ନୂଆଦିଲ୍ଲୀ: ଭାରତ ଏକ ଐତିହାସିକ କୂଟ ସଫଳତା ହାସଲ କରିଛି । ୩୦୦ ବର୍ଷ ପୂର୍ବରୁ ବିଦେଶୀଙ୍କ ଦ୍ଵାରା ଲୁଟ୍ ହୋଇଥିବା ଚୋଳ ସାମ୍ରାଜ୍ୟର ବହୁମୂଲ୍ୟ ରାଜକୀୟ ସମ୍ପତ୍ତି ଏବେ ନିଜ ମାଟିକୁ ଫେରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ନେଦରଲ୍ୟାଣ୍ଡ ଗସ୍ତ ସମୟରେ ଡଚ୍ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଐତିହାସିକ ତାମ୍ରପତ୍ରଗୁଡ଼ିକୁ ଗ୍ରହଣ କରିଛନ୍ତି।

୧୧ଶ ଶତାବ୍ଦୀର ଏହି ୨୧ଟି ତାମ୍ରପତ୍ର, ଯାହାକୁ 'ଲାଇଡେନ୍ ପ୍ଲେଟ୍ସ' (Leiden Plates) ବୋଲି ମଧ୍ୟ କୁହାଯାଏ, ଏହାର ଓଜନ ପାଖାପାଖି ୩୦ କିଲୋଗ୍ରାମ। ଏହି ଶିଳାଲେଖଗୁଡ଼ିକରେ ଚୋଳ ବଂଶର ପ୍ରଭାବଶାଳୀ ଶାସକ ରାଜା ଚୋଳ ଏବଂ ତାଙ୍କ ପୁତ୍ର ରାଜେନ୍ଦ୍ର ଚୋଳଙ୍କ ଆଦେଶ ସଂସ୍କୃତ ଏବଂ ତାମିଲ ଭାଷାରେ ଲିପିବଦ୍ଧ ହୋଇଛି। ଏଥିରେ ଚୋଳ ବଂଶର ରାଜକୀୟ ମୋହର ମଧ୍ୟ ଲାଗିଛି। ୨୦୧୨ ମସିହାରୁ ଚାଲିଥିବା ଦୀର୍ଘ ଆଇନଗତ ଲଢ଼େଇ ପରେ ଭାରତ ଏହି ସମ୍ପତ୍ତିକୁ ଫେରାଇ ଆଣିବାରେ ସଫଳ ହୋଇଛି।

କ'ଣ ଏହି ସଂପତ୍ତି ?

ଏହି ସମ୍ପତ୍ତି ମୁଖ୍ୟତଃ ୨୧ଟି ବୃହତ୍ତ ତାମ୍ରପତ୍ର (Copper Plates) ର ଏକ ସମାହାର, ଯାହା ଏକ ଶକ୍ତ ଧାତବ ବଳୟରେ ବନ୍ଧା ହୋଇ ରହିଛି। ଏହି ବଳୟ ଉପରେ ଚୋଳ ବଂଶର ରାଜକୀୟ ମୋହର (Royal Seal) ଖୋଦିତ ହୋଇଛି, ଯେଉଁଥିରେ ବାଘ (ଚୋଳଙ୍କ ପ୍ରତୀକ), ଦୁଇଟି ମାଛ (ପାଣ୍ଡ୍ୟ ଶାସକଙ୍କ ପ୍ରତୀକ) ଏବଂ ଧନୁ ରହିଛି। ଏହା ଦର୍ଶାଏ ଯେ, ସେହି ସମୟରେ ଚୋଳମାନେ ସମଗ୍ର ଦକ୍ଷିଣ ଭାରତରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ।

ତାମ୍ରପତ୍ରରେ କ'ଣ ଲେଖା ହୋଇଛି ?

ଏହି ୨୧ ପୃଷ୍ଠାରେ ୧୧ଶ ଶତାବ୍ଦୀର ମହାନ ଶାସକ ରାଜା ଚୋଳ ଏବଂ ତାଙ୍କ ପୁତ୍ର ରାଜେନ୍ଦ୍ର ଚୋଳଙ୍କ ସଫଳତା ବିଷୟରେ ବର୍ଣ୍ଣନା କରାଯାଇଛି। ଏଥିରେ ସଂସ୍କୃତ ଏବଂ ପ୍ରାଚୀନ ତାମିଲ ଭାଷାର ବ୍ୟବହାର ହୋଇଛି। ଏଥିରେ ନାଗାପଟ୍ଟନମଠାରେ ଏକ ବୌଦ୍ଧ ବିହାର (ଚୂଡ଼ାମଣି ବିହାର) ନିର୍ମାଣ ପାଇଁ ଗ୍ରାମ ଦାନ କରିବାର ଘୋଷଣା ରହିଛି। ଏହା ପ୍ରମାଣ କରେ ଯେ, ଚୋଳ ଶାସକମାନେ ଅନ୍ୟ ଧର୍ମ ପ୍ରତି କେତେ ସହନଶୀଳ ଏବଂ ଉଦାର ଥିଲେ।

୩୦୦ ବର୍ଷ ପୂର୍ବରୁ କିଭଳି ଲୁଟ୍ ହୋଇଥିଲା ?

୧୮ଶ ଶତାବ୍ଦୀରେ ଯେତେବେଳେ ଭାରତରେ ଇଉରୋପୀୟ ଶକ୍ତିଙ୍କ ପ୍ରଭାବ ବଢ଼ିଲା, ସେତେବେଳେ ଡଚ୍ (Dutch) ବଣିକମାନେ ଦକ୍ଷିଣ ଭାରତର ଉପକୂଳରୁ ଏହି ବହୁମୂଲ୍ୟ ତାମ୍ରପତ୍ରଗୁଡ଼ିକୁ ନେଦରଲ୍ୟାଣ୍ଡ ନେଇଯାଇଥିଲେ। ସେବେଠାରୁ ଏହା ନେଦରଲ୍ୟାଣ୍ଡର ଲାଇଡେନ୍ ବିଶ୍ୱବିଦ୍ୟାଳୟ (Leiden University) ର ସଂଗ୍ରହାଳୟରେ ରହିଥିଲା ।