦାବି ନେଇ ଚର୍ଚ୍ଚା ହୋଇଥିଲା ଓ ସରକାର ସମସ୍ତ ଦାବି ସ୍ୱୀକାର କରିନେଇଛନ୍ତି। ଏଣୁ ବୈଠକରେ ସିଜେପି ପକ୍ଷରୁ ଯୋଗ ଦେଇଥିବା ସୌରଭ ଦାସ ତତ୍କାଳ ପ୍ରଭାବ ଆନ୍ଦୋଳନ ସମାପ୍ତ ଘୋଷଣା କରିଛନ୍ତି।

ବୈଠକ ପରେ ଉଭୟ ପକ୍ଷ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏଥିରେ ବୈଠକ ସମ୍ପର୍କିତ ସୂଚନା ଦେଇଛନ୍ତି। ସିଜେପି ମୁଖପାତ୍ର ସୌରଭ ଦାସ ବୈଠକରେ କଣ ଆଲୋଚନା ହୋଇଛି ଓ କେଉଁସବୁ କଥାରେ ସହମତି ହୋଇଛି ସେ ନେଇ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ ଜନ୍ତର-ମନ୍ତରରେ ଅନେକ ଦିନରୁ ଜାରିଥିବା ଆମର ବିରୋଧର ୩ଟି ମୁଖ୍ୟ ଦାବି ଥିଲା। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପ୍ରମୁଖ ଥିବା ବେଳେ ପ୍ରଦର୍ଶନକାରୀ ଓ ଆୟୋଜକଙ୍କ ବିରୋଧରେ ରୁଜୁ ସମସ୍ତ ଆଇନଗତ ମାମଲା ଓ ଏଫଆଇଆର ପ୍ରତ୍ୟାହାର ଦ୍ୱିତୀୟ ଦାବି ଥିଲା। ସେହିପରି ନିଟ୍ ପରୀକ୍ଷା ଅନିୟମିତତା କାରଣରୁ ଯେଉଁମାନେ ନିଜ ପରିବାରର ପ୍ରିୟଜନ ହରାଇଛନ୍ତି ସେମାନଙ୍କ ଲାଗି ୧ କୋଟି ଲେଖାଏଁ କ୍ଷତିପୂରଣ ତୃତୀୟ ଦାବି ଥିଲା।

ସିଜେପି ଆନ୍ଦୋଳନ ଯେଉଁ ସବୁ ଦାବି ପାଇଁ ଆରମ୍ଭ ହୋଇଥିଲା ତାହା ପୂରଣ ହୋଇଛି। ନିଟ୍ ପରୀକ୍ଷା ଯୋଗୁ ସରକାର ପ୍ରିୟଜନ ହରାଇଥିବା ପରିବାରଙ୍କ ଲାଗି କ୍ଷତିପୂରଣ ପ୍ରଦାନ ସହ ପ୍ରଦର୍ଶନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କରିବେନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ଛଡା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶନିବାର ପୂର୍ବାହ୍ନରେ ତାଙ୍କ ପଦରୁ ଇସ୍ତଫା ଦେଇସାରିଛନ୍ତି। ଏଣୁ ଦାବି ପୂରଣ ହୋଇଥିବାରୁ ଆନ୍ଦୋଳନ ତତ୍କାଳ ପ୍ରଭାବ ସମାପ୍ତ କରିବା ଲାଗି ଆମେ ଘୋଷଣା କରୁଛୁ ବୋଲି ସୌରଭ ଦାସ କହିଛନ୍ତି।